ବରାଳ ବାଲୁଙ୍କେଶ୍ୱରଙ୍କ ମହିମା ଅପାର: ନିସନ୍ତାନ କୋଳରେ ସନ୍ତାନ ଦିଅନ୍ତି ବାବା

ପୁରୀ ଜିଲ୍ଲା ସତ୍ୟବାଦୀର ସର୍ବପୁରାତନ ଶୈବ ପୀଠ ବରାଳ ବାଲୁଙ୍କେଶ୍ୱର ମହାଦେବଙ୍କ ମନ୍ଦିର । ଏହା ତ୍ରେତୟା ଯୁଗର ମନ୍ଦିର ବୋଲି ବିଶ୍ୱାସ ରହିଛି । ତେବେ ଅନେକ ପ୍ରକାର ଅଲୌକିକ ମହିମା ପାଇଁ ସାରା ଓଡ଼ିଶାରେ ପ୍ରସିଦ୍ଧ ଏହି ଶୈବ ପୀଠ । ଭୁବନେଶ୍ୱରରୁ ପୁରୀ ଯିବା ବାଟରେ ସତ୍ୟବାଦୀର ପଟନାୟକିଆ ଛକରୁ ବାମ ପଟକୁ ଚାରି କିଲୋମିଟର ଦୂରରେ ଅବସ୍ଥାପିତ ଏହି ମନ୍ଦିର ।

ଲୋକକଥାରୁ ଜଣାଯାଏ ଯେ, ତ୍ରେତୟା ଯୁଗରେ ଭଗବାନ ଶ୍ରୀରାମଚନ୍ଦ୍ର ବନବାସ କାଳରେ ନିକଟସ୍ଥ ଭାର୍ଗବୀ ନଦୀ କୂଳରେ ଥିବା ଭୃଗୁ ମୁନିଙ୍କ ଆଶ୍ରମରେ ଅବସ୍ଥାନ କରିଥିଲେ । ଭାର୍ଗବୀ ନଦୀ କୂଳରେ ବାଲିର ଶିବଲିଙ୍ଗ ପ୍ରତିଷ୍ଠା କରି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିଥିଲେ ପୁରୁଷେ୍ାତ୍ତମ ପ୍ରଭୁ ଶ୍ରୀରାମ । ବାଲି ଲିଙ୍ଗ ଭାବରେ ପ୍ରତିଷ୍ଠିତ ହୋଇଥିବାରୁ ବାବାଙ୍କ ନାମ ବାଲୁଙ୍କେଶ୍ୱର ବୋଲି ନାମକରଣ ହୋଇଛି ।

ତେବେ ବାବାଙ୍କର ଅନେକ ମହିମା ଇତିହାସ ହୋଇ ରହିଛି । ଇତିହାସ ଅନୁସାରେ ଆଠଗଡ଼ ରାଜାଙ୍କ ଦୂଇ ଝିଅ ଥିଲେ । କିନ୍ତୁ ବାବାଙ୍କର ଜଣେ ସେବକ ରାଜାଙ୍କୁ ସାକ୍ଷାତ ସମୟରେ ପ୍ରତିଶ୍ରୁତି ଦେଇଥିଲେ ଯେ ପରବର୍ତ୍ତୀ ସନ୍ତାନ ପୁତ୍ର ହେବ । କିନ୍ତୁ ପୁନର୍ବାର କୋଳରେ ଝିଅ ନେଇଥିଲା । ସେବକଙ୍କ ନିର୍ଦ୍ଦେଶ କ୍ରମେ ରାଜା ଝିଅକୁ ବାବାଙ୍କ ବିଭୂତି ଖୁଆଇ କଦଳୀ ପତ୍ର ଉପରେ ଓଲଟାଇ ଶୁଆଇ ଦେଇଥିଲେ । ତେବେ ବାବାଙ୍କ ଅଲୌକିକ ମହିମା ଫଳରେ କିଛି ସମୟ ପରେ ସେ ପୁଅରେ ପରିଣତ ହୋଇଯାଇଥିଲେ ।

ସେବେଠାରୁ ବାବାଙ୍କ ମହିମା ସାରା ରାଜ୍ୟରେ ଉଦାହରଣ ସୃଷ୍ଟି କରିଛି ଏବଂ ଆଠଗଡ଼ ରାଜା ଖୁସି ହୋଇ ନୂତନ ମନ୍ଦିର ପ୍ରତିଷ୍ଠା କରିବା ସହିତ ବିଲବାଡ଼ି ମଧ୍ୟ ଖଞ୍ଜା କରିଛନ୍ତି । ବାବାଙ୍କ ମନ୍ଦିରରେ ଜାଗର, ଦଶହରା, ଦୋଳ ପୂର୍ଣ୍ଣିମା, ବାରୁଣୀ ସ୍ନାନ ବଡ଼ ପର୍ବ ଭାବେ ପାଳିତ ହୁଏ । କିନ୍ତୁ ବାରୁଣୀ ସ୍ନାନ ପର୍ବରେ ଲକ୍ଷ ଲକ୍ଷ ମାନସିକଧାରୀ ଭକ୍ତ ସାମିଲ ହୋଇ ସନ୍ତାନ ଉଦ୍ଦେଶ୍ୟରେ ଭାର୍ଗବୀ ନଦୀ ରେ ସ୍ନାନ କରନ୍ତି ।