fbpx

ବଡ଼ବିଲ୍ ଦେଶର ଦ୍ୱିତୀୟ ପ୍ରଦୂଷିତ ସହର, AQI ୩୦୦ ପାର୍‌, ରିପୋର୍ଟ ଜାରି କଲା କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼

ଭୁବନେଶ୍ୱର: ଦିନକୁ ଦିନ କଂକ୍ରିଟ ରାସ୍ତା ଜଙ୍ଗଲର ସ୍ଥାନ ନେବାରେ ଲାଗିଛି । ଫଳରେ ବାୟୁ ପ୍ରଦୂଷଣ ବୃଦ୍ଧି ପାଇବା ସହ ଋତୁଚକ୍ରରେ ପରିବର୍ତ୍ତନ ଦେଖାଯାଉଛି । ସହର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ଅନ୍ତର୍ଗତ ରାସ୍ତାଘାଟ ବର୍ତ୍ତମାନ ଗଛଶୂନ୍ୟ । ସହର ରାସ୍ତାଘାଟରୁ ଛାଇ ଏକ ପ୍ରକାର ହଜି ଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅନେକ ସ୍ଥାନରେ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଥିବାର ନଜିର ରହିଛି । ଏଥିମଧ୍ୟରେ ସବୁଜ ବନାନୀ ଭରା କେନ୍ଦୁଝର ଜିଲ୍ଲାର ବଡ଼ବିଲ୍ ଦେଶର ଦ୍ୱିତୀୟ ସବୁଠାରୁ ପ୍ରଦୂଷିତ ସହର ପାଲଟିଛି । ଏନେଇ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି ।

ସବୁଜ ବନାନୀ ଭରା କେନ୍ଦୁଝର ଜିଲ୍ଲା ଏବେ ପ୍ରଦୂଷିତ ହେବାରେ ଲାଗିଛି । ଖଣି ଖାଦାନ ଅଞ୍ଚଳ ଭାବେ ଜଣାଶୁଣା ଜିଲ୍ଲାର ବଡ଼ବିଲ୍ ଦେଶର ଦ୍ୱିତୀୟ ପ୍ରଦୂଷିତ ସହର ପାଲଟିଛି । ଏହି ସହରରେ ବାୟୁ ମାନ ସୂଚକାଙ୍କ(AQI) ୩୦୧ରେ ପହଞ୍ଚିଛି ଯାହାକି ଅତି ଖରାପ । ତେବେ AQIର ମାନଦଣ୍ଡ ୦-୫୦୦ ମଧ୍ୟରେ ରହିଛି । AQI ୫୦ କିମ୍ବା ତା’ ତଳେ ରହିଲେ ବାୟୁର ମାନ ଉତ୍ତମ ଏବଂ AQI ୩୦୦ ଉପରେ ରହିଲେ ଏହା ବିପଜ୍ଜନକ ବୋଲି ବିବେଚିତ କରାଯାଇଛି । ତେବେ ଦେଶରେ ବାୟୁ ପ୍ରଦୂଷିତ ସହର ଭାବେ ଶୀର୍ଷରେ ରହିଛି ମେଘାଳୟର ବିନିହାଟ୍ । କେବଳ ବଡ଼ବିଲ୍ ନୁହେଁ କେନ୍ଦୁଝର ଜିଲ୍ଲାର ଛୁମ୍ପୁରା ନିକଟସ୍ଥ ନୟାଗଡ଼ର ବାୟୁ ମଧ୍ୟ ପ୍ରଦୂଷିତ ହେବାରେ ଲାଗିଛି । ଏହି କ୍ରମରେ ବାରିପଦା ମଧ୍ୟ ସାମିଲ ରହିଛି । ଏଠାରେ AQI୨୬୯ରେ ପହଞ୍ଚିଛି । ଏଥିମଧ୍ୟରେ ଆଶ୍ୱସ୍ତିକର ବିଷୟ ହେଉଛି କଟକ ସହରର ବାୟୁ ପ୍ରଦୂଷଣ ସ୍ତରରେ ହଠାତ ହ୍ରାସ ପରିଲିଖିତ ହୋଇଛି । ଅନୁଗୁଳ, ବାଲେଶ୍ୱର, ରାଉଲକେଲା, କେନ୍ଦୁଝର, ତାଳଚେର ଏବଂ ଭୁବନେଶ୍ୱର ସହରଗୁଡ଼ିକରେ ବାୟୁ ପ୍ରଦୂଷଣ ମଧ୍ୟମ ଧରଣର ରହିଛି । ଗ୍ରୀଷ୍ମ ପ୍ରବାହ ବୃଦ୍ଧି ହେବା ସହ ବାୟୁମଣ୍ଡଳରେ ଧୂଳିକଣାର ଆସ୍ତରଣ ଯୋଗୁଁ ଲୋକମାନେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ବର୍ତ୍ତମାନ ଓଡ଼ିଶାରେ ପ୍ରଦୂଷିତ ହୋଇଥିବା ସହରଗୁଡ଼ିକର ସ୍ଥିତି ଅନୁଧ୍ୟାନ କଲେ ବାୟୁମଣ୍ଡଳରେ ଛୋଟ ଧୂଳିକଣାର ମାତ୍ରା ସବୁଠାରୁ ଅଧିକ ରହିଛି । ଏଥିପାଇଁ ସହରର ବାୟୁ ପୁଣି ଥରେ ଅସ୍ୱାସ୍ଥ୍ୟକର ହୋଇ ପଡ଼ିଥିବା ନେଇ ବିଶେଷମାନେ ମତ ପ୍ରକାଶ କରିଛନ୍ତି । ଅନ୍ୟପଟେ ଦେଶର ସର୍ବାଧିକ ପ୍ରଦୂଷିତ ସହର ଦିଲ୍ଲୀକୁ ପଛରେ ପକାଇଛି ଓଡ଼ିଶାର ବଡ଼ବିଲ ଓ ଅନ୍ୟ ସହର ।

Get real time updates directly on you device, subscribe now.