fbpx

ବର୍ଷା ଅଭାବରୁ ମରୁଡି ଆଶଙ୍କା: ଇନ୍ଦ୍ର ଦେବତାଙ୍କ କୃପା ଲାଭ ପାଇଁ ବେଙ୍ଗ-ବେଙ୍ଗୁଲୀଙ୍କ ନିଆରା ବାହାଘର କଲେ ଗ୍ରାମବାସୀ

ନବରଙ୍ଗପୁର (ଭାସ୍କର ନ୍ୟୁଜ୍‌): ସ୍ୱଳ୍ପ ବର୍ଷାକୁ ନେଇ ଚିନ୍ତାରେ ଚାଷୀ । ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ସମସ୍ତଙ୍କ ଚିନ୍ତା ବଢାଇଛି । ଚାଷୀମାନେ ଏଥିରେ ବିଶେଷ କରି କ୍ଷତି ସହୁଛନ୍ତି । ଏପଟେ ଧାନ ଜମିରେ ଚାଷୀ ରୁଆ କାର୍ଯ୍ୟ ସମ୍ପନ୍ନ କରିଥିବା ବେଳେ ବର୍ଷା ଅଭାବରୁ ଜମି ଫାଟି ଆଁ କଲାଣି । ଏଣୁ ଚାଷୀମାନେ ଚାତକ ଭଳି ବର୍ଷାକୁ ଅପେକ୍ଷା କରିଛନ୍ତି । ବର୍ଷା କରାଇବା ପାଇଁ ଆଦିବାସୀ ସେମାନଙ୍କ ପାରମ୍ପରିକ ନୀତି ଆପଣାଇଛନ୍ତି । ବେଙ୍ଗ ବେଙ୍ଗୁଲୀଙ୍କୁ ବାହା କରାଇଲେ ଇନ୍ଦ୍ର ଦେବତାଙ୍କ କୃପାରୁ ବର୍ଷା ହୁଏ ବୋଲି ଆଦିବାସୀ ସମ୍ପ୍ରଦାୟର ପରମ୍ପରା ରହିଛି । ନିଅଣ୍ଟିଆ ବର୍ଷା ହେଲେ ଗାଁର ମୁଖିଆ, ସିରା, ପୂଜାରୀମାନେ ବେଙ୍ଗ ବେଙ୍ଗୁଲୀ ବାହାଘର ପାଇଁ ନିଷ୍ପତ୍ତି ନେଇଥାନ୍ତି । ତିଥି ଅନୁଯାୟୀ ବାହାଘର ପାଇଁ ଗୋଟିଏ ଦିନ ସ୍ଥିର କରାଯାଇଥାଏ । ଏହି ପରମ୍ପରା ଅନୁସାରେ ବେଙ୍ଗ ବେଙ୍ଗୁଲୀଙ୍କ ବାହାଘର କରିଥିବା ଦେଖିବାକୁ ମିଳିଛି ।

ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍‌ ଅନ୍ତର୍ଗତ କର୍ମରି ଗ୍ରାମରେ । କର୍ମରି ଗ୍ରାମରେ ବେଙ୍ଗ ଭୀମା ଏବଂ ବେଙ୍ଗୁଲୀ ଭୀମାଣିଙ୍କ ଦୁଇଟି କାଠର ପ୍ରତିମୂର୍ତ୍ତି ନିର୍ମିତ କରାଯାଇଥିଲା । ସେହି ଦୁଇଟି ମୂର୍ତ୍ତିକୁ ଗୋବର ପ୍ରଲେପ ଦେଇ ଗାଁ ମୁଣ୍ଡରେ ରଖାଯାଇ ଥାଏ ଏବଂ ୯ଦିନ ତେଲ ହଳଦୀ ଲଗାଇ ଗାଧୁଆ କରାଯାଇ ବାହାଘର ପ୍ରକ୍ରିୟା ଆୟୋଜନ କରାଯାଏ । ଯେଉଁଭଳି ଝିଅ, ପୁଅଙ୍କ ବାହାଘର ହୋଇଥାଏ ଠିକ୍‌ ସେହି ରି ହିନ୍ଦୁ ରୀତିନୀତି ଅନୁଯାୟୀ ଭୀମା, ଭୀମାଣୀଙ୍କ ନିକଟରେ ବେଙ୍ଗ ବେଙ୍ଗୁଲୀଙ୍କ ବାହାଘର ହୋଇଥାଏ । ଗତ ୯ଦିନ ତଳେ ବେଙ୍ଗ ବେଙ୍ଗୁଲିଙ୍କ ବାହାଘର ପାଇଁ ଶୁଭ ପଡିଥିଲା ଓ  ସେମାନଙ୍କୁ ହଳଦୀ ଲଗାଇ ଗୋଟିଏ ମାଟି ହାଣ୍ଡିରେ ରଖି ବେଙ୍ଗ, ବରଯାତ୍ରୀ ସହ ବାଦ୍ୟ ବାଜାଣାରେ ନାଚି ନାଚି ବେଙ୍ଗୁଲୀ ଘରକୁ ଆସି ପହଞ୍ଚି ଥିଲେ । ପରମ୍ପରା ଅନୁଯାୟୀ ଅନ୍ୟ ଗୋତ୍ର ଓ ଅନ୍ୟ ଗାଁ ଲୋକ କନ୍ୟାପକ୍ଷ(ବେଙ୍ଗୁଲି) କାର୍ଯ୍ୟ ସମ୍ପାଦନ କରନ୍ତି ଓ ପୂଜାରୀ ସମ୍ପ୍ରଦାୟର ଲୋକ ବରପକ୍ଷ(ବେଙ୍ଗ) କାର୍ଯ୍ୟ ସମ୍ପାଦନ କରନ୍ତି । ସେଠାରେ ଦୁହେଁ ବାହା ହେବାପରେ ଭୋଜିଭାତ ବ୍ୟବସ୍ଥା ମଧ୍ୟ ହୋଇଥିଲା । ଶେଷରେ ନବ ବିବାହିତ ବେଙ୍ଗ ବେଙ୍ଗୁଲୀଙ୍କୁ ଏକ ପୋଖରୀରେ ନେଇ ଛାଡି ଦିଆଯାଇଥିଲା । ଏପରି କଲେ ବର୍ଷା ହେବ ବୋଲି ଆଦିବାସୀଙ୍କ ମଧ୍ୟରେ ବିଶ୍ୱାସ ରହିଛି । ଏହିଭଳି ପରମ୍ପରା ପୂର୍ବକାଳରୁ ଚାଲି ଆସିଛି ବୋଲି ଗ୍ରାମବାସୀ କୁହନ୍ତି ।

Get real time updates directly on you device, subscribe now.