fbpx

ବେଙ୍ଗାଲୁରୁରେ କରୋନା ସୁପର ସ୍ପ୍ରେଡର୍: କୁମ୍ଭମେଳା ଫେରନ୍ତା ୬୭ ବର୍ଷିୟ ମହିଳା କଲେ ୩୩ ଜଣଙ୍କୁୁ ସଂକ୍ରମିତ

ବେଙ୍ଗାଲୁରୁ, ୧୩/୦୫: ବର୍ତ୍ତମାନ ସମୟରେ ଦେଶ କରୋନା ମହାମାରୀ ସଙ୍କଟ ଦେଇ ଗତି କରୁଛି । କେନ୍ଦ୍ର ତଥା ରାଜ୍ୟ ସରକାର ବାରମ୍ବାର ସଚେତନ ରହିବାକୁ ଲୋକଙ୍କୁ ଅପିଲ୍ କରୁଛନ୍ତି । ହେଲେ କିଛି ଏପରି ଲୋକ ଅଛନ୍ତି ଯେଉଁ ମାନେ ନିଜେ ସଂକ୍ରମିତ ହେବା ସହ ଅନ୍ୟ ଲୋକମାନଙ୍କୁ ମଧ୍ୟ ସଂକ୍ରମିତ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଜଣେ ୬୭ ବର୍ଷିୟ ମହିଳା କୁମ୍ଭମେଳାରୁ ଫେରିଥିଲେ । ଏବେ ସେ କରୋନା ସୁପର ସ୍ପ୍ରେଡର୍ ହୋଇ ଯାଇଛନ୍ତି । ଏକାବେଳକେ ସେ ୩୩ଜଣ ଲୋକଙ୍କୁ ସଂକ୍ରମିତ କରିଛନ୍ତି । ଆଉ ସେହି ସଂକ୍ରମିତଙ୍କ ମଧ୍ୟରେ ତାଙ୍କର ବୋହୁ ସମେତ ୧୩ ଜଣ ମାନସିକ ରୋଗୀ ମଧ୍ୟ ରହିଛନ୍ତି ।

ସୁଚନା ଯେ, ଉକ୍ତ ୬୭ ବର୍ଷର ମହିଳାଙ୍କ ବୋହୁ ହେଉଛନ୍ତି ଜଣେ ମାନସିକ ରୋଗୀ ଡାକ୍ତର । ତାଙ୍କ ଅଧୀନରେ ୧୩ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି । କିଛି ଦିନ ତଳେ ତାଙ୍କ ଶାଶୁ କୁମ୍ଭମେଳାରୁ ଫେରି କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାପରେ ବୋହୁ ମଧ୍ୟ ନିଜର କରୋନା ପରୀକ୍ଷା କରାଇଥିଲେ । ଆଉ ତାଙ୍କର ବି ରିପୋର୍ଟ ପଜିଟିଭ୍ ଆସିଥିଲା । ଏହାପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଉକ୍ତ ୧୩ ଜଣ ମାନସିକ ରୋଗୀ ମଧ୍ୟ ସଂକ୍ରମିତ ହୋଇଯାଇଥିଲେ । ତେବେ କୁମ୍ଭମେଳାରୁ ଫେରିଥିବା ୧୮ଟି ପରିବାରର ସମସ୍ତ ସଦସ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ହେଲେ ସେମାନଙ୍କ ଠାରେ କୌଣସି ଲକ୍ଷଣ ଦେଖାଦେଇନଥିଲା । ବର୍ତ୍ତମାନ ଉକ୍ତ ମହିଳାଙ୍କ ସଂସ୍ପର୍ଶରେ ଆସିଥିବା ୩୩ ଜଣ ଏକ ଘରୋଇ ହସ୍ପିଟାଲରେ ଆଇସୋଲେସନ୍ ରେ ରହିଛନ୍ତି । ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କହିବାନୁସାରେ, ସେମାନଙ୍କ ମଧ୍ୟରୁ ପ୍ରାୟତଃ ସଂକ୍ରମିତଙ୍କ ଠାରେ କରୋନାର ଲକ୍ଷଣ ନାହିଁ । ଆଉ ଯାହା ବି ଲକ୍ଷଣ ରହିଛି ତାହା ସ୍ୱଳ୍ପ ମାତ୍ରାରେ ରହିଛି ।

ଅନ୍ୟପକ୍ଷରେ ଉକ୍ତ ୧୮ ଜଣ ପରିବାର ଯେଉଁ ଯେଉଁ ସ୍ଥାନକୁ ଯାଇଥିବେ ସେମାନଙ୍କ ସଂସ୍ପର୍ଶରେ ଆସି ଆହୁରି ଲୋକ ସଂକ୍ରମିତ ହୋଇଥିବେ ବୋଲି ଆଶଙ୍କା କରାଯାଉଛି । ତେବେ କୁମ୍ଭମେଳାରେ ଶତାଧିକ ଲୋକଙ୍କୁ ଏକାଠି ହେବାର ଦେଖିବାକୁ ମିଳିଥିଲା । ତେଣୁ ସରକାରଙ୍କ ପକ୍ଷରୁ ସମସ୍ତ କୁମ୍ଭମେଳା ଫେରନ୍ତାଙ୍କ କୋଭିଡ୍ ପରୀକ୍ଷା ଏବଂ ଆଇସୋଲେସନକୁ ବାଧ୍ୟତାମୁଳକ କରାଯାଇଥିଲା । ଯାହାଫଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଯାଇଥିଲା । ଆଉ ଆଜିକା ସମୟରେ ଲକ୍ଷ ଲକ୍ଷ ଆକ୍ରାନ୍ତ ପ୍ରତିଦିନ ଚିହ୍ନଟ ହେଉଛନ୍ତି ।

Get real time updates directly on you device, subscribe now.