fbpx

ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଦଳ ଘୋଷଣା କଲା BCCI: ଅଜିଙ୍କ୍ୟା ରାହାଣେଙ୍କୁ ଗୁରୁଦାୟିତ୍ୱ

ନୂଆଦିଲ୍ଲୀ: ଜୁଲାଇ ୧୨ ତାରିଖରୁ ୱେଷ୍ଟଇଣ୍ଡିଜ ଗସ୍ତରେ ଯିବ ଟିମ ଇଣ୍ଡିଆ । ଏହି ଗସ୍ତର ଟେଷ୍ଟ ଏବଂ ଦିନିକିଆ ସିରିଜ ପାଇଁ ଭାରତୀୟ କ୍ରିକେଟ ବୋର୍ଡ ଦଳ ଘୋଷଣା କରିଛି । ଉଭୟ ସିରିଜରେ ଦଳର ନେତୃତ୍ୱ ପଦ ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ହାତରେ ରହିଛି । ତେବେ ଟେଷ୍ଟରେ ଟିମ ଇଣ୍ଡିଆ କମବ୍ୟାକ ହିରୋ ଆଜିଙ୍କ୍ୟା ରାହାଣେଙ୍କୁ ବଡ ଦାୟିତ୍ୱ ଦେଇଛି ବିସିସିଆଇ । ଏହା ବ୍ୟତୀତ ଏହି ଗସ୍ତରେ ଅନେକ ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି । ତେବେ ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚରେ ଖରାପ ପ୍ରଦର୍ଶନ ଯୋଗୁଁ ଦଳରେ ସ୍ଥାନ ହରାଇଛନ୍ତି ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ।

WTC ଫାଇନାଲରେ ପରାଜୟ ପରେ ପ୍ରଥମ ସିରିଜ ଖେଳିବାକୁ ୱେଷ୍ଟଇଣ୍ଡିଜ ଗସ୍ତରେ ଯିବ ଟିମ ଇଣ୍ଡିଆ । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ ୨୦୯ ରନର ଏକ ବଡ ବ୍ୟବଧାନରେ ପରାସ୍ତ କରି ଟାଇଟଲ ହାତେଇଥିବା ବେଳେ ଭାରତ ଦ୍ୱିତୀୟ ଥର ପାଇଁ ଚମ୍ପିଆନ ହେବାର ସୁଯୋଗ ହାତଛଡା କରିଛି । ତେଣୁ ଦଳକୁ ମଜବୁତ କରିବା ପାଇଁ ୱେଷ୍ଟଇଣ୍ଡିଜ ଗସ୍ତରେ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିଛି । ଯଶସ୍ୱୀ ଜଏସ୍ୱାଲ, ଇଶାନ କିଶାନ, ନବଦୀପ ସୈନୀ ଏବଂ ମୁକେଶ କୁମାର ଏହି ଟେଷ୍ଟ ସିରିଜରେ ଡେବ୍ୟୁ କରିପାରନ୍ତି । ସେହିପରି ଦିନିକିଆରେ ସଞ୍ଜୁ ସାମସନ କମବ୍ୟାକ କରୁଥିବା ବେଳେ ଋତୁରାଜ ଗାଏକ୍ୱାଡ, କୁଳଦୀପ ଯାଦବ, ୟୁଜବେନ୍ଦ୍ର ଚହଲ ଏବଂ ଜୟଦେବ ଉନାଦକଟଙ୍କୁ ମଧ୍ୟ କମବ୍ୟାକ କରୁଛନ୍ତି । ଏହାସହିତ ମୁକେଶ କୁମାର ଦଳରେ ଏଣ୍ଟ୍ରି ମାରିପାରନ୍ତି ।

ତେବେ ଟେଷ୍ଟ ଟିମରେ ନିଜ ସ୍ଥାନ ହରାଇଛନ୍ତି ଷ୍ଟାର ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା । ସେପଟେ ଆଇପିଏଲରେ ଧୂଆଁଧାର ବ୍ୟାଟିଂ ଯୋଗୁଁ ଭାରତୀୟ ଟିମକୁ ପ୍ରତ୍ୟାବର୍ତ୍ତନ କରୁଥିବା ଅଜିଙ୍କ୍ୟା ରାହାଣେ ନିଜ ସ୍ଥାନ ଫେରି ପାଇଛନ୍ତି । ପୁଣିଥରେ ବିସିସିଆଇ ତାଙ୍କୁ ଦଳର ଉପ-ଅଧିନାୟକ ଭାବରେ ଗୁରୁଦାୟିତ୍ୱ ହସ୍ତାନ୍ତର କରିଛି । ତେବେ ଦିନିକିଆ ଫର୍ମାଟରେ ତାଙ୍କୁ ସୁଯୋଗ ଦିଆଯାଇ ନାହିଁ । ତେଣୁ ତାଙ୍କ ସ୍ଥାନରେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଉପ-ଅଧିନାୟକ ଭାବରେ ଦଳରେ ସାମିଲ ହୋଇଛନ୍ତି ।

ୱେଷ୍ଟଇଣ୍ଡିଜ ପାଇଁ ଭାରତର ଟେଷ୍ଟ ଦଳ: ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ, ଋତୁରାଜ ଗାଏକ୍ୱାଡ, ବିରାଟ କୋହଲି, ଯଶସ୍ୱୀ ଜଏସ୍ୱାଲ, ଅଜିଙ୍କ୍ୟା ରାହାଣେ(ଉପ-ଅଧିନାୟକ), କେ.ଏସ ଭରତ, ଇଶାନ କିଶାନ, ଆର, ଅଶ୍ୱୀନ, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର, ଅକ୍ଷର ପଟେଲ, ମହମ୍ମଦ ସିରାଜ, ମୁକେଶ କୁମାର, ଜୟଦେବ ଉନଦକଟ ଏବଂ ନବଦୀପ ସୈନୀ

ୱେଷ୍ଟଇଣ୍ଡିଜ ପାଇଁ ଭାରତର ଦିନିକିଆ ଦଳ: ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ, ଋତୁରାଜ ଗାଏକ୍ୱାଡ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ, ଇଶାନ କିଶାନ, ହାର୍ଦ୍ଦିକ ପାଣ୍ଡ୍ୟା(ଉପ-ଅଧିନାୟକ), ଶାର୍ଦ୍ଦୁଳ ଠାକୁର, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ୟୁଜବେନ୍ଦ୍ର ଚହଲ, କୁଳଦୀପ ଯାଦବ, ଜୟଦେବ ଉନଦକଟ, ମହମ୍ମଦ ସିରାଜ, ଉମରାନ ମଲିକ ଏବଂ ମୁକେଶ କୁମାର ।

Get real time updates directly on you device, subscribe now.