fbpx

୨୩ ବର୍ଷ ଭାରତରେ ଲୁଚି ରହିଥିଲା ଦୋଷୀ, ବାଲାଂଦେଶ ସଂସ୍ଥାପକ ତଥା ବଙ୍ଗ ବନ୍ଧୁଙ୍କୁ ହତ୍ୟା ମାମଲାର ଦୋଷୀକୁ ଫାଶୀ

Advertisement

ଢ଼ାକା, ୧୨ା୪: ବାଲାଂଦେଶର ସଂସ୍ଥାପକ ତଥା ବଙ୍ଗ ବନ୍ଧୁ ନାମରେ ପରିଚିତ ଶେଖ୍ ମୁଜୀବୁର ରହମାନଙ୍କୁ ହତ୍ୟା ମାମଲାରେ ରବିବାର ବାଲାଂଦେଶ ସେନାର ଜଣେ ପୂର୍ବତନ କ୍ୟାପଟେନଙ୍କୁ ରବିବାର ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଛି । ଏହି ବ୍ୟକ୍ତିଙ୍କ ନାମ ଅବଦୁଲ୍ ମାଜିଦ୍ ଏବଂ ସେ ଦୀର୍ଘ ୪୫ ବର୍ଷ ଧରି ଫେରାର ରହିବା ପରେ ଗତ ମଙ୍ଗଳବାର ତାଙ୍କୁ ଢ଼ାକାରୁ ଗିରଫ କରାଯାଇଥିଲା । ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଉଛି, ଏହି ୪୫ ବର୍ଷ ଲୁଚି ରହିବା ମଧ୍ୟରୁ ସେ ୨୫ ବର୍ଷ ଭାରତର କୋଲକାତାରେ ରହିଥିବା କୁହାଯାଉଛି ।

ତେବେ ମଙ୍ଗଳବାର ଧରାପଡ଼ିବା ପରେ ବାଲାଂଦେଶର ସମୟ ଅନୁସାରେ ଶନିବାର-ରବିବାର ମଧ୍ୟରାତ୍ରୀ ୧୨.୦୧ରେ ତାଙ୍କୁ ସେଣ୍ଟ୍ରାଲ୍ ଜେଲ୍ରେ ଫାଶୀ ଦିଆଯାଇଛି । ୧୯୭୫ରେ ବାଲାଂଦେଶରେ ଶେଖ୍ ମୁଜୀବୁର ରହମାନଙ୍କୁ ହତ୍ୟା କରାଯାଇଥିଲା । ସେନାର ଅନେକ ଅଧିକାରୀ ଏହି ଘଟଣାରେ ସାମିଲ ଥିବା ଅଭିଯୋଗ ହୋଇଛି । ଏହି ହତ୍ୟା ଘଟଣା ପରେ ଅବଦୁଲ୍ ମାଜିଦ୍ ଫେରାର ହୋଇଯାଇଥିଲା । ତେବେ ମାଜିଦ୍ ଧରାପଡ଼ିବା ପରେ ଏହି ହତ୍ୟାକାଣ୍ଡରେ ସାମିଲ ଥିବା ବିଷୟ ନିଜଆଡ଼ୁ ସ୍ୱୀକାର କରିଥିଲା ବୋଲି ବାଲାଂଦେଶର ଗୃହମନ୍ତ୍ରୀ ଅସଦୁଜ୍ଜମା ଖାନ୍ ରବିବାର କହିଛନ୍ତି । ଅଭିଯୋଜନ ପକ୍ଷର ଓକିଲ କହିଛନ୍ତି ଯେ, ଏହି ହତ୍ୟା ଘଟଣା ପରେ ଦୋଷୀ ଅବଦୁଲ୍ ମାଜିଦ୍ ୨୩ ବର୍ଷ ଭାରତର କୋଲକାତାରେ ଲୁଚି ରହିଥିଲା । ଗତମାସ ୧୫ କିମ୍ବା ୧୬ ତାରିଖରେ ସେ ଢ଼ାକା ପହଞ୍ଚିଥିବା ପୋଲିସକୁ ଖବର ମିଳିବା ପରେ ପୋଲିସ ତାକୁ ମଙ୍ଗଳବାର ଗିରଫ କରିଥିଲା । ଶୁକ୍ରବାର ମାଜିଦର ପତ୍ନୀ ଓ ୪ଜଣ ସମ୍ପର୍କୀୟ ଜେଲ୍କୁ ଆସି ସାକ୍ଷାତ କରିଥିଲେ । ଏହାର ଗୋଟିଏ ଦିନ ପୂର୍ବରୁ ବାଲାଂଦେଶ ରାଷ୍ଟ୍ରପତି ମୁହମ୍ମଦ୍ ଅବଦୁଲ୍ ହାମିଦ୍ ଦୋଷୀ ମାଜିଦର ରାଜକ୍ଷମା ଆବେଦନ ଖାରଜ କରିଦେଇଥିଲେ । ପ୍ରକାଶଯୋଗ୍ୟ, ବାଲାଂଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା ହେଉଛନ୍ତି ବାଂଲାଦେଶର ସଂସ୍ଥାପକ ଶେଖ୍ ମୁଜୀବୁର ରେହମାନଙ୍କ ଝିଅ । ଯେଉଁ ସମୟରେ ଶେଖ୍ ମୁଜୀବୁର ରେହମାନଙ୍କୁ ହତ୍ୟା କରାଗଲା ସେହି ସମୟରେ ଶେଖ୍ ହାସିନା ନିଜ ଭଉଣୀଙ୍କ ସହ ଜର୍ମାନୀ ଯାଇଥିଲେ । ତେଣୁ ଶେଖ୍ ହାସିନା ହତ୍ୟାରୁ ବର୍ତ୍ତି ଯାଇଥିବା କୁହାଯାଉଛି ।

Get real time updates directly on you device, subscribe now.