fbpx

ରାଜସ୍ଥାନ ରୟାଲ୍ସକୁ ବଡ଼ ଝଟ୍‌କା: IPL ଖେଳିବେନି ଅଷ୍ଟ୍ରେଲୀୟ ସ୍ପିନର ଆଡାମ ଜାମ୍ପା

ନୂଆଦିଲ୍ଲୀ: ଆସନ୍ତାକାଲିଠୁ ଅର୍ଥାତ ମାର୍ଚ୍ଚ ୨୨ରୁ ଆରମ୍ଭ ହେବ ଆଇପିଏଲ ମହାକୁମ୍ଭ। ହେଲେ ଏହାପୂର୍ବରୁ ଜଣଙ୍କ ପରେ ଜଣେ ଷ୍ଟାର ଖେଳାଳି ବ୍ୟକ୍ତିଗତ କାରଣ ଦର୍ଶାଇ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଉଛନ୍ତି। ପୂର୍ବରୁ ଏକାଧିକ ଖେଳାଳି ଆଇପିଏଲରୁ ଓହରି ଥିବା ବେଳେ ଏହି ତାଲିକାରେ ଏବେ ଆଡାମ ଜାମ୍ପା ଯୋଡ଼ି ହୋଇ ଯାଇଛନ୍ତି। କାରଣ ରାଜସ୍ଥାନ ରୟାଲ୍ସ ଦଳର ଷ୍ଟାର ଖେଳାଳି ଆଡାମ ଜାମ୍ପା ଆଇପିଏଲରୁ ଓହରି ଯାଇଛନ୍ତି। ତେବେ ବ୍ୟକ୍ତିଗତ କାରଣରୁ ଜାମ୍ପା ତାଙ୍କ ନାମ ପ୍ରତ୍ୟାହାର କରି ନେଇଥିବା ସୂଚନା ମିଳିଛି।

ସୂଚନା ଥାଉକି, ଆଇପିଏଲ ୨୦୨୪ରେ ରାଜସ୍ଥାନ ରୟାଲ୍ସର ପ୍ରଥମ ମ୍ୟାଚ ଲକ୍ଷ୍ନୌ ସୁପର ଜିଆଣ୍ଟସ ବିପକ୍ଷରେ ରହିଛି। ଏହି ମ୍ୟାଚ ୨୪ ମାର୍ଚ୍ଚରେ ଜୟପୁରରେ ଖେଳାଯିବ। ମାତ୍ର ଆଇପିଏଲ୍‌ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ରାଜସ୍ଥାନ ରୟାଲ୍ସକୁ ଅଷ୍ଟ୍ରେଲୀୟ ଖେଳାଳି ବା ସ୍ପିନର ଆଡାମ ଜାମ୍ପା ଏକ ବଡ଼ ଝଟ୍‌କା ଦେଇଛନ୍ତି। ରାଜସ୍ଥାନ ଦଳ ଆଡାମ ଜାମ୍ପାଙ୍କୁ ୧.୫୦ କୋଟିରେ କିଣିଥିଲା। ହେଲେ ବର୍ତ୍ତମାନ ସେ ବ୍ୟକ୍ତିଗତ କାରଣ ଦର୍ଶାଇ ଆଇପିଏଲ ଖେଳିବେ ନାହିଁ ବୋଲି ମନା କରିବାରୁ ଦଳରେ ତାଙ୍କ ସ୍ଥାନରେ କିଏ ଖେଳିବ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସେପଟେ ଜାମ୍ପାଙ୍କ ଅନୁପସ୍ଥିତି ରାଜସ୍ଥାନ ପାଇଁ କିଛି କ୍ଷତି ହୋଇପାରେ ବୋଲି କୁହାଯାଉଛି।

ଉଲ୍ଲେଖ ଥାଉକି, ଆଡାମ ଜାମ୍ପା ଦୀର୍ଘ ସମୟ ଧରି କ୍ରିକେଟ ଖେଳୁଥିଲେ। ସେ ବିଗ ବାସ ଲିଗ, ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ, ନ୍ୟୁଜିଲାଣ୍ଡ ଏବଂ ବିଶ୍ୱକପ ୨୦୨୩ ବିପକ୍ଷରେ ସିରିଜ ଖେଳିଥିଲେ। କିନ୍ତୁ ବର୍ତ୍ତମାନ ସେ ଆଇପିଏଲରୁ ଏକ ବିରତି ନେଇଛନ୍ତି।

 

Get real time updates directly on you device, subscribe now.