ନୂଆଦିଲ୍ଲୀ: ଅକ୍ଟୋବର ୧ ତାରିଖରୁ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ଡକ୍ୟୁମେଣ୍ଟ ଭେରିଫିକେସନ କ୍ଷେତ୍ରରେ ଜନ୍ମ ପ୍ରମାଣପତ୍ରର ଗୁରୁତ୍ୱ ବଢ଼ିବାକୁ ଯାଉଛି । ଏହି ନିୟମ ଅନୁସାରେ ଜନ୍ମ ପ୍ରମାଣପତ୍ରକୁ ସ୍କୁଲରେ ନାମଲେଖାଇବା, ଡ୍ରାଇଭିଂ ଲାଇସେନ୍ସ ଜାରି କରିବା, ଭୋଟର ଆଇଡି, ବିବାହ ପଞ୍ଜିକରଣ, ସରକାରୀ ନିଯୁକ୍ତି, ପାସପୋର୍ଟ ଓ ଆଧାର ତିଆରି କରିବା ସହିତ ଅନେକ ସ୍ଥାନରେ ଏକ ସିଙ୍ଗଲ ଡକ୍ୟୁମେଣ୍ଟ ଭାବେ ବ୍ୟବହାର କରାଯାଇ ପାରିବ ।
ଗତ ମୌସୁମୀ ଅଧିବେଶନ ସମୟରେ କେନ୍ଦ୍ର ସରକାର ସଂସଦରେ ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ (ସଂଶୋଧନ) ବିଲ ୨୦୨୩ ପାରିତ କରିଥିଲେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାକୁ ଅନୁମୋଦନ ଦେଇଥିଲେ । ଆସନ୍ତା ଅକ୍ଟୋବର ପହିଲାରୁ ଏହି ନୂଆ ନିୟମ ଲାଗୁ ହେବାକୁ ଯାଉଛି । ପଞ୍ଜିକୃତ ଜନ୍ମ-ମୃତ୍ୟୁର ଜାତୀୟ ଓ ରାଜ୍ୟସ୍ତରୀୟ ଡାଟା ବେସ ତିଆରି କରିବା କ୍ଷେତ୍ରରେ ଏହି ନୂଆ ନିୟମ ଯଥେଷ୍ଟ ସହାୟକ ହେବ । ଏହାଦ୍ୱାରା ଜନସାଧାରଣଙ୍କୁ ସଠିକ ଭାବେ ସେବା ପ୍ରଦାନ କରାଯାଇ ପାରିବ ।
ଏହି ଆଇନ ଲାଗୁ ହେବା ଫଳରେ ଅନେକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ । ଜନ୍ମ ଓ ମୃତ୍ୟୁ ସାର୍ଟିଫିକେଟ ଡିଜିଟାଲ ରୂପରେ ମିଳିପାରିବ । ବର୍ତ୍ତମାନ ସମୟରେ ଏହାର ହାର୍ଟକପି ମିଳିପାରୁଛି । ଏଥିପାଇଁ ଅନେକ ଦିନ ପର୍ଯ୍ୟନ୍ତ ଅଫିସକୁ ଦୌଡ଼ିବାକୁ ପଡ଼ୁଛି । ବର୍ତ୍ତମାନ ସୁଦ୍ଧା ଆଧାର କାର୍ଡକୁ ପରିଚୟ ପତ୍ର ଭାବେ ପ୍ରତ୍ୟେକ ସ୍ଥାନରେ ବ୍ୟବହାର କରାଯାଇ ଆସୁଥିଲା । ଏହା ମାଧ୍ୟମରେ ନିଜର ଅନ୍ୟ ଡକ୍ୟୁମେଣ୍ଟ ଓ ଆକାଉଣ୍ଟକୁ ଲିଙ୍କ କରିବାକୁ ଜରୁରୀ ହେଉଥିଲା । ସେହିପରି ଜନ୍ମ-ମୃତ୍ୟୁ ସାର୍ଟିଫିକେଟ ଜନ୍ମ ଓ ମୃତ୍ୟୁର ପ୍ରମାଣ ପାଇଁ ପ୍ରତ୍ୟେକ ସ୍ଥାନରେ ସର୍ବମାନ୍ୟ ପରିଚୟପତ୍ର ଭାବେ କାମ କରିବ ।