ନୂଆଦିଲ୍ଲୀ,୧୨ା୧: ଭାରତ-ବାଂଲାଦେଶ ସମ୍ପର୍କ ପୂର୍ବରୁ ଖରାପ ଚାଲିଆସୁଥିଲା, ବର୍ତ୍ତମାନ ସୀମାକୁ ନେଇ ମଧ୍ୟ ତିକ୍ତତା ବଢ଼ିଚାଲିଛି। ଏହି ପରିସ୍ଥିତି ଆସିଛି ଯେତେବେଳେ ବାଂଲାଦେଶ ଭାରତକୁ ବାଂଲାଦେଶ ସୀମାରେ ଗୁଳି ଚଳାଇଥିବାର ଅଭିଯୋଗ କରିଛି, ସେତେବେଳେ ଭାରତ କହିଛି ଯେ, ଚୋରା ଚାଲାଣକାରୀଙ୍କ ସହ ମୁକାବିଲା ପାଇଁ ପଦକ୍ଷେପ ନିଆଯାଇଛି। ଏହି ପ୍ରସଙ୍ଗରେ ବାଂଲାଦେଶ ବୈଦେଶିକ ମନ୍ତ୍ରଣାଳୟ ଭାରତୀୟ ହାଇ କମିଶନରଙ୍କୁ ଡକାଇଥିଲା ଏବଂ ପ୍ରାୟ ଅଧ ଘଣ୍ଟାର ବୈଠକ ପରେ ଭାରତୀୟ ହାଇ କମିଶନର ୟୁନୁସ ସରକାରଙ୍କୁ କଡ଼ା ଜବାବ ଦେଇଥିଲେ।
ସୀମା ପରିଚାଳନା ଉପରେ ଥିବା ଚୁକ୍ତିନାମାକୁ କାର୍ଯ୍ୟକାରୀ କରିବା ଏବଂ ସୀମା ଅପରାଧର ମୁକାବିଲା ପାଇଁ ଏକ ସହଯୋଗୀ ଆଭିମୁଖ୍ୟ ଗ୍ରହଣ କରିବାକୁ ଭାରତ ରବିବାର ବାଂଲାଦେଶକୁ ନିବେଦନ କରିଛି।
ନିକଟରେ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ବାଂଲାଦେଶୀ ଚୋରା ଚାଲାଣକାରୀଙ୍କୁ ରୋକିବା ପାଇଁ ପଦକ୍ଷେପ ନେବା ପରେ ଉତ୍ତେଜନା ବୃଦ୍ଧି ପାଇଛି। ବାଂଲାଦେଶ ଦାବି କରିଛି ଯେ, ଭାରତ ପାଞ୍ଚଟି ସ୍ଥାନରେ ସୀମା ବାଡ ନିର୍ମାଣ କରିବାକୁ ଚେଷ୍ଟା କରୁଛି, ଯାହା ଦ୍ୱିପାକ୍ଷିକ ଚୁକ୍ତିନାମାକୁ ଉଲ୍ଲଂଘନ କରୁଛି।