fbpx

ଗଙ୍ଗାରେ ଏକ ସଙ୍ଗେ ଭାସୁଛି ୪ ଶବ, ଶ୍ମଶାନରେ ଭିଡ ଯୋଗୁ ଗରିବ ଲୋକମାନେ ଭସାଇ ଦେଉଛନ୍ତି ଶବ

ବକ୍ସର:କରୋନା ପରେ ପୁଣି ଥରେ ବିହାର ବକ୍ସର ଜିଲ୍ଲାର ଚୌସା ଶ୍ମଶାନ ଘାଟ ନିକଟରେ ଗଙ୍ଗା ନଦୀରେ ୪ ଶବ ଭାସୁଥିବାର ଦେଖିବାକୁ ମିଳିଛି । ଏହି ୪ ଶବ ମଧ୍ୟରୁ ଗୋଟିଏ ଗଙ୍ଗା ନଦୀ କୂଳରେ ପଡିଥିବା ବେଳେ କୁକୁର ତାହା ଟାଣୁଥିବାର ଦେଖାଯାଇଛି । ଗଙ୍ଗାରେ ଶବ ପ୍ରବାହ କରିବା ଉପରେ ପ୍ରତିବନ୍ଧ ରହିଛି । ଏହା ସତ୍ତେ୍ୱ ଗଙ୍ଗାରେ ଏକ ସଙ୍ଗେ ୪ ଶବ ପ୍ରଶାସନର ନିଦ ହଜାଇ ଦେଇଛି । ବକ୍ସର ଜିଲ୍ଲା ପ୍ରଶାସନ ଏହା ଉପରେ କିଛି ବି ପ୍ରତିକ୍ରିୟା ରଖିବାକୁ ସାହାସ ଜୁଟାଇ ପାରୁ ନାହିଁ ।

୨୦୨୧ରେ କରୋନା ସମୟରେ ଏହି ସ୍ଥାନରେ ବହୁ ସଂଖ୍ୟାରେ ଶବ ଗଙ୍ଗାରେ ଭାସୁଥିବାର ଦେଖା ଯାଇଥିଲା । ଏହି ସୂଚନା ସେତେବେଳେ ଜିଲ୍ଲା ପ୍ରଶାସନର ଚିନ୍ତା ବଢାଇ ଦେଇଥିଲା । ପୁଣି ଥରେ ଏପରି ସ୍ଥିତି ଗଙ୍ଗା ନଦୀ କୂଳରେ ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକମାନେ କହିଛନ୍ତି ଅଂଶୁଘାତ କିମ୍ବା ଅନ୍ୟ କୌଣସି କାରଣରୁ ମୃତ୍ୟୁ ସଂଖ୍ୟା ଅଚାନକ ବଢିଯାଇଛି । ଫଳରେ ଶ୍ମଶାନରେ ଭିଡ ଜମି ଯାଇଛି । ଏପରି ସ୍ଥିତିରେ ଆର୍ଥିକ ସ୍ତରରେ ଦୂର୍ବଳ ଲୋକମାନେ ଶବକୁ ଗଙ୍ଗା ନଦୀରେ ଭସାଇ ଦେଉଛନ୍ତି । ନଦୀରେ ସ୍ରୋତ କମ୍ ଥିବାରୁ ଶବ ଗଙ୍ଗା ଘାଟରେ ଆସି ଲାଗି ଯାଇଛି ଯାହାକୁ ଏବେ କୁକୁର ଭିଣି ଖାଉଥିବାର ଦେଖାଯାଉଛି ।

ନିକଟସ୍ଥ ଗ୍ରାମବାସୀ କହିଛନ୍ତି କରୋନା ସମୟରେ ନଦୀରେ ଶବ ମିଳିବା ପରେ ଏଠାରେ ପୋଲିସ ନିୟୋଜିତ କରାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହା ହଟାଯାଇଥିଲା । ଏହି ବିଷୟରେ ଚୌସାର ସିଓ ବ୍ରଜବିହାରୀ ପ୍ରସାଦ କହିଛନ୍ତି ଗଙ୍ଗା ନଦୀରେ ଶବ ଭାସୁଥିବାର ସୂଚନା ମିଳିଛି । ନିଜେ ମୁଁ ଏହାର ଯାଞ୍ଚ କରିବି । ଗଙ୍ଗାରେ ଶବ ପ୍ରବାହ ଉପରେ ପ୍ରତିବନ୍ଧ ରହିଛି । ଯେଉଁମାନେ ଏପରି କରୁଥିବେ ସେମାନଙ୍କୁ ଧରାଯାଇ ଉଚିତ ଦଣ୍ଡ ଦିଆଯିବ ।

Get real time updates directly on you device, subscribe now.