fbpx

ନବୀନଙ୍କ ବଡ଼ ଗ୍ୟାରେଣ୍ଟି: ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଆଣିବ ‘ଯୁବ ବଜେଟ୍’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିର୍ବାଚନରେ ଜିତିବା ଲକ୍ଷ୍ୟରେ ପ୍ରତ୍ୟେକ ରାଜନୈତିକ ଦଳମାନେ ଏକାଧିକ ଗ୍ୟାରେଣ୍ଟି ଦେବାରେ ବ୍ୟସ୍ତ । ଏହି ରେସରେ ବିଜେଡି ମଧ୍ୟ ପଛରେ ପଡ଼ିନାହିଁ । ବିଜେଡିର ନିର୍ବାଚନୀ ଇସ୍ତାହାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ଦଳର ସୁପ୍ରିମୋ ୨୪ଟି ବଡ଼ ଗ୍ୟାରେଣ୍ଟି ଦେଇଛନ୍ତି । ଓଡ଼ିଶାକୁ ଆହୁରି ବଳଶାଳୀ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗ୍ୟାରେଣ୍ଟି ବେଶ୍ ଗୁରୁତ୍ୱପୂର୍ଣ୍ଣ । ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ ବାବଦରେ ଦଳର ଇସ୍ତାହାର କମିଟିର ଆବାହକ ଡ. ଅମର ପଟ୍ଟନାୟକ ବିସ୍ତୃତ ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗାମୀ ଦଶନ୍ଧି ଯୁବବର୍ଗଙ୍କର ହେବ । ସେମାନେ ଆମ ରାଜ୍ୟକୁ ସଶକ୍ତ କରିବେ । ଓଡ଼ିଶାର ଯୁବଶକ୍ତିଙ୍କ ପରାକାଷ୍ଠା ସାରା ବିଶ୍ୱ ଦେଖିବ । ଯୁବ ବଜେଟରେ ଯୁବବର୍ଗଙ୍କ ସାମଗ୍ରିକ ବିକାଶ ପାଇଁ ପ୍ରତିବର୍ଷ ୧୦ ହଜାର କୋଟି ହିସାବରେ ଆଗାମୀ ୧୦ ବର୍ଷରେ ଏକ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଅନ୍ୟ କୌଣସି ଦଳ ସେମାନଙ୍କର ନିର୍ବାଚନୀ ଇସ୍ତାହାରରେ ଏ ବାବଦରେ ଉଲ୍ଲେଖ କରି ନାହାନ୍ତି । ସବୁଠାରୁ ବଡ଼ ପଦକ୍ଷେପ ସ୍ୱରୂପ ବାର୍ଷିକ ବଜେଟରେ ସ୍ୱତନ୍ତ୍ର ବଜେଟ ଭାବେ ଯୁବ ବଜେଟ ପ୍ରସ୍ତୁତ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।

ସେହିପରି ଦଳର ରାଷ୍ଟ୍ରୀୟ ମୁଖପାତ୍ର ଡ. ସସ୍ମିତ ପାତ୍ର କହିଥିଲେ, ନବୀନ କାର୍ଡ ହେଉଛି ମୁଖ୍ୟମନ୍ତ୍ରୀଙ୍କର ଦ୍ୱିତୀୟ ଗ୍ୟାରେଣ୍ଟି । ସରକାର ଗଠନ ପରେ ଏହାର ପରିସୀମାକୁ ଆହୁରି ବ୍ୟାପକ କରାଯିବ । ଏହି ମ୍ୟାଜିକ୍ କାର୍ଡ ଜରିଆରେ ୱାଇଫାଇ, ଅନଲାଇନ, ଲାଇବ୍ରେରୀ, କୋଚିଂ ଆଦି ସୁବିଧା ମିଳିବ । ମଧ୍ୟବିତ୍ତ ଓ ଗରିବଙ୍କ ଶିକ୍ଷା ପାଇଁ ଏହା ବହୁଳ ଭାବେ ଉପାଦେୟ ହୋଇପାରିବ । ଆଧୁନିକ ବୈଷୟିକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବା ସହିତ ୨ ଲକ୍ଷ ସରକାରୀ ଚାକିରି ଦିଆଯିବ । ଆସନ୍ତା ୧୦ ବର୍ଷରେ ଓଡ଼ିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ରହିଥିବା ବେଳେ ସେଥିପାଇଁ ଯୁବବର୍ଗଙ୍କର ଏକ ବଡ଼ ଭୂମିକା ରହିବ ।

Get real time updates directly on you device, subscribe now.