ଇନ୍ଦୋର: ବର୍ଡର ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟରେ ଭାରତକୁ ୯ ୱିକେଟରେ ପରାସ୍ତ କରିଛି ଅଷ୍ଟ୍ରେଲିଆ । ଏହି ବିଜୟ ସହିତ ଅଷ୍ଟ୍ରେଲିଆ ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲରେ ପ୍ରବେଶ କରିଛି । ତେବେ ଇନ୍ଦୋର ଟେଷ୍ଟରେ ପରାଜୟ ଭାରତ ପାଇଁ ଏକ ବଡ ବିପଦ ସୃଷ୍ଟି କରିଛି । ଏହି ପରାଜୟ ପରେ ଭାରତର ଫାଇନାଲ ଖେଳିବା ନେଇ ଆଶଙ୍କା ଦେଖଶ ଦେଇଛି । ଅଷ୍ଟ୍ରେଲିଆ ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ବେଳେ ଦ୍ୱିତୀୟ ସ୍ଥାନ କବଜା କରିଛି ଭାରତ । ସେପଟେ ତୃତୀୟ ସ୍ଥାନରେ ଥିବା ଶ୍ରୀଲଙ୍କା ଦଳ ମଧ୍ୟ ଫାଇନାଲ ରେସରେ ସାମିଲ ରହିଛି ।
ଆସନ୍ତା ଜୁନ ୭ ତାରିଖରେ ଇଂଲଣ୍ଡର ଓଭାଲରେ ଖେଳାଯିବ ବିଶ୍ୱ ଟେଷ୍ଟ ଚମ୍ପିଆନସିପ । ତେବେ ଏଥିପାଇର୍ ଅଷ୍ଟ୍ରେଲିଆ ୧୮ ମ୍ୟାଚରୁ ୧୧ଟି ବିଜୟ ଲାଭ କରି ୬୮.୫୨ ଅଙ୍କ ସହ ଫାଇନାଲରେ ଏଣ୍ଟ୍ରି କରିସାରିଛି । ତେବେ ଏହାପରେ ଦ୍ୱିତୀୟ ଟିମ ଭାବରେ ଭାରତୀୟ ଦଳ ଫାଇନାଲ ଯିବାକୁ ଆଗଭର ହେଉଛି । ୧୭ ମୁକାବିଲାରୁ ୧୦ଟି ମ୍ୟାଚରେ ବିଜୟ ହାସଲ କରି ୬୦.୨୬ ଅଙ୍କ ସହିତ ଦ୍ୱିତୀୟ ସ୍ଥାନରେ ରହିଛି ଟିମ ଇଣ୍ଡିଆ । ତେବେ ଏହାପରେ ଶ୍ରୀଲଙ୍କା ଭାରତକୁ କଡା ଟକ୍କର ଦେଉଥିବାରୁ ଭାରତର ଫାଇନାଲ ଖେଳିବା ନେଇ ଶଙ୍କା ଦେଖା ଦେଇଛି । ତେବେ ଇନ୍ଦୋର ଟେଷ୍ଟରେ ଭାରତର ପରାଜୟ ଦଳକୁ ଆଉ ଏକ ଶକ୍ତ ଝଟକା ଦେଇଛି ।
ତେବେ ଚତୁର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆକୁ ମାତ୍ ଦେଲେ ଭାରତ ସିଧଶ ଚମ୍ପିଆନସିପର ଫାଇନାଲରେ ପ୍ରବେଶ କରିପାରିବ । କିନ୍ତୁ ଯଦି ମ୍ୟାଚ ଡ୍ର କିମ୍ବା ଅଷ୍ଟ୍ରେଲିଆ ବିଜୟୀ ହୁଏ ତେବେ ଭାରତର ପଏଣ୍ଟ ତଳକୁ ଖସିଯିବ ଏବଂ ଶ୍ରୀଲଙ୍କା ପାଇଁ ଫାଇନାଲକୁ ଯିବା ସହଜ ହୋଇଯିବ । ମ୍ୟାଚ ଡ୍ର ହେଲେ ଭାରତର ପଏଣ୍ଟ ୫୮.୮୦ ଏବଂ ପରାଜିତ ହେଲେ ୫୬.୯୪ ପଏଣ୍ଟକୁ ଖସି ଆସିବ ଭାରତ । ସେପଟେ ଶ୍ରୀଲଙ୍କା ୫୩.୩୩ ପଏଣ୍ଟ ସହ ତୃତୀୟ ସ୍ଥାନରେ ଫାଇନାଲକୁ ଅପେକ୍ଷା କରିଛି ।