୧୦୦ ପଏଣ୍ଟ ପର୍ଯ୍ୟନ୍ତ ଖସିପାରେ କ୍ରେଡିଟ୍ ସ୍କୋର୍: ଏହି ଭୁଲଗୁଡ଼ିକୁ ଏଡ଼ାନ୍ତୁ

ଆଜିକାଲି କ୍ରେଡିଟ୍ କାର୍ଡର ବ୍ୟବହାର ଅତି ସାଧାରଣ ହୋଇଗଲାଣି। ଏକ ଭଲ କ୍ରେଡିଟ୍ ସ୍କୋର୍ ଥିଲେ ଋଣର ଇଏମଆଇ କମ୍ ହୁଏ ଏବଂ ଋଣ ମିଳିବା ମଧ୍ୟ ସହଜ ହୋଇଥାଏ। କିନ୍ତୁ, କିଛି ଭୁଲ ଅଛି, ଯାହାକୁ ଆପଣ ଏଡ଼ାଇବା ଉଚିତ୍। ନଚେତ୍ ଆପଣଙ୍କ କ୍ରେଡିଟ୍ ସ୍କୋର୍ ୧୦୦ ପଏଣ୍ଟ ପର୍ଯ୍ୟନ୍ତ ଖସିପାରେ।

୧. ବିଲ୍ ବିଳମ୍ୱରେ ପରିଶୋଧ କରିବା: କ୍ରେଡିଟ୍ କାର୍ଡର ବିଲ୍ ନିର୍ଦ୍ଧାରିତ ସମୟ ମଧ୍ୟରେ ନ ଦେଲେ ଏହା ଆପଣଙ୍କ ସ୍କୋର୍ ଉପରେ ଖରାପ ପ୍ରଭାବ ପକାଇଥାଏ। ସବୁବେଳେ ନିୟମିତ ଏବଂ ସମୟାନୁସାରେ ବିଲ୍ ପରିଶୋଧ କରନ୍ତୁ।

୨. କ୍ରେଡିଟ୍ ଲିମିଟ୍ ଅତିକ୍ରମ କରିବା: କାର୍ଡରେ ନିର୍ଦ୍ଧାରିତ କ୍ରେଡିଟ୍ ସୀମାଠାରୁ ଅଧିକ ଖର୍ଚ୍ଚ କଲେ ଏହା ଆପଣଙ୍କ ସ୍କୋର୍କୁ କ୍ଷତି ପହଞ୍ଚାଇଥାଏ। ସୀମାର ୩୦% ମଧ୍ୟରେ ଖର୍ଚ୍ଚ ରଖିବା ଉଚିତ୍।

୩. ଏକାଧିକ ଋଣ ପାଇଁ ଆବେଦନ: କମ୍ ସମୟ ମଧ୍ୟରେ ଅନେକ ଋଣ କିମ୍ବା କ୍ରେଡିଟ୍ କାର୍ଡ ପାଇଁ ଆବେଦନ କଲେ ଏହା ଆପଣଙ୍କ ଆର୍ଥିକ ଅସ୍ଥିରତାକୁ ଇଙ୍ଗିତ କରେ, ଯାହା ସ୍କୋର୍ ହ୍ରାସ କରିଥାଏ।

୪. କ୍ରେଡିଟ୍ କାର୍ଡ ବନ୍ଦ କରିବା: ପୁରୁଣା କ୍ରେଡିଟ୍ କାର୍ଡ ବନ୍ଦ କଲେ ଆପଣଙ୍କ କ୍ରେଡିଟ୍ ଇତିହାସ କମିଯାଏ, ଯାହା ସ୍କୋର୍ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ।

୫. କ୍ରେଡିଟ୍ ରିପୋର୍ଟ ଯାଞ୍ଚ ନ କରିବା: ନିୟମିତ ଭାବେ ଆପଣଙ୍କ କ୍ରେଡିଟ୍ ରିପୋର୍ଟ ଯାଞ୍ଚ ନ କଲେ ଭୁଲ କିମ୍ବା ଅନଧିକୃତ ଲେଣଦେଣ ଧରାପଡ଼ି ନ ପାରେ, ଯାହା ସ୍କୋର୍କୁ କ୍ଷତି ପହଞ୍ଚାଇଥାଏ।