fbpx

ଭୁଲ୍ ଥିଲେ ଦଣ୍ଡବିଧାନ ହେବ, ବିଧାୟକ ଗାଡ଼ି ମଡ଼ାଇବା ଘଟଣାରେ ପ୍ରତିକ୍ରିୟା ରଖିଲା ବିଜେଡି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମ୍ବିତ ପାତ୍ରଙ୍କ ବୟାନ ପରେ ବିଜେଡି ରଖିଛି ଜବାବ । ହିଂସାକାଣ୍ଡକୁ କେବେ ବି ବିଜେଡି ପ୍ରଶୟ ଦିଏନାହିଁ ବୋଲି କହିଛି । ବିଜେଡି ଆହୁରି ବି କହିଛି ଯେ, “ହିଂସାକୁ ଆମ ନେତା ନବୀନ ପଟ୍ଟନାୟକ ଗ୍ରହଣ କରନ୍ତିନି । ଆଜି ପର୍ଯ୍ୟନ୍ତ ଏଭଳି ଘଟଣା କେବେ ହୋଇନଥିଲା । ଏଭଳି ଘଟଣାକୁ କେବେ ବି ବରଦାସ୍ତ କରାଯିବ ନାହିଁ । ଭିଡିଓରେ ବିଜେପି କର୍ମୀ ବାଡ଼ି ପତାକାରେ ବାଡ଼ଉଥିଲେ । ସେମାନେ ବି ସଂଯମତା ରକ୍ଷା କରିପାରିଲେନି । ଏଡି ଘଟଣାରେ ଆଇନ ଅନୁଯାୟୀ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ । ଯାହାର ଭୁଲ ଥିବ ତାକୁ ନିଶ୍ଚିତ ଦଣ୍ଡବିଧାନ ହେବ” ।

ସୂଚନାଯୋଗ୍ୟ, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗାଡ଼ି ମଡ଼ାଇବା ଘଟଣାରେ ବିଜେଡି, କଂଗ୍ରେସ ଓ ବିଜେପିର ନେତାମାନେ ନିଜ ନିଜର ପ୍ରତିକ୍ରିୟା ଦେଇ ନିନ୍ଦା କରୁଥିବା ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ବିଧାୟକଙ୍କ ଗାଡ଼ି ମଡ଼ାଇବା ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି । ଜଣେ ନିର୍ବାଚିତ ପ୍ରତିନିଧିଙ୍କ ଏଭଳି କାରନାମା ଦୁଃଖଦ ବୋଲି ସେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ଏହା ସହ ସେ କହିଛନ୍ତି ଯେ, ’୨୫ ଜଣଙ୍କୁ ଗାଡ଼ି ଚଢ଼ାଇ ଦେବା ବଡ଼ ଲଜ୍ଜାଜନକ ଘଟଣା । ଅଧିକାଂଶ ଆହତଙ୍କ ମଧ୍ୟରେ ମହିଳା ଅଛନ୍ତି । ଗଣତନ୍ତ୍ରର ହତ୍ୟା କରିବାକୁ ଏହା ଏକ ଷଡ଼ଯନ୍ତ୍ର । ଓଡ଼ିଶା ଓ ପଶ୍ଚିମବଙ୍ଗରେ ନିର୍ବାଚନ ପରେ ଏଭଳି ଘଟଣା ଘଟୁଛି । ବିଜେପି କର୍ମକର୍ତ୍ତାଙ୍କ ଉପରେ ଏଭଳି ଘଟଣା ନିନ୍ଦନୀୟ । ଦଳିତଙ୍କୁ ମାରିବା ଘଟଣାରେ ବାହୁବଳୀ ବିଧାୟକ ଚର୍ଚ୍ଚାରେ ଥିଲେ । ପ୍ରଶାନ୍ତ ଜଗଦ୍ଦେବ ଜଣେ ଅଭ୍ୟାସଗତ ଅପରାଧୀ । ପୂର୍ବରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ନିଲମ୍ବନ କରିବା ଏକ ନାଟକ ଥିଲା । ବିଧାୟକ ଜଗଦ୍ଦେବଙ୍କୁ କାହିଁକି ବହିଶ୍କାର କରିନି ବିଜେଡି? ଚିଲିକା ବିଧାୟକଙ୍କ ଏଭଳି କାର୍ନାମା ଓଡ଼ିଶା ପାଇଁ କଳଙ୍କ । ବିଧାୟକଙ୍କ ବିରୋଧରେ କଠୋର ଦଣ୍ଡବିଧାନ ହେଉ ।’

 

Get real time updates directly on you device, subscribe now.