ଟିମ ଇଣ୍ଡିଆ ଉପରେ ଟଙ୍କା ବର୍ଷା କଲା BCCI, ଚାମ୍ପିୟନଙ୍କୁ ମିଳିଲା କୋଟି କୋଟି ଟଙ୍କା ଉପହାର
BCCI ଚମ୍ପିଆନ୍ସ ଟ୍ରଫି 2025 ଟାଇଟଲ ଜିତିଥିବା ଭାରତୀୟ କ୍ରିକେଟ୍ ଦଳ ପାଇଁ ଏତିକି କୋଟି ଟଙ୍କାର ନଗଦ ପୁରସ୍କାର ରାଶି ଘୋଷଣା କରିଛି।
ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ବିଜୟୀ ହେବା ପରେ ଟିମ୍ ଇଣ୍ଡିଆ ପାଇଁ ନଗଦ ପୁରସ୍କାର ଘୋଷଣା କରିଛି BCCI।
ଏହି ଟଙ୍କା ଖେଳାଳିମାନଙ୍କ ସହ ପ୍ରଶିକ୍ଷକ ଏବଂ ସହାୟକ କର୍ମଚାରୀଙ୍କୁ ମଧ୍ୟ ପ୍ରଦାନ କରାଯିବ। ଗୁରୁବାର ଦିନ ସୋସିଆଲ ମିଡିଆ ମାଧ୍ୟମରେ ବିସିସିଆଇ ଏହି ସୂଚନା ଦେଇଛି।
ବିସିସିଆଇ ନିଜର ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ କହିଛି, “ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଟିମ୍ ଇଣ୍ଡିଆର ବିଜୟ ପାଇଁ ୫୮ କୋଟି ଟଙ୍କାର ନଗଦ ପୁରସ୍କାର ଘୋଷଣା କରିଛି।”
ପୁରସ୍କାର ରାଶି ଖେଳାଳିମାନଙ୍କ ସହ ପ୍ରଶିକ୍ଷକ ଏବଂ ସହାୟକ କର୍ମଚାରୀ, ଚୟନ କମିଟିର ସଦସ୍ୟମାନଙ୍କୁ ପ୍ରଦାନ କରାଯିବ।
ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ବିଜୟୀ ହୋଇଥିଲା। ବାଂଲାଦେଶ ବିପକ୍ଷରେ ୬ ୱିକେଟରେ ଦୃଢ଼ ବିଜୟ ସହ ଟିମ ଇଣ୍ଡିଆ ଅଭିଯାନ ଆରମ୍ଭ କରିଥିଲା । ଏହାପରେ ପାକିସ୍ତାନ ବିପକ୍ଷରେ ୬ ୱିକେଟରେ ବିଜୟ ହାସଲ କରିଥିଲା।
ନ୍ୟୁଜିଲାଣ୍ଡ ବିପକ୍ଷରେ ୪୪ ରନରେ ବିଜୟ ହାସଲ କରିଥିଲା ଟିମ ଇଣ୍ଡିଆ। ଶେଷରେ ଟିମ୍ ଇଣ୍ଡିଆ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ଚାରି ୱିକେଟରେ ପରାସ୍ତ କରିଥିଲା।
ଫାଇନାଲରେ ନ୍ୟୁଜିଲାଣ୍ଡକୁ ଧରାଶାୟୀ କରି ଚାମ୍ପିୟନ ହୋଇଥିଲା ଭାରତ । ଆଉ ଏବେ ଚାମ୍ପିୟନ ହେବାର ମଧୁର ଫଳ ପାଇଛନ୍ତି ଖେଳାଳି। ଦଳ ହାତେଇଛି ୫୮ କୋଟି।
ବିସିସିଆଇ ରୋହିତ ଶର୍ମା ଏବଂ ତାଙ୍କ ଦଳ ପାଇଁ ସେମାନଙ୍କର ଐତିହାସିକ ବିଜୟ ଏବଂ ଭାରତର ସପ୍ତମ ICC ଟାଇଟଲ ପାଇଁ ୫୮ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛି।
ଗତ ବର୍ଷ ଜୁନ୍ ମାସରେ, ଯେତେବେଳେ ଭାରତ ICC ପୁରୁଷ T20 ବିଶ୍ୱକପ୍ ଜିତିଥିଲା, BCCI ରୋହିତ ଶର୍ମାଙ୍କ ନେତୃତ୍ୱରେ ପୁଣି ଥରେ T20 ବିଶ୍ୱକପ୍ ବିଜୟୀ ଦଳ ପାଇଁ ପୁରସ୍କାର ରାଶି ଭାବରେ 125 କୋଟି ଟଙ୍କା ଘୋଷଣା କରିଥିଲା ବିସିସିଆଇ ।
ଟୁର୍ଣ୍ଣାମେଣ୍ଟର ରନର୍ସ-ଅପ୍ ହେବା ପରେ, ନ୍ୟୁଜିଲାଣ୍ଡକୁ $1.2 ନିୟୁତ (ପ୍ରାୟ 9.72 କୋଟି ଟଙ୍କା) ମିଳିଛି। ସେମିଫାଇନାଲିଷ୍ଟ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ପ୍ରତ୍ୟେକଙ୍କୁ $560,000 (4.86 କୋଟି ଟଙ୍କା) ମିଳିଛି।
ସେହିପରି, ପଞ୍ଚମ ଏବଂ ଷଷ୍ଠ ସ୍ଥାନ ହାସଲ କରିଥିବା ଆଫଗାନିସ୍ତାନ ଏବଂ ବାଂଲାଦେଶକୁ $350,000 (3.04 କୋଟି ଟଙ୍କା) ପୁରସ୍କାର ଦିଆଯାଇଛି। ସପ୍ତମ ଏବଂ ଅଷ୍ଟମ ସ୍ଥାନରେ ଥିବା ପାକିସ୍ତାନ ଏବଂ ଇଂଲଣ୍ଡ ପ୍ରତ୍ୟେକଙ୍କୁ $140,000 (1.21 କୋଟି ଟଙ୍କା) ପାଇଛନ୍ତି।