fbpx

କରୋନା ସଂକ୍ରମଣ ନେଇ ବିଶେଷଜ୍ଞଙ୍କ ବଡ଼ ବୟାନ: ଓଡ଼ିଶାକୁ ବିପଦ ନାହିଁ

ଭୁବନେଶ୍ୱର: ଚୀନରେ କରୋନା ସଂକ୍ରମଣ ଭୟାନକ ରୂପ ଧାରଣ କରିଥିବାବେଳେ ସେଠାରେ ଓମିକ୍ରୋନର ନୂଆ ଭାରିଆଣ୍ଟ ବିଏଫ.୭ ତାଣ୍ଡବ ରଚିବାରେ ଲାଗିଛି । ଦୈନିକ ୧୦ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ମୃତ୍ୟୁସଂଖ୍ୟା ୫ ହଜାର ଉପରେ ରହୁଛି । ସେହିପରି ଆମେରିକାରେ ଦେଖା ଦେଇଥିବା ନୂଆ ଭାରିଆଣ୍ଟ ଏକ୍ସବିବି-୧.୫ ମଧ୍ୟ ଭୟାନକ ରୂପ ଧାରଣ କରି ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଘଟାଇବାରେ ଲାଗିପଡ଼ିଛି । ଏସବୁକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନୂତନ ମାର୍ଗଦର୍ଶିକା ଜାରି କରାଯାଇ ସତର୍କ ରହିବାକୁ ଚେତାବନୀ ଦିଆଯାଇଛି । ଏସବୁ ଭିତରେ ଓଡ଼ିଶାବାସୀଙ୍କ ପାଇଁ ଏକ ଭଲ ଖବର ଆସିଛି । କରୋନା ସଂକ୍ରମଣ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ବଡ଼ ବୟାନ ରଖିଛନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞ ତଥା ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି ଯେ ଓଡ଼ିଶାକୁ ଆଦୌ କରୋନା ବିପଦ ନାହିଁ ।

ଦୈନିକ ୭ହଜାର ପରୀକ୍ଷା କରାଯାଉଛି । ହେଲେ ପଜିଟିଭଙ୍କ ସଂଖ୍ୟା ବହୁ ନଗଣ୍ୟ ରହୁଛି । ସାରା ଦେଶରେ ପ୍ରତିଦିନ ୨ଲକ୍ଷ ପରୀକ୍ଷା କରାଯାଉଥିବାବେଳେ ଓଡ଼ିଶାରେ ଏହି ସଂଖ୍ୟା ୭ ହଜାର ଉପରେ ରହିଛି । ତେଣୁ ବର୍ତ୍ତମାନ ସ୍ଥିତିରେ କୋଭିଡ ବିପଦ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ତେବେ କରୋନା ପାଇଁ ସତର୍କ ରହିବା ଜରୁରି ବୋଲି ସେ ପରାମର୍ଶ ଦେଇଛନ୍ତି । ନିୟମିତ ମାସ୍କ ପରିଧାନ କରିବା, ସାମାଜିକ ଦୂରତ୍ୱ ରକ୍ଷା କରିବା ଏବଂ ଭିଡ଼କୁ ନ ଯିବା ପାଇଁ ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ ଆଇସିଏମଆର ଗାଇଡଲାଇନ୍ ଅନୁଯାୟୀ ଦ୍ୱିତୀୟ ବୁଷ୍ଟର ଡୋଜରେ ପ୍ରାବଧାନ ନାହିଁ । ତଥାପି ଦୁଃସାଧ୍ୟ ରୋଗାକ୍ରାନ୍ତଙ୍କୁ ଦ୍ୱିତୀୟ ଡୋଜ୍ ବୁଷ୍ଟର ଆବଶ୍ୟକ ହୋଇପାରେ ।

ସୂଚନାଯୋଗ୍ୟ ଯେ ଚୀନ୍, ଆମେରିକା ଇତ୍ୟାଦି ରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଉଥିବାରୁ ଆମ ଦେଶରେ ମଧ୍ୟ ସତର୍କତା ଅବଲମ୍ବନ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପରାମର୍ଶ ଦେବାପରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ କରୋନା କଟକଣା ମାନି ଚଳିବା ପାଇଁ ପରାମର୍ଶ ଦେଇଥିଲେ । ତେବେ କୋଭିଡ ଭୟ ନଥିଲେ ବି ଆମେ ସମସ୍ତେ ଏ କ୍ଷେତ୍ରରେ ସତର୍କ ରହିବା ଉଚିତ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ଯଦି କୌଣସି ସ୍ଥିତିରେ ସଂକ୍ରମଣ ବୃଦ୍ଧି ପାଏ, ଏହାର ମୁକାବିଲା ପାଇଁ ରାଜ୍ୟ ସ୍ୱାସ୍ଥ୍ୟବିଭାଗ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା ପୂର୍ବରୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇ ସାରିଛନ୍ତି ।

Get real time updates directly on you device, subscribe now.