fbpx

IPL-2024; ICCର ଏହି ନିୟମକୁ ମାନିବନି BCCI: ଫିଲ୍ଡିଙ୍ଗ ଟିମକୁ ମିଳିବ ଫାଇଦା

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଆରମ୍ଭ ହେବ ଆଇପିଏଲ-୨୦୨୪ । ଚେନ୍ନାଇର ଏମ.ଏ ଚିଦାମ୍ବରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗସ ଏବଂ ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ ମଧ୍ୟରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଖେଳାଯିବ । ଏଥର ସିଜନରେ ଅନେକ ନୂଆ ଖେଳାଳି ପୁଣିଥରେ ନିଜ ପ୍ରତିଭା ଦେଖାଇବାର ସୁଯୋଗ ପାଇବେ । ତେବେ ଆଇପିଏଲ-୨୦୨୪ରେ କିଛିଟା ନିୟମରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିବ । କିନ୍ତୁ ଆଇସିସିର ୨ଟି ନୂଆ ନିୟମକୁ ଏହି ଟୁର୍ଣ୍ଣାମେଣ୍ଟରେ ଲାଗୁ ନ କରିବା ପାଇଁ ଘୋଷଣା କରିଛି ବିସିସିଆଇ ।

ଆଇପିଏଲର ୧୭ତମ ସଂସ୍କରଣରେ ଟ୍ରଫି ହାତେଇବା ପାଇଁ ୧୦ଟି ଟିମ୍ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ । ପ୍ରତ୍ୟେକ ବର୍ଷ ଆଇପିଏଲ ରୋମାଞ୍ଚରେ ଭରା ରହିଥାଏ । କିନ୍ତୁ ଚଳିତବର୍ଷ ପେସ୍ ବୋଲରଙ୍କ ପାଇଁ ଫାଇଦା ଦେବ ଦୁଇଟି ନିୟମ । ଏହି ଫର୍ମାଟରେ ଛୋଟ-ଛୋଟ ବାଉଣ୍ଡ୍ରୀ ଷ୍ଟାଡିୟମରେ ଖୁବ ମାଡ଼ ହୋଇଥାଏ । କିନ୍ତୁ ଏବେ ବୋଲରଙ୍କୁ ଆଉ ଏକ ଅସ୍ତ୍ର ମିଳିଯାଇଛି । ଚଳିତବର୍ଷ ଆଇପିଏଲରେ ବୋଲରଙ୍କୁ ଗୋଟିଏ ଓଭରରେ ୨ଟି ବାଉନ୍ସର ପକାଇବାକୁ ଅନୁମତି ଦେଇଛି କ୍ରିକେଟ ବୋର୍ଡ ।

ଘରୋଇ ଟୁର୍ଣ୍ଣାମେଣ୍ଟ, ସାୟଦ ମୁସ୍ତାକ ଅଲୀ ଟ୍ରଫିର ଗତ ସିଜନରେ ପ୍ରଥମ ଥର ପାଇଁ ଏହି ନିୟମ ଲାଗୁ ହୋଇଥିଲା । ଏହାପରେ ଏବେ ଆଇପିଏଲରେ ମଧ୍ୟ ଏହାକୁ ସାମିଲ କରାଯାଉଛି । ତେବେ ଦିନିକିଆ ଏବଂ ଟେଷ୍ଟ ମ୍ୟାଚରେ ଏହି ନିୟମ ରହିଛି । ତେଣୁ ବର୍ତ୍ତମାନ ଏହାକୁ ବୋର୍ଡ ଆଇପିଏଲ ଟି-୨୦ ଲିଗରେ ମଧ୍ୟ ନିୟମ ଲାଗୁ କରିବାକୁ ଯାଉଛି । ତେବେ ଏଥିରେ ସଫଳତା ମିଳିଲେ ଆଗାମୀ ଦିନରେ ଏହା ଅନ୍ତର୍ଜାତିୟ ମ୍ୟାଚରେ ମଧ୍ୟ ଦେଖିବାକୁ ମିଳିପାରେ ।

