fbpx

ଆଇପିଏଲ ଇତିହାସରେ ସବୁଠୁ ମହଙ୍ଗା ଅନକ୍ୟାପଡ୍ ଖେଳାଳି ହେଲେ ଅଭେଶ ଖାନ, ଭାଙ୍ଗିଲେ ରେକର୍ଡ

ବେଙ୍ଗାଲୁର: ଆଇପିଏଲ ଇତିହାସରେ ସବୁଠୁ ମହଙ୍ଗା ଅନକ୍ୟାପଡ୍ ଖେଳାଳି ହେବାର ରେକର୍ଡ କଲେ ଅଭେଶ ଖାନ। ଶନିବାର ବେଙ୍ଗାଲୁରୁରେ ଜାରି ଆଇପିଏଲ ୨୦୨୨ର ମେଗା ନିଲାମରେ ନୂତନ ଫ୍ରାଞ୍ଚାଇଜି ଲକ୍ଷ୍ନୌ ସୁପର ଜାୟଣ୍ଟସ୍ ୧୦ କୋଟି ଟଙ୍କାରେ ନିଜ ଦଳରେ ସାମିଲ୍ କରିଛି।
୨୫ ବର୍ଷୀୟ ଅଭେଶ ଖାନଙ୍କୁ ଲକ୍ଷ୍ନୌ କିଣିବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ, ମୁମ୍ବାଇ ଇଣ୍ଡିଆନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଛକାପଞ୍ଝା ଜାରି ରହିଥିଲା। କିନ୍ତୁ ଶେଷରେ ୧୦ କୋଟି ଟଙ୍କାରେ କିଣିବାରେ ସଫଳ ହୋଇଛି ଲକ୍ଷ୍ନୌ ସୁପର ଜାୟଣ୍ଟସ।
ଏହା ପୂର୍ବରୁ ମହଙ୍ଗା ଅନକ୍ୟାପଡ୍ ଖେଳାଳି ହେବାର ରେକର୍ଡ କ୍ରିଷ୍ଣାପା ଗୋଥାମଙ୍କ ନାମରେ ଥିଲା। ତାଙ୍କୁ ଗତ ସିଜିନରେ ଚେନ୍ନାଇ ସୁପରକିଙ୍ଗ୍ସ ୯.୨୫ କୋଟି ଟଙ୍କାରେ ନିଜ ଦଳରେ ସାମିଲ୍ କରିଥିଲା। କିନ୍ତୁ ଅଭେଶ ଖାନ ଏହି ରେକର୍ଡକୁ ଭାଙ୍ଗିଛନ୍ତି। ଅଭେଶ ଖାନ ନିଜର ଦମଦାର ବୋଲିଂ ବଳରେ ସଭିଙ୍କୁ ପ୍ରଭାବିତ କରିବାରେ ସଫଳ ହୋଇଥିଲେ। ୨୦୧୮ରେ ଦିଲ୍ଲୀ ଡେୟାରଡେଭିଲ୍ସ ବର୍ତ୍ତମାନର ଦିଲ୍ଲୀ କ୍ୟାପିଟାଲ୍ସ ୭୫ ଲକ୍ଷ ଟଙ୍କାରେ କିଣିଥିଲା।
ଅଭେଶ ଖାନ ୨୦୧୭-୧୮ ରଣଜୀ ଟ୍ରଫିରେ ମଧ୍ୟ ପ୍ରଦେଶ ତରଫରୁ ପଦାର୍ପଣ ମ୍ୟାଚ୍ ଖେଳିଥିଲେ। ସେ ୭ଟି ମ୍ୟାଚରୁ ୩୫ ଓ୍ଵିକେଟ୍ ଦଖଲ କରିଥିଲେ। ୨୦୧୯-୨୦ ଦେଓଧର ଟ୍ରଫିରେ ଭାରତୀୟ ସି ଦଳରେ ତାଙ୍କୁ ସାମିଲ୍ କରାଯାଇଥିଲା। ୨୦୨୧ରେ ଭାରତର ଇଂଲଣ୍ଡ ଗସ୍ତରେ ଅଭେଶ ଖାନଙ୍କୁ ନେଟ୍ ବୋଲର ଭାବେ ସାମିଲ୍ କରାଯାଇଥିଲା। ଆଇପିଏଲ ୨୦୨୧ରେ ଅଭେଶ ଦିଲ୍ଲୀ ପକ୍ଷରୁ ସର୍ବାଧିକ ଓ୍ଵିକେଟ୍ ହାସଲକାରୀ ବୋଲର ଥିଲେ।
୨୦୨୧ ନଭେମ୍ବରରେ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ଅଭେଶ ଖାନଙ୍କୁ ଭାରତୀୟ ଦଳରେ ସାମିଲ୍ କରାଯାଇଥିଲା। ଏଥିସହ ଅଭେଶ ଖାନ ସଂପ୍ରତି ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ଏବଂ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳରେ ସାମିଲ୍ ହୋଇଛନ୍ତି। ଦିନିକିଆ ସିରିଜରେ ଭାରତ ୩-୦ରେ ଜିତିଥିବା ବେଳେ ଫେବୃଆରୀ ୧୬ରୁ ଟି-୨୦ ସିରିଜ୍ ଖେଳାଯିବ।

Get real time updates directly on you device, subscribe now.