ପୁଣି ପାକିସ୍ତାନରେ ହେଲା ବଡ଼ ଧରଣର ବିସ୍ଫୋରଣ, ଚାଲିଗଲା ନିରୀହ ଛୁଆଙ୍କ ଜୀବନ

ପାକିସ୍ତାନରେ ବିସ୍ଫୋରଣ ହେବା କାରଣରୁ ୫ ଜଣ ଛୁଆଙ୍କର ଜୀବନ ଯିବା ସହ ୧୨ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ପାକିସ୍ତାନ: ପୁଣି ପାକିସ୍ତାନରେ ବିସ୍ଫୋରଣ।  ପାକିସ୍ତାନର ଅଶାନ୍ତ ଖାଇବର ପଖତୁନଖ୍ୱା ପ୍ରଦେଶରେ ଲକ୍କି ମାରଓ୍ୱାତ ଜିଲ୍ଲାରେ ଶନିବାର ଦିନ ଏକ ଭୟଙ୍କର ବିସ୍ଫୋରଣ ହୋଇଛି।

ଏହି ବିସ୍ଫୋରଣ ଏକ ପୁରୁଣା ମୋର୍ଟାର ସେଲରେ ହୋଇଥିଲା। ଏହି ଘଟଣାରେ ପାଞ୍ଚ ଜଣ ଛୋଟ ଛୁଆଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ଏନେଇ ସୂଚନା ଦେଇଛି ପାକିସ୍ତାନ ପୋଲିସ।

ବିସ୍ଫୋରଣ ହେବାର କାରଣ ହେଉଛି, କିଛି ପିଲା ପାହାଡ଼କୁ ଯାଇଥିବା ସମୟରେ ଏକ ଅଫୁଟା ମୋର୍ଟାର ସେଲ୍ ପାଇଥିଲେ। ଏବଂ ତାଙ୍କୁ ସାଙ୍ଗରେ ନେଇ ଗାଁକୁ ପଳାଇଆସିଥିଲେ।

ପୋଲିସର ସୂଚନା ଅନୁଯାୟୀ, ପିଲାମାନେ ଜାଣି ନ ଥିଲେ ଯେ ଏହା ଏକ ବୋମା ଏବଂ ଖେଳୁଥିବା ସମୟରେ ସେଲ୍ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣରେ ଘଟଣାସ୍ଥଳରେ ହିଁ ପାଞ୍ଚ ଜଣ ପିଲାଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ୧୨ ଜଣ ଆହତ ହୋଇଥିଲେ।

ବିସ୍ଫୋରକ ପରେ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତକ ଏବଂ ଆହତମାନଙ୍କୁ ନିକଟସ୍ଥ ସହର ଡାକ୍ତରଖାନାକୁ ନେଇଯାଇଥିଲେ। ହସ୍ପିଟାଲରେ ଡାକ୍ତରଙ୍କ କହିବା ଅନୁଯାୟୀ ଆହତ ପିଲାମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ଏହି ଦୁର୍ଘଟଣା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି।