fbpx

ପ୍ରଚାର ସମୟରେ ଗର୍ଜିଲେ କଙ୍ଗନା, ବିରୋଧୀଙ୍କୁ ଟାର୍ଗେଟ କରି କହିଲେ ‘ଗେରୁଆ ଥିଲା ଏବଂ ଗେରୁଆ ହିଁ ଲହରେଇବ’

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଦ୍ୱିତୀୟ ଚରଣ ମତଦାନ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର କାର୍ଯ୍ୟ ଜୋରସୋରରେ ଚାଲିଛି । ଏହି ପ୍ରଚାର କାର୍ଯ୍ୟ ପାଇଁ ଷ୍ଟାର ପ୍ରଚାରକ ଭାବରେ ସିନେ ଜଗତର ତାରକା ମଧ୍ୟ ସାମିଲ ଅଛନ୍ତି । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରାଜନୈତିକ ଦଳ ବିଭିନ୍ନ ରଣନୀତି ଆପଣାଉଥିବାର ନଜିର ରହିଛି । ଏଥିମଧ୍ୟରେ ହିମାଚଳ ପ୍ରଦେଶର ମଣ୍ଡିରୁ ବିଜେପି ପ୍ରାର୍ଥୀ ଏବଂ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ମଙ୍ଗଳବାର ରାଜସ୍ଥାନର ଏକ ରୋଡ୍ ଶୋ’ରେ ସାମିଲ ହୋଇଥିଲେ । ଯୋଧପୁରରୁ ବିଜେପି ପ୍ରାର୍ଥୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ପାଇଁ ସେ ପ୍ରଚାର କରୁଥିବାର ନଜର ଆସିଥିଲେ ।

ରାଜସ୍ଥାନୀ ପଗଡ଼ି ପିନ୍ଧି କଙ୍ଗନା ‘ଭାରତ ମାତା କି ଜୟ’ ଏବଂ ‘ଜୟ ଶ୍ରୀ ରାମ’ର ନାରାବାଜି ମଧ୍ୟରେ ରୋଡ୍ ଶୋ କରିଥିଲେ । ଏହି ସମୟରେ ଦଳର ସମର୍ଥକ ଏବଂ ପ୍ରଶଂସକମାନେ ତାଙ୍କୁ ଘେରି ରହିଥିଲେ । ଜନୈକ ଘରୋଇ ଟିଭି ଚ୍ୟାନେଲ ସହ କଥାବାର୍ତ୍ତା ସମୟରେ ସେ କହିଥିଲେ, ‘ ଯୋଧପୁରର ଲୋକଙ୍କର ବିଜେପି ଉପରେ ସମ୍ପୂର୍ଣ୍ଣ ଭରସା ଅଛି । ‘ଗେରୁଆ ଥିଲା ଓ ଗେରୁଆ ହିଁ ଆଗକୁ ରହିବ। ଆମେ ବିଜେପି ପ୍ରତି ସେମାନଙ୍କ ପ୍ରେମ ଦେଖିଥିଲୁ । ସେ ପାଲିରେ ବିଜେପି ନେତା ପିପି ଚୌଧୁରୀଙ୍କ ପାଇଁ ମଧ୍ୟ ପ୍ରଚାର କରିଥିଲେ । ସେଠାରେ କଙ୍ଗନା କଂଗ୍ରେସ ଦଳ ବିପକ୍ଷରେ ବୟାନ ଦେଇଥିବାର ଦେଖିବାକୁ ମିଳିିଥିଲା । କଂଗ୍ରେସ ସଂପର୍କରେ କଙ୍ଗନା କହିଥିଲେ, ‘ସେମାନେ (କଂଗ୍ରେସ) ଅପମାନଜନକ ମନ୍ତବ୍ୟ ଦେଇଥିଲେ ଏବଂ ମୋ ଚରିତ୍ରକୁ ଆକ୍ଷେପ କରିଥିଲେ । ହେଲେ ‌ମୋର ସୈନିକମାନେ ସେମାନଙ୍କୁ ଜବାବ ଦେଇଥିଲେ । କାରଣ ମୋ ଶରୀରରେ ବି ରାଜସ୍ତାନ ଡିଏନ୍‌ଏ ଅଛି।’ କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ କଙ୍ଗନା ରାନାୱତଙ୍କ ନିର୍ବାଚନରେ ​​ଡେବ୍ୟୁକୁ ନେଇ ଏକ ଅପମାନଜନକ ପୋଷ୍ଟ କରିଥିଲେ ଯାହାକୁ ନେଇ ବିବାଦ ଦେଖାଦେଇଥିଲା । ପରେ ସେ ଭିଡିଓ ପୋଷ୍ଟ୍‌ କରି ସ୍ପଷ୍ଟୀକରଣ ଜାରି କରି ତାଙ୍କ ହ୍ୟାଣ୍ଡେଲରୁ ‘ଅନୁପଯୁକ୍ତ ପୋଷ୍ଟଗୁଡିକ’ ଡିଲିଟ କରିଥିଲେ ।

Get real time updates directly on you device, subscribe now.