fbpx

କ୍ରାଇମ୍ ସ୍ପଟରେ କ୍ରାଇମବ୍ରାଞ୍ଚର ଛାନଭିନ୍: ନବ ଦାସଙ୍କ ହତ୍ୟା ପଛରେ ବଡ଼ ଷଡ଼ଯନ୍ତ୍ର, SIT ତଦନ୍ତ ହେଉ-କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ନେଇ ଏବେ ସାରା ରାଜ୍ୟ ପଡ଼ୁଛି ଉଠୁଛି । ଜଣେ କର୍ତ୍ତବ୍ୟରତ ପୋଲିସ ଅଧିକାରୀ କାହିଁକି ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ହତ୍ୟା କଲେ ତା’ର ପ୍ରଶ୍ନ ଏବେ ବୁଢ଼ିଆଣୀ ସୂତା ପରି କାୟା ବିସ୍ତାର କରିବାରେ ଲାଗିଲାଣି । ହତ୍ୟାକାରୀ ଏଏସଆଇ ଗୋପାଳ ଦାସଙ୍କୁ ଏହା ମଧ୍ୟରେ ଚାକିରିରୁ ବହିଷ୍କୃତ କରାଯିବା ସହ ଜେଲକୁ ପଠାଇ ଦିଆଯାଇଛି । ଏହି ହତ୍ୟା ପଛର ସମସ୍ତ ରହସ୍ୟ ଖୋଲିବାକୁ କ୍ରାଇମବ୍ରାଞ୍ଚ ଗୋପାଳଙ୍କୁ ୭ ଦିନିଆ ରିମାଣ୍ଡରେ ଆଣିବ ।

ତେବେ ଏହି ପ୍ରସଙ୍ଗକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ଶାସକ ବିଜେଡି ଉପରେ ହମଲା ଆରମ୍ଭ କରିଦେଇଛନ୍ତି । ଏହି ହତ୍ୟା ପଛରେ ଟପ ଲେବଲରେ ଷଡ଼ଯନ୍ତ୍ର ହୋଇଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ଶ୍ରୀ ଦାସଙ୍କର ରାଜନୈତିକ ଓ ଆର୍ଥିକ ପତିଆରା ଥିବାରୁ ତାଙ୍କ ପଛରେ ଏକ ସାଙ୍ଘାତିକ ଷଡ଼ଯନ୍ତ୍ର ରଚାଯାଇଥିଲା । ଏହା ମଧ୍ୟରେ ୪୮ ଘଣ୍ଟା ପୂରି ଯାଇଥିଲେ ହେଁ ପୋଲିସ ଏହି ମାମଲାର ପ୍ରକୃତ କାରଣ ଖୋଜି ପାଇନାହିଁ । ଏହି ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହିଁକି ଚୁପ୍ ରହିଛନ୍ତି ବୋଲି ପ୍ରେସମିଟରେ କଂଗ୍ରେସ ପ୍ରଶ୍ନ କରିଛି ।

ଏହା ଏକ ମାମୁଲି ହତ୍ୟା ନୁହେଁ, ଏହା ଏକ ବଡ଼ ଷଡ଼ଯନ୍ତ୍ର । ତେଣୁ ଏହାର ଏସଆଇଟି ତଦନ୍ତ କରାଯାଉ । କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ଓ ମୁଖପାତ୍ର ସୁଦର୍ଶନ ଦାସ ଏକ ପ୍ରେସମିଟରେ ଏହି ବଡ଼ ଅଭିଯୋଗ ଆଣିଛନ୍ତି । ଅନ୍ୟକ୍ଷରେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପାଇଁ ଝାରସୁଗୁଡ଼ା ଜିଲ୍ଲା ଗାନ୍ଧିଛକ କ୍ରାଇମସ୍ପଟରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚିଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଅନୁଧ୍ୟାନ କରୁଛନ୍ତି । କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବ୍ରୋଥା ଗୁଳିକାଣ୍ଡ ଘଟଣାର ବିଭିନ୍ନ ଦିଗ ଉପରେ ଛାନଭିନ୍ କରୁଛନ୍ତି ।

Get real time updates directly on you device, subscribe now.