ଟାଙ୍କିକୁ ଆସୁନି ତେଲ, କାଲିଠୁ ମିଳିବନି ପେଟ୍ରୋଲ: ଡ୍ରାଇଭର ଆନ୍ଦୋଳନ ପାଇଁ ତୈଳ ପରିବହନ ଠପ୍
ଶ୍ରମିକ ସଙ୍ଗଠନର ଭାରତ ବନ୍ଦ ଆନ୍ଦୋଳନ ଯୋଗୁଁ ବନ୍ଦ ରହିଛି ପଟ୍ରୋଲ ପମ୍ପ ।
ଭୁବନେଶ୍ବର: ଶ୍ରମିକ ସଙ୍ଗଠନର ଭାରତ ବନ୍ଦ ଆନ୍ଦୋଳନ ଯୋଗୁଁ ବନ୍ଦ ରହିଛି ପଟ୍ରୋଲ ପମ୍ପ । ପ୍ରାୟ ୧୨ଟା ଯାଏଁ ବନ୍ଦ ରହିବା ପରେ ପେଟ୍ରୋଲ ପମ୍ପ ଖୋଲିଥିଲେ ବି କାଲିଠାରୁ ତେଲ ସଙ୍କଟ ହେବା ସମ୍ଭାବନା ସୃଷ୍ଟି ହୋଇଛି । କାରଣ ଦୁଇଦିନ ହେଲା ଡ୍ରାଇଭର ମହାସଂଘର ଆନ୍ଦୋଳନ ଯୋଗୁଁ ତୈଳ ପରିବହନ ବନ୍ଦ ହୋଇଯାଇଛି ।
କାଲି କି ଆଜି ଟାଙ୍କିକୁ ଆସିନି ପେଟ୍ରୋଲ ଆଉ ଡିଜେଲ ଗାଡ଼ି । ଆଜି ଟାଙ୍କିକୁ ଗାଡ଼ି ନ ଆସିଲେ କାଲିଠୁ ତେଲର ଅଭାବ ଦେଖାଦେବା ଆଶଙ୍କା ସୃଷ୍ଟି ହୋଇଛି ।
ପାରାଦୀପ, ବାଲେଶ୍ବର, ଜଟଣୀ, ଝାରସୁଗୁଡ଼ା ତୈଳ ଡିପୋରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ପେଟ୍ରୋଲ ,ଡିଜେଲ ଯାଇଥାଏ । କିନ୍ତୁ ଏହି ସବୁ ଡିପୋରୁ ପରିବହନ କରୁଥିବା ତେଲ ଟ୍ୟାଙ୍କରର ଡ୍ରାଇଭରମାନେ ଧର୍ମଘଟରେ ଅଛନ୍ତି । ପାରାଦୀପରେ ତୈଳ ଟର୍ମିନାଲ ଓ ତୈଳ ରିଫାଇନାରି ଅଛି । ପାରାଦୀପର ୩ଟି ଡିପୋରୁ ତୈଳ ଯିବା ଆସିବା ଠପ୍ ହୋଇଯାଇଛି । ଆଉ ଧର୍ମଘଟ ଯୋଗୁଁ ରାସ୍ତାରେ ଶହ ଶହ ଗାଡ଼ି ଅଟକି ରହିଛି ।
ଝାରସୁଗୁଡ଼ା ଡିପୋରୁ ଗଡ଼ିନି ଗୋଟିଏ ବି ଟ୍ୟାଙ୍କର । ୬ ଦଫା ଦାବି ନେଇ ଡ୍ରାଇଭର ଦୁଇଦିନ ହେଲା ଆନ୍ଦୋଳନ କରୁଛନ୍ତି । ଆଲୋଚନା ପରେ ବି ଆନ୍ଦୋଳନରୁ ହଟୁନାହାନ୍ତି ଡ୍ରାଇଭର । ଆଉ ଏହାରି ମଝିରେ ପେଶି ହୋଇଛନ୍ତି ସାଧାରଣ ଜନତା । ଆଉ କାଲିଠାରୁ ତୈଳ ସଙ୍କଟ ଦେଖାଦେଲେ ଅତ୍ୟାବଶ୍ୟକ ସାମଗ୍ରୀ ଦର ବଢ଼ିବା ଆଶଙ୍କା ପ୍ରକାଶ ପାଇଛି ।