fbpx

ଅଜବ ଘଟଣା ! ବସରେ ଯାତ୍ରା କରିବା ପାଇଁ ଠେକୁଆର କଟିଲା ଟିକେଟ୍, କଣ୍ଡକ୍ଟର ବିରୋଧରେ ଅଭିଯୋଗ ଆଣିଲେ ମାଲିକ

ଲକ୍ଷ୍ନୌ: ଅଧିକାଂଶ ଲୋକମାନେ ପୋଷା ରଖିବାକୁ ପସନ୍ଦ କରିଥାନ୍ତି । ଏଥିମଧ୍ୟରୁ ଗାଈ, ପକ୍ଷୀ, ବିଲେଇ, କୁକୁର ଭଳି ପ୍ରାଣୀ ପୋଷିଥାନ୍ତି । ସମୟକ୍ରମେ ମାଲିକଙ୍କ ସହ ଉତ୍ତମ ସମ୍ପର୍କ ସ୍ଥାପନ ହୋଇଯାଏ । ସେମାନେ ଯୁଆଡ଼େ ଯା’ନ୍ତି ନିଜ ପୋଷାକୁ ସାଥିରେ ନେବାକୁ ଭୁଲିନଥାନ୍ତି । ନିଜ ପିଲା ପରି ଏମାନଙ୍କ ଯତ୍ନ ନେଇଥାନ୍ତି । ସାଧାରଣତଃ କୌଣସି ବ୍ୟକ୍ତି ବସ୍, ଅଟୋ, ଟ୍ରେନ୍ କିମ୍ବା ବିମାନରେ ଯାତ୍ରା କରିବା ପୂର୍ବରୁ ଟିକେଟ୍ କାଟିଥାଏ । କିନ୍ତୁ ଉତ୍ତର ପ୍ରଦେଶରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ବସ କଣ୍ଡକ୍ଟର ଜଣଙ୍କ ଜଣେ ବ୍ୟକ୍ତିର ପୋଷା ପାଇଁ ଟିକେଟ୍ କାଟିଥିଲେ । ବର୍ତ୍ତମାନ ଏହି ଘଟଣା ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନାରୁ ପ୍ରକାଶ ଶନିବାର କୋତୱାଲି ଅଞ୍ଚଳର ରହୁଥିବା ପାରସ ଅଗ୍ରୱାଲ ବରେଲିର କୁତୁବଖାନାରୁ ୨ଟି ଠେକୁଆ କିଣିଥିଲେ । ଏହା ପରେ ସେ ବରେଲିରୁ ବଦାୟୁଁ ନିଜ ଘରକୁ ଫେରିବା ପାଇଁ ବରେଲି ବସ ଡିପୋରେ ନିର୍ଦ୍ଦିଷ୍ଟ ବସରେ ବସିଲେ । ତାଙ୍କ ସହ ଦୁଇଟି ପୋଷା ଠେକୁଆ ମଧ୍ୟ ଥିଲେ । ତେବେ ବସ କଣ୍ଡକ୍ଟର ଜଣଙ୍କ ଉକ୍ତ ବ୍ୟକ୍ତିଙ୍କ ସହ ତାଙ୍କର ୨ଟି ପୋଷା ଠେକୁଆର ବି ଟିକେଟ୍ କାଟିଥିଲେ । ଉକ୍ତ ବସ କଣ୍ଡକ୍ଟର ଜଣଙ୍କ ପାରସଙ୍କ ବସ ଭଡ଼ା ୭୫ ଟଙ୍କା ସହ ୨ଟି ଠେକୁଆଙ୍କର ୧୫୦ ଟଙ୍କା ମଧ୍ୟ ଟିକେଟ କରିଥିଲେ । ଏହି ଘଟଣାକୁ ନେଇ ପାରସ ଏବଂ କଣ୍ଡକ୍ଟରଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ପରେ ପାରସ ପରିବହନ ନିଗମ ଅଧିକାରୀଙ୍କ ନିକଟରେ କଣ୍ଡକ୍ଟରଙ୍କ ବିରୋଧରେ ଅଭିଯୋଗ କରିଥିଲେ । ତେବେ ଅଧିକାରୀଙ୍କ ଯାଞ୍ଚ ଜାରି ରହିଥିବା ବେଳେ ଦୁଇ ପକ୍ଷଙ୍କୁ ଶୁଣିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ କହିଛନ୍ତି ବରେଲି ବସ ଡିପୋର କର୍ତ୍ତୃପକ୍ଷ ।

Get real time updates directly on you device, subscribe now.