fbpx

ମରିଗଲା ମାନସିକତା, ନିଜ କଅଁଳ ଶିଶୁକୁ ନୃଶଂସ ଭାବେ ହତ୍ୟା କଲେ ପିତା

ଝରୀଗାଁ,୩/୭(ଓଡିଶା ଭାସ୍କର): ବାପା ହୋଇ ଭୁଲିଗଲା ସମ୍ପର୍କ। ନିଜ ଔରସରୁ ଜନ୍ମିତ ୨୦ ଦିନର କଅଁଳ ଶିଶୁ ପୁତ୍ରକୁ ତଣ୍ଟିଚିପି ମାରିବା ସହ ପଥର ବାନ୍ଧି ନାଳରେ ଫୋପାଡ଼ି ଦେଲା l ଅଭିଯୁକ୍ତକୁ ଗିରଫ କରିବା ପରେ ଶିଶୁର ମୃତ ଦେହ ଉଦ୍ଧାର କରିଛି ପୋଲିସ।

ଏଭଳି ଏକ ହୃଦୟ ବିଦାରକ ଘଟଣା ଝରୀଗାଁ ବ୍ଲକ ଚକଲାପଦର ଗ୍ରାମପଂଚାୟତ ଅନ୍ତର୍ଗତ ଗାଇବନ୍ଧା ଗାଁରେ ଘଟିଯାଇଛି।

ଖବର ଅନୁଯାଇ ଗାଇବନ୍ଧା ଗାଁର ବାସୁଦେବ ଯାନୀ ନିଜର ପ୍ରଥମ ସ୍ତ୍ରୀ ଥିବା ସତ୍ୱେ ବାଘଡ଼ଙ୍ଗରି ଗାଁର ବଲଚାନ୍ଦ ପୂଜାରୀଙ୍କ ଝିଅ କମାଇ ପୂଜାରୀଙ୍କ ସହ ସମ୍ପର୍କ ବଢାଇଥିଲେ। ଏହା ମଧ୍ୟରେ କମାଇ ପୂଜାରୀ ଗର୍ଭବତୀ ହୋଇଥିଲେ, ଯାହାକି ଜାଣିବା ପରେ ବାସୁଦେବ ଏତେ ଗୁରୁତ୍ୱର ସହ ନେଇନଥିଲେ। ତେଣୁ କମାଇ ଘଟଣାର ସମ୍ପର୍କରେ ସମସ୍ତ କଥା ନିଜ ବାପା ମାଙ୍କୁ ଜଣେଇଥିଲା। ପରେ ଗ୍ରାମବାସୀଙ୍କ ନିଷ୍ପତ୍ତି ଅନୁଯାଇ କମାଇ ବାସୁଦେବ ସହ ତାର ଘରକୁ ଯାଇଥିଲା l ହେଲେ ଯିବାର ଗୋଟିଏ ଦିନ ପରେ କମାଇଙ୍କର ଗୋଟିଏ ଶିଶୁ ପୁତ୍ର ଜନ୍ମ ହୋଇଥିଲା l ଅନ୍ୟପଟେ କମାଇକୁ ବାରମ୍ବାର ବାସୁଦେବ ଶାରୀରିକ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲା l ଯେତେବେଳ ଶିଶୁକୁ ମାତ୍ର ୨୦ ଦିନ ହୋଇଥିଲା ନରହନ୍ତା ବାସୁଦେବ କମାଇକୁ ମାରପିଟ କରି ଛୁଆକୁ ଛଡେଇ ନେଇ କେଉଁଆଡେ ଚାଲିଯାଇଥିଲା l ସେ ନ ଫେରିବାରୁ ଘଟଣା ସମ୍ପର୍କରେ କମାଇ ପୂଜାରୀର ପରିବାର ଲୋକେ ଝରୀଗାଁ ଥାନାରେ ଅଭିଯୋଗ କରିଥିଲେ l ଅଭିଯୋଗ ପରେ ଝରୀଗାଁ ଥାନା ପୋଲିସ ବାସୁଦେବ କୁ ତାରିଖ ଗିରଫ କରିଥିଲା l ତଦନ୍ତ ପରେ ଅଭିଯୁକ୍ତ ବାସୁଦେବ ନିଜ କଅଁଳ ଶିଶୁକୁ ହତ୍ୟା କରିଥିବା ସ୍ୱୀକାର କରିଥିଲା। ପରେ ଶାଗଜାବା ନାଳରୁ ପଥର ଵନ୍ଧା ହୋଇଥିବା ଅବସ୍ଥାରେ ମୃତ ଶିଶୁକୁ ଉଦ୍ଧାର କରିଛି ପୋଲିସ l
ଶେଷରେ ମୃତ ଶିଶୁର ଶବକୁ ପୋଲିସ ଜବତ କରି ଝରୀଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ଶବ ବ୍ୟବଛେଦ ପରେ ପରିବାର କୁ ହସ୍ତାନ୍ତର କରିଛି l ଅଭିଯୁକ୍ତ ବାସୁଦେବ ବିରୋଧରେ ଏକ ହତ୍ୟା ମାମଲା ରୁଜୁ କରାଯାଇଥିବା ପୋଲିସ ପ୍ରକାଶ କରିଛି l

Get real time updates directly on you device, subscribe now.