fbpx

ନୀରବ ମୋଦୀଙ୍କୁ ବଡ଼ ଝଟକା: ଲଣ୍ଡନରେ ଥିବା ବିଳାସପୂର୍ଣ୍ଣ ଫ୍ଲାଟ୍ ହେବ ବିକ୍ରି, ଜାଣନ୍ତୁ କେତେ ରହିଛି ମୂଲ୍ୟ

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(PNB) ଦୁର୍ନୀତିର ମାଷ୍ଟରମାଇଣ୍ଡ ନୀରବ ମୋଦୀଙ୍କୁ ଲାଗିଛି ବଡ଼ ଝଟକା । ବ୍ରିଟେନ୍ ସ୍ଥିତ ଲଣ୍ଡନ ହାଇକୋର୍ଟ ଅଭିଯୁକ୍ତ ନୀରବ ମୋଦୀଙ୍କ ଲଣ୍ଡନରେ ଥିବା ବିଳାସପୂର୍ଣ୍ଣ ଫ୍ଲାଟ୍ ବିକ୍ରି କରିବା ପାଇଁ ଅନୁମତି ଦେଇଛନ୍ତି । PNBର ଋଣ ଘୋଟାଲାର ଅଭିଯୁକ୍ତ ଏବଂ ହୀରା ବ୍ୟବସାୟୀ ନୀରବ ମୋଦୀଙ୍କ ଦ୍ୱାରା ବ୍ୟବହାର କରାଯାଉଥିବା ଏବଂ ଏକ ଟ୍ରଷ୍ଟର ମାଲିକାନା ଥିବା ଏହି ବିଳାସପୂର୍ଣ୍ଣ ଫ୍ଲାଟକୁ ବିକ୍ରି କରିବା ପାଇଁ ବୁଧବାର ଅନୁମତି ଦେଇଥିଲେ ଲଣ୍ଡନ ହାଇକୋର୍ଟ ।

ସୂଚନାରୁ ପ୍ରକାଶ ସେଣ୍ଟ୍ରାଲ ଲଣ୍ଡନ ମେରିଲବୋନ୍ ସ୍ଥିତ ଏହି ବିଳାସପୂର୍ଣ୍ଣ ବଙ୍ଗଳାରେ ନୀରବ ମୋଦୀ ତାଙ୍କ ପରିବାର ସହ ରହୁଥିଲେ । ଏହି ବଙ୍ଗଳା ପାଖାପାଖି ୫.୨୫ ମିଲିୟନ ବ୍ରିଟିଶ ପାଉଣ୍ଡରେ ବିକ୍ରି ହେବ । ଯାହା ଭାରତୀୟ ମୁଦ୍ରାରେ ୫୫ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ହେବ । ଏହା ଠାରୁ କମ୍ ମୂଲ୍ୟରେ ଏହି ବଙ୍ଗଳା ବିକ୍ରି ହୋଇପାରିବ ନାହିଁ । ଜଷ୍ଟିସ୍ ମାଷ୍ଟର ଜେମ୍ସ ବ୍ରାଇଟୱେଲ ଏହି ମାମଲାର ଶୁଣାଣି କରିଥିଲେ । ଦକ୍ଷିଣ ପୂର୍ବ ଲଣ୍ଡନର ଥେମସାଇଡ୍ ଜେଲରେ ବନ୍ଦୀ ଥିବା ୫୨ ବର୍ଷୀୟ ନୀରବ ମୋଦୀ ଅନଲାଇନ୍ ମାଧ୍ୟମରେ ଏହି ଶୁଣାଣିରେ ସାମିଲ ହୋଇଥିଲେ । ସେଣ୍ଟ୍ରାଲ ଲଣ୍ଡନ ସ୍ଥିତ ଫ୍ଲାଟକୁ ବିକ୍ରି କରିବା ପାଇଁ ଟ୍ରାଇଡେଣ୍ଟ ଟ୍ରଷ୍ଟ ପକ୍ଷରୁ ଦାବି କରାଯାଇଥିଲା । କୋର୍ଟ ତାଙ୍କ ଦାବିକୁ ଗ୍ରହଣ କରିଥିଲେ କିନ୍ତୁ ଫ୍ଲାଟ୍ ବିକ୍ରୟରୁ ମିଳୁଥିବା ଟଙ୍କାକୁ ବର୍ତ୍ତମାନ ଟ୍ରଷ୍ଟ ଦ୍ୱାରା ବ୍ୟବହାର କରାଯାଇପାରିବ ନାହିଁ । କୋର୍ଟରେ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ ନିଜ ପକ୍ଷ ଉପସ୍ଥାପନ କରି କହିଛି ଯେ ଫ୍ଲାଟ୍ ବିକ୍ରୟରୁ ପ୍ରାପ୍ତ ହୋଇଥିବା ସମସ୍ତ ଟଙ୍କା ଏକ ସୁରକ୍ଷିତ ଆକାଉଣ୍ଟରେ ରଖାଯିବ ଯେପର୍ଯ୍ୟନ୍ତ ଟ୍ରଷ୍ଟ ଦ୍ୱାରା ସମସ୍ତ ଫର୍ମାଲିଟି କ୍ଲିୟର ନ ହୋଇଛି ।

Get real time updates directly on you device, subscribe now.