ବାରାଣସୀରେ ବିଜେପିକୁ ବଡ ଝଟକା, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଂସଦୀୟ କ୍ଷେତ୍ରରେ ରହିଲା ତୃତୀୟ ସ୍ଥାନରେ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବିଧାନସଭା ପରିଷଦ ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ବିଜେପି) ଅଧିକାଂଶ ଆସନରେ ବିଜୟ ହାସଲ କରିଛି। ମାତ୍ର ବିଜେପିର ଗଢ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସଦୀୟ କ୍ଷେତ୍ର ବାରାଣସୀରେ ବିଜେପିକୁ ବଡ ଝଟକା ଲାଗିଛି। ବାରାଣସୀରେ ବିଜେପିର ପ୍ରାର୍ଥୀ ତୃତୀୟ ସ୍ଥାନରେ ରହିଛନ୍ତି। ଏହି ଆସନରୁ ବୃଜେଶ ସିଂହଙ୍କ ପତ୍ନୀ ଅନ୍ନପୂର୍ଣ୍ଣା ସିଂହ ନିର୍ଣ୍ଣାୟକ ଅଗ୍ରଣୀ ହାସଲ କରିଛନ୍ତି।

ଅନ୍ନପୂର୍ଣ୍ଣା ସିଂହଙ୍କୁ ୨୦୫୮ ଭୋଟ୍ ମିଳିଥିବା ବେଳେ ସପା ପ୍ରାର୍ଥୀ ଉମେଶ ଯାଦବ ୧୭୧ ଭୋଟ୍ ସହ ଦ୍ଵିତୀୟ ଏବଂ ବିଜେପି ପ୍ରାର୍ଥୀ ଡ. ସୁଦାମା ପଟେଲ ୧୦୩ ଭୋଟ୍ ସହିତ ତୃତୀୟ ସ୍ଥାନରେ ରହିଛନ୍ତି। ୬୮ ଭୋଟ୍ ନାକଚ ହୋଇ ଯାଇଛି।

ବାରାଣସୀରୁ ବିଜେପି ପ୍ରାର୍ଥୀ ସୁଦାମା ପଟେଲଙ୍କୁ ପ୍ରଥମରୁ ହିଁ ପରାଜୟର ଆଶଙ୍କା ଥିଲା। ସେ ଗତରେ ଦିନରେ ମିଡିଆ ସହ ଆଲୋଚନା ବେଳେ କହିଥିଲେ, ପାର୍ଟିର ନେତା ତାଙ୍କୁ ସମର୍ଥନ କରୁ ନାହାନ୍ତି ଏବଂ ମାଫିଆ ବୃଜେଶ ସିଂଙ୍କ ପତ୍ନୀଙ୍କୁ ସମର୍ଥନ କରୁଛନ୍ତି। କିନ୍ତୁ ବାରାଣସୀ ଏମଏଲସି ସିଟରେ ବୃଜେଶ ସିଂହଙ୍କ ଦବଦବା ରହିଛି। ଗତ ଦୁଇ ଦଶନ୍ଧି ଧରି ବୃଜେଶ ସିଂହଙ୍କ ପରିବାରର କବଜା ରହିଛି। ସପାଠୁ ମଧ୍ୟ ପଛରେ ରହିବା ବିଜେପି ପାଇଁ ଝଟକା ସଦୃଶ ହୋଇଛି।