fbpx

ଆଜି ବାରବାଟୀ ଲଢ଼େଇ, ଘଣ୍ଟି ବଜାଇ ମ୍ୟାଚ୍‌ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ସୁରକ୍ଷା ଦାୟିତ୍ୱରେ ୬୨ ପ୍ଲାଟୁନ୍‌ ଫୋର୍ସ

କଟକ/ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌) : ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍‌ ପାଇଁ ବାରବାଟୀ ଷ୍ଟାଡିୟମ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଦର୍ଶକଙ୍କୁ ଘାରିଲାଣି କ୍ରିକେଟ୍‌ ଫିଭର । ସେମାନଙ୍କ ମନରେ ଅସୀମ ଉତ୍ସାହ ଓ ଉଦ୍ଦୀପନା ଭରି ରହିଛି । ଏଥିନେଇ ବାରବାଟୀ ଷ୍ଟାଡିୟମ୍‌ ସହ ସାରା କଟକ ସହର ହୋଇଉଠିଛି ଚଳଚଞ୍ଚଳ । ଏହି ଟି-୨୦ ମ୍ୟାଚ୍‌କୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଲକତାର ଇଡେନ୍‌ ଗାର୍ଡନ ଭଳି ବାରବାଟୀରେ ଏକ ଘଣ୍ଟି ଲଗାଯିବାର ବ୍ୟବସ୍ଥା ହୋଇଛି । ମୁଖ୍ୟମନ୍ତ୍ରୀ ଏହି ଘଣ୍ଟି ବଜାଇ ମ୍ୟାଚ୍‌ ଶୁଭାରମ୍ଭ କରିବାର ଯୋଜନା ରହିଛି ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର ଥିବାରୁ ଉଚ୍ଚସ୍ତରୀୟ ଅଧିକାରୀମାନେ ତତ୍ପରତା ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ୫-ଟି ସଚିବ ଭି.କେ.ପାଣ୍ଡିଆନ ମଧ୍ୟ ବାରବାଟୀ ଷ୍ଟାଡିୟମ୍‌ରେ ଉପସ୍ଥିତ ରହିବେ । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଯେଭଳି ସାମାନ୍ୟତମ ତ୍ରୁଟି ନଘଟେ ସେନେଇ କମିଶନରେଟ୍‌ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ମ୍ୟାଚ୍‌ ସମୟରେ ଯେପରି ସାମାନ୍ୟତମ ବ୍ୟତିକ୍ରମ ଦେଖାନଯିବ ସେଥିପ୍ରତି ଗୁରୁତ୍ୱ ଦେଇଛନ୍ତି ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ ଓ ଜିଲ୍ଲା ପ୍ରଶାସନ ।

ସୁରକ୍ଷା ପାଇଁ ୬୨ ପ୍ଲାଟୁନ୍‌ ଫୋର୍ସ ମୁତୟନ ରହିବେ । ଏହା ବ୍ୟତୀତ ୩ ଜଣ ଡିସିି, ୭ ଜଣ ଅତିରିକ୍ତ ଡିସିପି, ୩୨ ଜଣ ଏସିପି, ୪୫ ଜଣ ଇନ୍ସପେକ୍ଟର, ୧୧୩ ଜଣ ଟ୍ରାଫିକ୍‌ ପୋଲିସ, ୨୭୦ ଜଣ ସବ୍‌ଇନ୍ସପେକ୍ଟର ଓ ଏଏସ୍‌ଆଇ, ୪୩ ଜଣ ମହିଳା କନେଷ୍ଟବଳ ନିୟୋଜତ ରହିବେ । ଷ୍ଟାଡିୟମ୍‌ ଭିତରକୁ ଶୃଙ୍ଖଳିତ ଭାବେ ଧାଡ଼ିରେ ପ୍ରବେଶ କରିବା ସହ ସାଙ୍ଗରେ ରୁମାଲ, ଗାମୁଛା ନେବା ସହିତ ଧଳା ଓ ହାଲକା ରଙ୍ଗର ଢିଲା ପୋଷାକ ପିନ୍ଧିବା ପାଇଁ ପରାମର୍ଶ ଦିଆଯାଇଛି । ପ୍ରଚୁର ପରିମାଣର ପାଣି ମଧ୍ୟ ପିଇକି ଆସିବାକୁ କୁହାଯାଇଛି । ଏଥିସହ କୌଣସି ପ୍ରକାରର ନିଶାଦ୍ରବ୍ୟ ସେବନ ନ କରିବାକୁ କମିଶନରେଟ୍‌ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି । ଅନ୍ୟପକ୍ଷରେ ଦର୍ଶକମାନଙ୍କ ପାଇଁ କେତେକ ନିୟମ ପ୍ରଣୟନ କରାଯାଇଛି ।

