fbpx

କଟକ ଏସସିବିରେ ବଡ଼ ତ୍ରୁଟି: କ୍ୟାନ୍ସର ନଥାଇ ଅଙ୍ଗ କାଟିଦେଲେ ଡାକ୍ତର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଡାକ୍ତରଙ୍କ ଭୁଲ ରିପୋର୍ଟ ରୋଗୀଙ୍କୁ ପଡ଼ିଲା ମହଙ୍ଗା । ଭୁଲ ରିପୋର୍ଟ ପାଇଁ ଅଙ୍ଗ ହରାଇଲେ ରୋଗୀ । ଘଟଣା ପରେ ଡାକ୍ତର କହିଛନ୍ତି, ଆଇ ଆମ ସରି, ଏହା ହ୍ୟୁମାନ ଏରର ।’ ଅନ୍ୟପଟେ ଅଙ୍ଗ କାଟିବା ପରେ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଛି । ଡାକ୍ତରଙ୍କ ଭୁଲ ପାଇଁ ପରିଣାମ ଭୋଗୁଛନ୍ତି ରୋଗୀ । ରୋଗୀ ଜଣକ ଏବେ ଉଠି ପାରୁନଥିବା ସହ କିଛି କାମ ମଧ୍ୟ କରିପାରୁ ନାହାନ୍ତି ।

ଏହାରି ମଧ୍ୟରେ ପ୍ରଶ୍ନ ଉଠୁଛି କି- ରୋଗୀଙ୍କ ଏଅବସ୍ଥା ପାଇଁ କିଏ ରହିବ ଉତ୍ତରଦାୟୀ? ଏହା କୌଣସି ଛୋଟ ମେଡିକାଲରେ ନୁହେଁ, ବରଂ କଟକ ବଡ଼ ମେଡିକାଲ ଏସସିବିରେ ଘଟିଛି । ଯେଉଁ ମେଡିକାଲକୁ ରାଜ୍ୟ ସରକାର ଏମ୍ସ+ ଭାବେ ଗଢ଼ି ତୋଳିବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ସେହି ଏସସିବି ମେଡିକାଲରେ ଏପରି ଘଟଣା ଘଟିବା ପରେ ଲୋକମାନେ ନିନ୍ଦା କରୁଛନ୍ତି ।

ତେବେ ଢେଙ୍କାନାଳ କାମାକ୍ଷନଗର ଅନନ୍ତପୁରର ପ୍ରତୀପ୍ତା ଶତପଥୀଙ୍କର ଏକ ମାଂସ ବଢ଼ିଥିଲା । ଗତବର୍ଷ ଅଗଷ୍ଟ ୬ ତାରିଖରେ ଏସସିବିର ସର୍ଜରୀ ବିଭାଗକୁ ଚିକିତ୍ସା ପାଇଁ ଯାଇଥିବା ବେଳେ ସେଠାରେ ତାଙ୍କର କ୍ୟାନ୍ସର ପରୀକ୍ଷା କରାଯାଇଥିଲା । ରିପୋର୍ଟ ନେଗେଟିଭ ଆସିବା ପରେ ଡାକ୍ତର ୨ ମାସ ମେଡିସିନ୍ ଖାଇବାକୁ ଦେଇଥିଲେ । ଅସ୍ତ୍ରୋପଚାର କରି ଶରୀରରେ ବଢ଼ିଥିବା ମାଂସକୁ ସମ୍ପୂର୍ଣ୍ଣ ହଟାଇବାକୁ ରୋଗୀ ପୁଣିଥରେ ବଡ଼ ମେଡିକାଲକୁ ଆସିଥିଲେ । ଡାକ୍ତର ଜାନୁଆରୀ ୨୬ ତାରିଖ ପରେ ଅସ୍ତ୍ରୋପଚାର କରିବାକୁ ସମୟ ଦେଇଥିଲେ । କିନ୍ତୁ ସେହି ସମୟରେ କରୋନାର ତୃତୀୟ ଲହର ଆରମ୍ଭ ହୋଇଥିଲା, ଯାହାଫଳରେ ଅସ୍ତ୍ରୋପଚାରକୁ ମାର୍ଚ୍ଚକୁ ଘୁଞ୍ଚାଇଦେଇଥିଲେ ଡାକ୍ତର । ଶେଷରେ ମାର୍ଚ୍ଚରେ ଅସ୍ତ୍ରୋପଚାର କରାଯାଇ ମାଂସକୁ ବାହାର କରିଦିଆଯାଇଥିଲା ।

ଅସ୍ତ୍ରୋପଚାର କରି ବାହାର କରାଯାଇଥିବା ମାଂସକୁ ପୁଣିଥରେ ବାୟୋକ୍ସି କରିବାକୁ ପଠାଯାଇଥିଲା । ଏପ୍ରିଲ ୬ ତାରିଖରେ ରିପୋର୍ଟ ଆସିଲା, ଯେଉଁଥିରେ କ୍ୟାନ୍ସର ପଜିଟିଭ ଥିବା ଉଲ୍ଲେଖ ରହିଥିଲା । କଟକ ସ୍ଥିତ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରକୁ ଚିକିତ୍ସା ପାଇଁ ଯାଇଥିଲେ ସଂପୃକ୍ତି ରୋଗୀ ଜଣକ । ଏସସିବି ଦେଇଥିବା ରିପୋର୍ଟକୁ ଆଧାର କରି ମେ ୧୩ ତାରିଖରେ ଡାକ୍ତର ପୁଣିଥରେ ତାଙ୍କର ଅସ୍ତ୍ରୋପଚାର କରିଥିଲେ । କିନ୍ତୁ ନମୁନାକୁ ପୁଣିଥରେ ଟେଷ୍ଟ କରିବାକୁ କୁହାଯାଇଥିବା ବେଳେ ଏସସିବି ନମୁନା ଦେବାକୁ ମନା କରିଥିଲା, ଯାହାକୁ ନେଇ ସନ୍ଦେହ ବଢ଼ିଥିଲା । ପରେ ମେଡିକାଲ ପକ୍ଷରୁ କୁହାଯାଇଥିଲା ଯେ, ‘ପି ୬୩ ସ୍ଥାନରେ ପି ୫୩ ଲେଖା ହୋଇଛି, ଯାହା ଭୁଲରେ ହୋଇଛି ବୋଲି ଜଣାପଡିଥିଲା ।’

Get real time updates directly on you device, subscribe now.