fbpx

(Video) ସାବଧାନ୍! Linkରେ କ୍ଲିକ୍ କଲେ କଟିଯିବ ସବୁ ଟଙ୍କା: ‘ସୁଭଦ୍ରା’ ଉପରେ ସାଇବର ଲୁଟେରାଙ୍କ ନଜର

ଓଡ଼ିଶା ଭାସ୍କର: ଆସନ୍ତାକାଲି ସୁଭଦ୍ରା ଯୋଜନାରେ ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ପ୍ରଧାନମନ୍ତ୍ରୀ । ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିକୁ ଅପେକ୍ଷା କରି ରହିଛନ୍ତି ସମସ୍ତ ହିତାଧିକାରୀ ମହିଳା । କିନ୍ତୁ ଯୋଜନାରେ କିସ୍ତି ଦିଆଯିବା ପୂର୍ବରୁ ‘ସୁଭଦ୍ରା’ ପାଇଁ ରାଜ୍ୟରେ ମାତିିଲେଣି ସାଇବର ଲୁଟେରା । ହିତାଧିକାରୀଙ୍କ ମୋବାଇଲକୁ ଲିଙ୍କ୍ ପଠାଇବା ପରେ ଏଥିରେ କ୍ଲିକ କଲେ ଆକାଉଣ୍ଟରୁ କଟି ଯାଉଛି ସବୁତକ ଟଙ୍କା । ସୁଭଦ୍ରା ଯୋଜନା ନାଁରେ ହିତାଧିକାରୀଙ୍କ ମୋବାଇଲକୁ ଘନ ଘନ ଯାଉଛି ମେସେଜ ଯାଉଛି । ତେବେ ଏଭଳି କୌଣସି ମେସେଜରେ କିଛି ଲିଙ୍କରେ କ୍ଲିକ କରନ୍ତୁ ନାହିଁ । ନଚେତ୍ ଆପଣଙ୍କ ଆକାଉଣ୍ଟରୁ ସମସ୍ତ ଟଙ୍କା ଗାଏବ ହୋଇଯିବ ।

ସୁଭଦ୍ରା ଯୋଜନାକୁ ପାଇଁ ହିତାଧିକାରୀଙ୍କ ନିକଟକୁ ସରକାରଙ୍କ ତରଫରୁ କୌଣସି ଫୋନ୍ କଲ୍ କିମ୍ବା ମେସେଜ ପଠାଯାଏ ନାହିଁ । ଆବେଦନ ପରେ ସିଧା ଆପଣଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ପଠାଯିବ ବୋଲି କୁହାଯାଇଛି । ତେବେ ହିତାଧିକାରୀଙ୍କ ପାଖକୁ ଯଦି କୌଣସି ଫୋନ୍ କଲ କି ଲିଙ୍କ୍ ଆସୁଥାଏ, ତେବେ ଏହା ସାଇବର ଠକଙ୍କ କାମ ହୋଇପାରେ କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ଏଥିପାଇଁ ସତର୍କ ଓ ସାବଧାନ ରହିବା ସହ କୌଣସି ଲିଙ୍କରେ କ୍ଲିକ୍ ନ କରିବାକୁ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । କାହାକୁ ଆକାଉଣ୍ଟ ନମ୍ବର କିମ୍ବା ଏଟିଏମର ଡିଟେଲ୍ସ ଦିଅନ୍ତୁ ନାହିଁ । ଫର୍ମରେ ଆବେଦନ କରନ୍ତୁ, ଏହାସହ ଇ-କେୱାଇସି ଦିଅନ୍ତୁ, ନିଶ୍ଚିତ ଭାବେ ଆପଣଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ପଠାଯିବ ।

ଯେଉଁମାନଙ୍କ ଆକାଉଣ୍ଟକୁ ୧ ଟଙ୍କା ଯାଇଛି, ସେମାନଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ଯିବା ସୁନିଶ୍ଚିତ । ତେବେ ଯେଉଁମାନଙ୍କ ଆକାଉଣ୍ଟକୁ ଯାଇନାହିଁ, ସେମାନଙ୍କ ଆବେଦନ ବର୍ତ୍ତମାନ ସୁଦ୍ଧା ବିଚାରାଧୀନ ରହିଛି । ଆବେଦନ ଫର୍ମ ଯାଞ୍ଚ କରିବା ପରେ ଏହି ଯୋଜନା ଅଧୀନରେ ସେମାନଙ୍କ ଆକାଉଣ୍ଟକୁ ମଧ୍ୟ ୧ ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ଏହାବ୍ୟତୀତ ୧୭ ତାରିଖ ପରେ ସୁଭଦ୍ରା ପାଇଁ ଆବେଦନ କଲେ ମଧ୍ୟ ଯୋଜନାରେ ଟଙ୍କା ପାଇପାରିବେ ହିତାଧିକାରୀ ମହିଳା । ଆସନ୍ତାବର୍ଷ ମାର୍ଚ୍ଚ ୮ ତାରିଖ ସୁଦ୍ଧା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରହିଛି ।

Get real time updates directly on you device, subscribe now.