ଏନେଇ କଟକ ଡିସିି ପୀନାକ ମିଶ୍ର କହିଛନ୍ତି ଯେ, ରବିବାର ଅପରାହ୍ଣ ୩ଟାରୁ ଷ୍ଟାଡିୟମ୍‌ର ପ୍ରବେଶ ଗେଟ୍‌ ଖୋଲାଯିବ । ଟିକେଟ୍‌ରେ ସ୍ପଷ୍ଟ ଭାବେ ଗେଟ୍‌ ନଂ ଉଲ୍ଲେଖ କରାଯାଇଛି । ତେଣୁ ଦର୍ଶକମାନେ ଅଯଥା ଭିଡ଼ ନକରି ନିଜ ଟିକେଟ୍‌ରେ ଉଲ୍ଲେଖଥିବା ଗେଟ୍‌ ଦେଇ ଭିତରକୁ ପ୍ରବେଶ କରିାରିବେ । ପ୍ରବେଶ ସମୟରେ କଡ଼ାକଡ଼ି ଭାବେ ଯାଞ୍ଚ କରାଯିବ । ଦର୍ଶକମାନେ ଷ୍ଟାଡିୟମ୍‌ ଭିତରକୁ ଖାଦ୍ୟ, ପାଣିବୋତଲ, ଲାଠି, ହେଲ୍‌ମେଟ୍‌, ଲାଇଟର, ଡିଆସିଲି, ଛୁରୀ ଓ ଖୁଚୁରା ପଇସା ନେଇପାରିବେ ନାହିଁ । କେବଳ ମୋବାଇଲ ଓ ଚଷମାକୁ ଅନୁମତି ଦିଆଯିବ । ଷ୍ଟାଡିୟମ୍‌ ଭିତରେ ଓସିଏ ପକ୍ଷରୁ ଖାଦ୍ୟ ଓ ପାନୀୟଜଳର ବ୍ୟବସ୍ଥା କରାଯାଇଛି । ଯେଉଁବାଟ ଦେଇ ଦର୍ଶକ ପ୍ରବେଶ କରିବେ ସେଠାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମ୍ୟାଚ୍‌ ନିମନ୍ତେ ମୁଖ୍ୟତଃ ୨ଟି ରୁଟ୍‌ ଦେଇ ଅଧିକ ସଂଖ୍ୟକ ଦର୍ଶକ ଆସିବେ ବୋଲି ଆକଳନ କରାଯାଇଛି ।

ଭୁବନେଶ୍ୱର- କଟକ ଜାତୀୟ ରାଜପଥର ଶିଖରପୁର ନିକଟରୁ ବାରବାଟୀ ପର୍ଯ୍ୟନ୍ତ ଏବଂ ତ୍ରିଶୁଳିଆ ଦେଇ ବାରବାଟୀ ଯାଏଁ ବହୁ ଦର୍ଶକ ଷ୍ଟାଡିୟମ୍‌କୁ ଆସିବେ ବୋଲି ଅନୁମାନ କରାଯାଉଛି । ଯେଉଁମାନେ ଭୁବନେଶ୍ୱରରୁ ଜାତୀୟ ରାଜପଥରେ ଆସି ଶିଖରପୁର ନିକଟରେ ଭାଙ୍ଗିବେ ସେମାନେ ଗୁରୁଦ୍ୱାରଯେ ଯୋବ୍ରା-ମାତାମଠ-ଗଡ଼ଗଡ଼ିଆ ମନ୍ଦିର-କାଠଡିପୋପେ ପୋଲିସକୋଠା ହୋଇ ଷ୍ଟାଡିୟମ୍‌ର ୧୪ ନଂ ଗେଟ୍‌ ନିକଟରେ ପହଞ୍ଚିବେ । ସେହିପରି ଯେଉଁମାନେ ତ୍ରିଶୁଳିଆ ଦେଇ ପ୍ରବେଶ କରିବେ ସେମାନେ ପଟିଆ ଛକ-ରଘୁନାଥପୁର-ବାରଙ୍ଗ- ତ୍ରିଶୁଳିଆ-ସତୀଚଉରା-ଚହଟା-କ୍ୟାଣ୍ଟନମେଣ୍ଟ-କାଠଡିପୋ ଦେଇ ୧୪ ନଂ ଗେଟ୍‌ରେ ପ୍ରବେଶ କରିବେ । ଦର୍ଶକଙ୍କ ଗାଡ଼ି ପାର୍କିଂ ନିମନ୍ତେ ବାଲିଯାତ୍ରାର ଉପର ଓ ତଳପଡ଼ିଆକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ କରାଯାଇଛି । ତଳ ବାଲିଯାତ୍ରା ପଡ଼ିଆରେ ସାଧାରଣ ଲୋକଙ୍କ ଗାଡ଼ି ରହିବ । ପାର୍କିଂରେ ଗାଡ଼ି ରଖୁଥିବା ବ୍ୟକ୍ତି ନିଜ ଦାୟିତ୍ୱରେ ହେଲ୍‌ମେଟ୍‌ ରଖିବେ ।

Get real time updates directly on you device, subscribe now.