fbpx

ସମାପ୍ତ ହୋଇଯିବ ଶିବସେନା ଯୁଗ: ମହାରାଷ୍ଟ୍ରର ଡୋରି ଧରିବ BJP, ଶିନ୍ଦେ ହେବେ ଉପମୁଖ୍ୟମନ୍ତ୍ରୀ!

ନୂଆଦିଲ୍ଲୀ: ସମଗ୍ର ଦେଶର ନଜର ଏବେ ମହାରାଷ୍ଟ୍ରର ରାଜନୈତିକ ପାଣିପାଗ ଉପରେ ରହିଛି । ଶିବସେନା ନେତା ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ଏକାଧିକ ବିଧାୟକ ରାଜ୍ୟ ବାହାରେ ଏକ ହୋଟେଲରେ ଅବସ୍ଥାନ କରିବା ପରେ ରାଜ୍ୟରେ ସୃଷ୍ଟି ହୋଇଥିଲା ରାଜନୈତିକ ସଙ୍କଟ । ୩୯ ଜଣ ବିଦ୍ରୋହୀ ବିଧାୟକଙ୍କ ଯୁଦ୍ଧଂଦେହୀ ଡାକରା ପରେ ଏବେ ଟଳମଳ ଅବସ୍ଥାରେ ରହିଛି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଆସନ ।

ତେବେ ଏହାମଧ୍ୟରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚି ସାରିଛି । ବିଦ୍ରୋହୀ ବିଧାୟକଙ୍କ ଅଯୋଗ୍ୟ ଘୋଷଣାର ବିଚାର ଆସନ୍ତା ମାସ ୧୧ ତାରିଖରେ କରାଯିବ । ରାଜ୍ୟର ରାଜନୀତି ହଲଚଲ ପଛରେ ବିଜେପିର ହାତ ଥିବା ଚର୍ଚ୍ଚା ହେଉଛି । ତେବେ ଏକ ବିଶେଷ ସୂତ୍ରରୁ ମିଳିଥିବା ରିପୋର୍ଟ ମୁତାବକ, ୩୯ ଜଣ ବିଦ୍ରୋହୀ ବିଧାୟକ ଓ ନିଜ ଦଳର ବିଧାୟକଙ୍କୁ ନେଇ ରାଜ୍ୟରେ ସରକାର ଗଠନ କରିବ ବିଜେପି ।

ରାଜ୍ୟର ମୋଟ ବିଧାନସଭା ଆସନ ସଂଖ୍ୟା ୨୮୮ ହୋଇଥିବା ବେଳେ କେବଳ ବିଜେପି ପାଖରେ ୧୦୬ଟି ଆସନ ରହିଛି । ତେବେ ବିଜେପି ମୋଟ ୧୭୦ ଜଣ ବିଧାୟକଙ୍କୁ ନେଇ ସରକାର ଗଠନ କରିବ ବୋଲି ଶୁଣାଯାଉଛି । ନୂଆ ସରକାରରେ ଶିନ୍ଦେଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିବା ନେଇ ଚର୍ଚ୍ଚା ହେଉଛି । ଆସନ୍ତାକାଲି ଶିନ୍ଦେ-ବିଜେପି ରାଜ୍ୟପାଳ ଭଗତ ସିଂହ କୋଶ୍ୟାରିଙ୍କୁ ଭେଟି ସରକାର ଗଠନ ନେଇ ଦାବି କରିପାରନ୍ତି । ଏଭଳି ସ୍ଥିତିରେ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କୁ ଗୃହରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ପାଇଁ କହିପାରନ୍ତି । ଏନେଇ ଏକ କୋର କମିଟି ବିଜେପି ନେତା ଦେବେନ୍ଦ୍ର ଫଡନଭିସଙ୍କ ବାସଭବନରେ ବସିଥିବା କୁହାଯାଉଛି ।

Get real time updates directly on you device, subscribe now.