fbpx

ବାର୍ବୋରା କ୍ରେଜିକୋଭା ୱିମ୍ବଲଡନ୍ ୨୦୨୪ ଚାମ୍ପିୟନ: ଫାଇନାଲରେ ହାରିଲେ ଜସ୍ମିନ ପାଓଲିନି

ନୂଆଦିଲ୍ଲୀ: ଚେକ୍ ଗଣରାଜ୍ୟର ମହିଳା ଟେନିସ ଷ୍ଟାର ବାର୍ବୋରା କ୍ରେଜିକୋଭା ୱିମ୍ବଲଡନ୍ ୨୦୨୪ରେ ଚାମ୍ପିୟନ ହୋଇଛନ୍ତି । କ୍ରେଜିକୋଭା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଇଟାଲିର ଜସ୍ମିନ ପାଓଲିନିଙ୍କୁ ୬-୨, ୨-୬, ୬-୪ ସେଟରେ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି । ୨୮ ବର୍ଷୀୟା କ୍ରେଜିକୋଭା ପ୍ରଥମ ଥର ମହିଳା ବର୍ଗରେ ୱିମ୍ବଲଡନ୍ ଟାଇଟଲ ଜିତିଥିବା ବେଳେ ଏହା ତାଙ୍କ କ୍ୟାରିୟରର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ୍ ଟାଇଟଲ । ଏହା ପୂର୍ବରୁ ୨୦୨୧ରେ ସେ ଫ୍ରେଞ୍ଚ ଓପନରେ ଚାମ୍ପିୟନ ହୋଇ ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟାଇଟଲ ଜିତିଥିଲେ ।

ବିଶ୍ୱ ରାଙ୍କିଂରେ ସପ୍ତମ ମାନ୍ୟତା ପ୍ରାପ୍ତ ଖେଳାଳି ପାଇଲିନି ଓ ୩୧ତମ ମାନ୍ୟତା ପ୍ରାପ୍ତ କ୍ରେଜିକୋଭାଙ୍କ ମଧ୍ୟରେ ଗତକାଲି ଖେଳାଯାଇଥିବା ଏହି ମୁକାବିଲା ବେଶ୍ ରୋମାଞ୍ଚକର ରହିଥିଲା । ପ୍ରଥମ ସେଟରେ କ୍ରେଜିକୋଭା ସହଜରେ ବିଜୟୀ ହେବା ସହ ଆଗୁଆ ରହିଥିଲେ । ମାତ୍ର ଦ୍ୱିତୀୟ ସେଟରେ ସମାନ ବ୍ୟବଧାନରେ ପାଓଲିନି ବିଜୟୀ ହେବା ସହ କଡ଼ା ଟକ୍କର ଦେଇଥିଲେ । ତେବେ ଫାଇନାଲ ତଥା ତୃତୀୟ ରାଉଣ୍ଡରେ କ୍ରେଜିଭୋଭା ବାଜି ମାରିବା ସହିତ ଟାଇଟଲ ହାସଲ କରିଥିଲେ ।

ଏହି ଟାଇଟଲ ବିଜୟୀ ହେବା ପରେ କ୍ରେଜିକୋଭା ଖୁସି ଜାହିର କରିବା ସହ ନିଜର ପ୍ରଦର୍ଶନକୁ ନେଇ ସନ୍ତୋଷ ପ୍ରକଟ କରିଛନ୍ତି । ଅନ୍ୟପକ୍ଷରେ ଫାଇନାଲରେ ପରାଜୟ ଫଳରେ ପାଇଲିନି ପ୍ରଥମ ଇଟାଲୀୟ ମହିଳା ଭାବେ ଗ୍ରାଣ୍ଡସ୍ଲାମ୍ ଟାଇଟଳ ବିଜୟୀରୁ ବଞ୍ଚିତ ହୋଇଛନ୍ତି । ସପ୍ତମ ସିଡ୍ ପାଇଲିନୀ କ୍ରମାଗତ ଦୁଇଟି ଗ୍ରାଣ୍ଡସ୍ଲାମ୍ ଟାଇଟଲ ଫାଇନାଲରେ ପରାସ୍ତ ହୋଇଛନ୍ତି । ଏହା ପୂର୍ବରୁ ସେ ଗତମାସରେ ଫ୍ରେଞ୍ଚ ଓପନ ଫାଇନାଲରେ ମଧ୍ୟ ପରାସ୍ତ ହୋଇଥିଲେ ।

Get real time updates directly on you device, subscribe now.