BCCI କଲା ବଡ଼ ଘୋଷଣା: ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଲାଗୁ ହେବ ନାହିଁ ଇମ୍ପ୍ୟାକ୍ଟ ପ୍ଲେୟାର ନିୟମ

ନୂଆଦିଲ୍ଲୀ: ସୟଦ ମୁସ୍ତାକ ଅଲୀ ଟ୍ରଫି ପୂର୍ବରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏକ ବଡ଼ ଘୋଷଣା କରିଛି । ସୟଦ ମୁସ୍ତାକ ଅଲୀ ଟ୍ରଫି ଟ୍ରଫି ଆରମ୍ଭ ହେବା ପୂର୍ବରୁ ବିସିସିଆଇ ଏହା ସ୍ପଷ୍ଟ କରିଛି ଯେ, ଏହି ଘରୋଇ ଟି-୨୦ ଟୁର୍ଣ୍ଣାମେଣ୍ଟରେ ଇମ୍ପ୍ୟାକ୍ଟ ପ୍ଲେୟାର ନିୟମ ଲାଗୁ ହେବ ନାହିଁ । ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର କିଛି ସିଜିରେ ବିସିସିଆଇ ଇମ୍ପ୍ୟାକ୍ଟ ପ୍ଲେୟାର ନିୟମ ଲାଗୁ କରିଥିବା ବେଳେ ଘରୋଇ ଟି-୨୦ ଟୁର୍ଣ୍ଣାମେଣ୍ଟରେ ଏହାକୁ ଲାଗୁ କରିବା ସପକ୍ଷରେ ନାହିଁ । ନଭେମ୍ବର ୨୩ରୁ ସୟଦ ମୁସ୍ତାକ ଅଲୀ ଟ୍ରଫି ଆରମ୍ଭ ହେବାକୁ ଯାଉଥିବା ବେଳେ ତାହା ଡିସେମ୍ବର ୧୫ ପର୍ଯ୍ୟନ୍ତ ଖେଳାଯିବ ।

ସୂଚନାଯୋଗ୍ୟ ଯେ, ଇମ୍ପ୍ୟାକ୍ଟ ପ୍ଲେୟାର ନିୟମର ଆରମ୍ଭ ସୟଦ ମୁସ୍ତାକ ଅଲୀ ଟ୍ରଫିରୁ ହିଁ ହୋଇଥିଲା । ଏହାପରେ ଆଇପିଏଲ ୨୦୨୩ରେ ଏହାର ଏଣ୍ଟ୍ରି ହୋଇଥିଲା । ଆଇପିଏଲ ୨୦୨୩ରେ ଇମ୍ପ୍ୟାକ୍ଟ ପ୍ଲେୟାରର ବ୍ୟବହାର ଚେନ୍ନାଇ ସୁପର କିଙ୍ଗ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ କରାଯାଇଥିଲା । ଆଜି ସନ୍ଧ୍ୟା ସମୟରେ ବିସିସିଆଇ ତରଫରୁ ଷ୍ଟେଟ ଆସୋସିଏସନକୁ ଏ ବାବଦରେ ଅଫିସିଆଲ ଭାବେ ଅବଗତ କରାଯାଇଛି । ଚଳିତ ସିଜିନରେ ଇମ୍ପ୍ୟାକ୍ଟ ପ୍ଲେୟାର ନିୟମ ଲାଗୁ ହେବ ନାହିଁ ବୋଲି ବିସିସିଆଇ ସ୍ପଷ୍ଟ କରିଛି । ତେବେ ଆଇପିଏଲର ଆଗାମୀ ସିଜିନ ପାଇଁ ଏହି ନିୟମକୁ କାଏମ୍ ରଖାଯିବ ବୋଲି ନିକଟରେ ବିସିସିଆଇ ଫ୍ରାଞ୍ଚାଇଜମାନଙ୍କୁ ସୂଚିତ କରିଥିଲା ।

Get real time updates directly on you device, subscribe now.