ତେବେ ଅନ୍ତର୍ଜାତୀୟ କ୍ରିକେଟରେ ଆଇସିସି କାର୍ୟ୍ୟକାରୀ କରିଥିବା ଦୁଇଟି ନିୟମକୁ ଭାରତୀୟ ବୋର୍ଡ କାର୍ୟ୍ୟକାରୀ କରିବ ନାହିଁ। ଏହି ନିୟମଗୁଡ଼ିକ ମଧ୍ୟରୁ ସମ୍ପୂର୍ଣ୍ଣ ନୂଆ ‘ଷ୍ଟପ୍ କ୍ଲକ୍’ ନିୟମ ମଧ୍ୟ ସାମିଲ ରହିଛି ଏହି ନିୟମ ଅନୁସାରେ, ଟି -୨୦ କ୍ରିକେଟରେ ଦୁଇ ଓଭର ମଧ୍ୟରେ ସମୟ କମ୍ କରି ହେବ । ଆଇସିସି ଏହାକୁ କାର୍ୟ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛି, ଯାହା ଅଧୀନରେ ଗୋଟିଏ ଓଭର ଶେଷ ହେବା ପରେ ପରବର୍ତ୍ତୀ ଓଭର ଆରମ୍ଭ କରିବାକୁ ଦଳକୁ ମାତ୍ର ୬୦ ସେକେଣ୍ଡ ସମୟ ଦିଆଯିବ। ତେବେ ପରବର୍ତ୍ତୀ ଓଭର ଆରମ୍ଭ କରିବା ପାଇଁ ୬୦ ସେକେଣ୍ଡରୁ ଅଧିକ ସମୟ ଲାଗିଲେ ଫିଲ୍ଡିଙ୍ଗ ଦଳକୁ ପେନାଲ୍ଟି ଲାଗୁ କରାଯିବ ।

ସେହିପରି ଦ୍ୱିତୀୟ ନିୟମରେ ଏକ ପୁରୁଣା ନିୟମକୁ ପରିବର୍ତ୍ତନ କରାଯାଇଛି । କୌଣସି ଷ୍ଟମ୍ପିଙ୍ଗ ପାଇଁ ଅପିଲ ହେଲେ, ଥାର୍ଡ ଅମ୍ପାୟାର କ୍ୟାଚର ସମ୍ଭାବନାକୁ ମଧ୍ୟ ଚେକ୍ କରିବା ପରେ ଷ୍ଟମ୍ପିଙ୍ଗକୁ ଚେକ୍ କରିଥାନ୍ତି । କିନ୍ତୁ ଟିମ୍ ଏହାର ଖରାପ ବ୍ୟବହାର କରୁଥିଲେ । ଏହାପରେ ଷ୍ଟମ୍ପିଙ୍ଗ ମାମଲାରେ କ୍ୟାଚ୍ ଚେକ୍ କରିବା ନିୟମ ଉପରେ ରୋକ ଲଗାଇଥିଲେ ଆଇସିସି । କିନ୍ତୁ ବିସିସିଆଇ ଏହି ନିୟମରେ ପରିବର୍ତ୍ତନ କରିନାହିଁ । ଏହାଦ୍ୱାରା ଫିଲ୍ଡିଂ ଟିମକୁ କ୍ଷତି ହୋଇପାରେ ବୋଲି କହିଛି ବିସିସିଆଇ । ତେଣୁ ଆଇପିଏଲରେ ଷ୍ଟମ୍ପିଙ୍ଗ ସହ କ୍ୟାଚ୍ ଚେକ୍ କରିବା ନିୟମକୁ ଜାରି ରଖିବାକୁ ନିଷ୍ପତ୍ତି ନେଇଛି ଭାରତୀୟ କ୍ରିକେଟ ବୋର୍ଡ ।

Get real time updates directly on you device, subscribe now.