fbpx

ଭୁବନେଶ୍ୱରକୁ ଅଣାୟତ୍ତ କରିଦେଲାଣି ନିଶା: ରାଜଧାନୀରେ ୮ଟି ରାଜ୍ୟର ନିଶା ମାଫିଆ, ବଢ଼ୁଛି ବ୍ରାଉନସୁଗର, ହିରୋଇନ୍, ନିଶା ବଟିକା, ଗଞ୍ଜେଇ ଓ ଭାଙ୍ଗ କାରବାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ଦିନକୁ ଦିନ ବିକାଶ ଆଡ଼କୁ ଯେତିକି ଅଗ୍ରସର ହେଉଛି ସେହି ଅନୁପାତରେ ଏଠାରେ ରାଜ୍ୟ ବାହାରର ଅପରାଧୀମାନେ କାୟା ବିସ୍ତାର କରୁଛନ୍ତି । ଅନେକ ସମୟରେ ରାଜ୍ୟ ବାହାରର କୁଖ୍ୟାତ ଅପରାଧୀମାନେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଓ ଅନ୍ୟ ରାଜ୍ୟର ପୋଲିସ ଦ୍ୱାରା ଧରାପଡ଼ୁଛନ୍ତି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଓଡ଼ିଶାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ନିଆ)ର ଏକ ବ୍ରାଞ୍ଚ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ।

ତେବେ ରାଜଧାନୀର ଯୁବପୀଢ଼ି ଏବେ ନିଶା କବଳରେ ପଡ଼ି ଆଉ ମୁକୁଳି ପାରୁନାହାନ୍ତି । ଏଠାରେ ନିଶା କାରବାର ଏତେମାତ୍ରାରେ ବଢ଼ିଗଲାଣି ଯେ, ବାହାର ରାଜ୍ୟର ନିଶା ବେପାରୀମାନେ ଏଠାରେ ଆଡ୍ଡା ଜମାଇ ବସିଛନ୍ତି । ବ୍ରାଉନସୁଗର, କୋକେନ, ହିରୋଇନ, ନିଶା ବଟିକା ଓ ଇଞ୍ଜେକସନ ରାଜଧାନୀକୁ ଅନ୍ୟ ରାଜ୍ୟରୁ ସପ୍ଲାଏ ହେଉଛି । ସେହିପରି ରାଜ୍ୟରୁ ଅନ୍ୟ ରାଜ୍ୟକୁ ଗଞ୍ଜେଇ, ଭାଙ୍ଗ ପରି ନିଶାଦ୍ରବ୍ୟ ଚାଲାଣ କରାଯାଉଛି । ତେବେ କେବଳ ସହରରେ ନୁହେଁ, ରାଜ୍ୟର ଗ୍ରାମାଞ୍ଚଳମାନଙ୍କରେ ମଧ୍ୟ ଯୁବଗୋଷ୍ଠୀଙ୍କ ମଧ୍ୟରେ ଡ୍ରଗ୍ସ ନିଶା କ୍ୟାନସର ପରି ମାଡ଼ି ଚାଲିଛି ।

ତେବେ ଜଣାପଡ଼ିଛି, ରାଜଧାନୀରେ ୮ଟି ରାଜ୍ୟର ନିଶା ବେପାରୀଙ୍କ ସାମ୍ରାଜ୍ୟ ଗଢ଼ି ଉଠିଛି । ଗତ ଏକ ବର୍ଷ ମଧ୍ୟରେ ରାଜ୍ୟ ବାହାରର ୧୬ ଜଣ ନିଶା ମାଫିଆଙ୍କୁ ପୋଲିସ ଗିରଫ କରିଛି । ମଧ୍ୟପ୍ରଦେଶ, ଦିଲ୍ଲୀ, ବିହାର, ଆସାମ ଓ ମହାରାଷ୍ଟ୍ରର ମାଫିଆମାନେ ଓଡ଼ିଶାରେ ନିଜକୁ ସୁରକ୍ଷିତ ମଣୁଛନ୍ତି । ତେବେ ନିଶା କାରବାରର ଏହି ମାଷ୍ଟରମାଇଣ୍ଡଙ୍କର ନେଟୱାର୍କ ଏତେ ଲମ୍ବା ଯେ ପୋଲିସ ସେମାନଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ସେମାନେ ଛୁ ମାରିବାରେ ସକ୍ଷମ ହେଉଛନ୍ତି । କିଛି ପୋଲିସ ଅଧିକାରୀ ମଧ୍ୟ ସେମାନଙ୍କ ସହ ସଂପର୍କରେ ରହିଥିବା କୁହାଯାଉଛି । ତେଣୁ ଏନେଇ ଆଗକୁ ଆଗକୁ ସଚେତନ ନହେଲେ ଆଗକୁ ପରିସ୍ଥିତି ଭୟଙ୍କର ହେବ ଏଥିରେ ସନ୍ଦେହ ନାହିଁ ।

Get real time updates directly on you device, subscribe now.