ପୁରୀ(ଓଡ଼ିଶା ଭାସ୍କର): ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଆଜି ଅଣସର ଚତୁର୍ଦ୍ଦଶୀ ତିଥିରେ ଦତ୍ତମହାପାତ୍ର ସେବାୟତଙ୍କ ଦ୍ୱାରା ଖଡି ପ୍ରସାଦ ବିଜେ ସହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଘଣ୍ଟ, ଛତା, କାହାଳୀ ମଧ୍ୟରେ ଶ୍ରୀନହରକୁ ଖଡିପ୍ରସାଦ ବିଜେ କରାଯିବ। ମହାପ୍ରଭୁଙ୍କୁ ଲାଗି ହୋଇଥିବା ଖଡିପ୍ରସାଦ ଦଇତାପତି ଓ ଦତ୍ତମହାପାତ୍ର ସେବକମାନେ ରୂପା ଥାଳିରେ ଆଣି ଗଜପତି ମହାରାଜଙ୍କୁ ପ୍ରସାଦ ଅର୍ପଣ କରିବେ।
ଏହାପରେ ଦତ୍ତମହାପାତ୍ର ସେବାୟତମାନେ ହରିତାଳ, କେଶର, କସ୍ତୁରୀ, ଧଳା ଓ କଳା ରଙ୍ଗ ବ୍ୟବହାର କରି ମହାପ୍ରଭୁଙ୍କ ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର କରିବେ। ଏହି ନୀତି ଆଜି ଓ ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବ। ଏହାପରେ ବୁଧବାର ମହାପ୍ରଭୁ ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଗତକାଲି ଶ୍ରୀଜିଉଙ୍କ ଖଳି ଲାଗି ହୋଇଛି। ଶନିବାର ପତିମହାପାତ୍ର ଓ ଦଇତାପିତ ସେବାୟତ ମହାପ୍ରଭୁଙ୍କ ସୁସ୍ଥତା ଖବର ଗଜପତି ମହାରାଜଙ୍କୁ ପ୍ରଦାନ କରିବା ସହ ଶୃଙ୍ଖଳିତ ରଥଯାତ୍ରା ନେଇ ଆଲୋଚନା କରିଥିଲେ।
ତେବେ ଜୁଲାଇ ୧ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଶ୍ରୀମନ୍ଦିର ଛାଡ଼ି ଭାଇଭଉଣୀଙ୍କୁ ସାଙ୍ଗରେ ନେଇ ଭକ୍ତଙ୍କ ଗହଣରେ ମାନବୀୟ ଲୀଳା କରିବେ ମହାପ୍ରଭୁ ଶ୍ରୀଜଗନ୍ନାଥ । ରଥର ଦୁଆରଘଡ଼ାକୁ ମଜଭୁତ କରିବା ପାଇଁ ଧ୍ୱଜାବତା ଲଗାଯାଇଛି । ଏଥିରେ ମହାପ୍ରଭୁଙ୍କ ଆଜ୍ଞାମାଳ ସ୍ଥାପନ ହେବ । ସେହିପରି ଚିତ୍ରକର ସେବକମାନେ ରଥର ବିଭିନ୍ନ ଅଂଶକୁ ରଙ୍ଗ ଦେଇ ଚାଲିଛନ୍ତି । ଶ୍ରୀମନ୍ଦିର କାର୍ଯ୍ୟାଳୟର ଉପର ମହଲାରେ ଦର୍ଜୀସେବକମାନେ ରଥକନାମଣ୍ଡଳୀ କାର୍ଯ୍ୟ ଚାଲୁ ରଖିଛନ୍ତି । ଏସବୁ ଭିତରେ ରବିବାର ମହାପ୍ରଭୁଙ୍କ ଘଣା ଓ ଖଳ୍ରିସାଦ ଲାଗି ନୀତି ସମ୍ପନ୍ନ ହୋଇଛି । ଅଣସର ତ୍ରୟୋଦଶୀରେ ଘଣାଲାଗି ଓ ଶ୍ରୀପୟର ମୁଦ ଉପଲକ୍ଷେ ପାଟଡୋର ଓ ଖଳି ପ୍ରସାଦ ଲାଗି ହୋଇଥାଏ । ଘଣ୍ଟ, ଛତ୍ର, କାହାଳୀ ସହ ଖଳି ପ୍ରସାଦକୁ ଶୁଦ୍ଧ ସୁଆରଙ୍କ ଘରୁ ଶ୍ରୀମନ୍ଦିରକୁ ବିଜେ କରାଯାଇଥିଲା । ଏହି ଶୁଦ୍ଧ ସୁଆରଙ୍କ ଦ୍ୱାରା ପ୍ରସ୍ତୁତ ଏହି ଦିବ୍ୟ ପ୍ରଲେପକୁ ରୁ । ପିଙ୍ଗଣରେ ରଖି ଦଇତାପତି ସେବକ ଶ୍ରୀଅଙ୍ଗରେ ଲାଗି କରିଥିଲେ । ଭିତର ଖଳିଲାଗି ପୂର୍ବରୁ ମହାପ୍ରଭୁଙ୍କ ଘଣାଲାଗି ଗୋପନନୀତି ସମ୍ପନ୍ନ କରାଯାଇଥିଲା ।