(Video) ବେଙ୍ଗାଲୁରୁରେ ଟ୍ରାଫିକ୍ ଜାମ୍ ଅସମ୍ଭାଳ! ୨ କିମି ରାସ୍ତା ଯିବାକୁ ଲାଗିଲା ୩ ଘଣ୍ଟା, ଲୋକମାନେ କାର ଛାଡ଼ି ଚାଲିଚାଲି ଘରକୁ ଗଲେ

ନୂଆଦିଲ୍ଲୀ: ଆପଣମାନେ କୌଣସି ଜରୁରୀ କାମରେ ଗାଡ଼ିରେ ଯାଉଥିବା ସମୟରେ ଯଦି ଦୁର୍ଭାଗ୍ୟବଶତଃ ଟ୍ରାଫିକ୍ ଜାମ୍ ହୁଏ, ତେବେ କଥା ସରିଲା । ଆପଣମାନେ ଯେତେ ପ୍ରୟାସ କଲେ ବି ଟ୍ରାଫିକ୍ ସମସ୍ୟାରୁ ମୁକୁଳି ପାରିବେ ନାହିଁ । ତେଣୁ ଟ୍ରାଫିକ ଜାମକୁ ହାଲୁକା ଭାବେ ନେବା ଅନୁଚିତ । ଅନେକ ସମୟରେ ରାସ୍ତାରେ ପ୍ରବଳ ଭିଡ଼ କାରଣରୁ ଗର୍ଭବତୀ କିଛି ଗର୍ଭବତୀ ମହିଳା ଅକାଳରେ ପ୍ରାଣ ହରାଇଥିବାର ଉଦାହରଣ ମଧ୍ୟ ଅତୀତରେ ଦେଖିବାକୁ ମିଳିଛି । ତେବେ ଏହା ମଧ୍ୟରେ ପୁଣି ଥରେ ବେଙ୍ଗାଲୁରୁର ଟ୍ରାଫିକ ସମସ୍ୟାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି ।

ବେଙ୍ଗାଲୁରୁରେ ଟ୍ରାଫିକ୍ ସମସ୍ୟା ଏକ ନୂଆ କଥା ନୁହେଁ, ଅତୀତରେ ଏଭଳି ଅନେକ ଘଟଣା ସାମ୍ନାକୁ ଆସିଥିଲା । ତେବେ ଏହା ମଧ୍ୟରେ ବେଙ୍ଗାଲୁରୁର ଟ୍ରାଫିକ ସମସ୍ୟାକୁ ନେଇ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଅସମ୍ଭାଳ ଭିଡ଼ କାରଣରୁ ଲୋକମାନେ କାରରେ ଆଗକୁ ଯାଇ ନପାରିବା ଫଳରେ କିଛି ଲୋକ ପାଦରେ ଚାଲିଚାଲି ଘରକୁ ଯାଉଥିବା ଦେଖାଯାଇଥିଲା । ଲୋକମାନେ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଫ୍ଲାଏଓଭର ଜାମରେ ଫସି ରହିଥିଲେ । ଦୁଇ କିମି ରାସ୍ତା ଅତିକ୍ରମ କରିବାକୁ ଲୋକଙ୍କୁ ପାଖାପାଖି ଅଢ଼େଇରୁ ତିନି ଘଣ୍ଟା ସମୟ ଲାଗୁଥିଲା । ସଡ଼କରେ ଗାଡ଼ି ପଛକୁ ପଛ ଲମ୍ବି ରହିଥିଲା ।

ଏଭଳି ସ୍ଥିତିରେ ଯଦି କୌଣସି ମେଡିକାଲ ଏଭର୍ଜେନ୍ସି ହୋଇଥାନ୍ତା ତେବେ ଠିକ୍ ସମୟରେ ହସ୍ପିଟାଲରେ ପହଞ୍ଚିବା ଅସମ୍ଭବ ହୋଇ ପଡ଼ିଥାନ୍ତା । ଲୋକମାନେ ଟ୍ରାଫିକ ଜାମର ଭିଡିଓ ରେକର୍ଡ କରି ତାହାକୁ ସୋସିଆଲ ମିଡ଼ିଆରେ ଶେୟାର କରୁଥିବା ଦେଖାଯାଇଥିଲା । ବେଙ୍ଗାଲୁରୁରେ ମୂଷଳଧାରାରେ ବର୍ଷା କାରଣରୁ ଲୋକଙ୍କୁ ପ୍ରବଳ ଟ୍ରାଫିକ୍ ଜାମ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା । ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବେଙ୍ଗାଲୁରୁ ପୋଲିସ ଫ୍ଲାଏଓଭରରର ଏକ ଭାଗକୁ ବନ୍ଦ କରିଦେଇଥିବା ଭିଡିଓରୁ ଜଣାପଡ଼ିଥିଲା । ଏହି କାରଣରୁ ଲୋକମାନେ ନିଜ ନିଜ କାରର ଓହ୍ଲାଇ ପାଦରେ ଘରକୁ ଯିବାକୁ ବାଧ୍ୟ ହୋଇଥିଲେ । ଏହି ଦୃଶ୍ୟ ଦେଖିବା ପରେ ଅନେକ ଲୋକ ସରକାରଙ୍କ ଉପରେ କ୍ରୋଧ ପ୍ରକାଶ କରିଥିଲେ ।