fbpx

TMCକୁ ଯାଇପାରନ୍ତି ବରୁଣ ଗାନ୍ଧି, ଖୁବଶୀଘ୍ର ଦିଦିଙ୍କ ସହିତ ସାକ୍ଷାତ

ନୂଆଦିଲ୍ଲୀ:ପଶ୍ଚିମବଙ୍ଗରେ ମମତା ବାନାର୍ଜୀ କ୍ଷମତା ଅକ୍ତିଆର କରିବା ପରେ ଜାତୀୟ ରାଜନୀତିରେ ନିଜର କାୟା ବିସ୍ତାର କରିଚାଲିଛନ୍ତି । ଇତିମଧ୍ୟରେ ସେ ତ୍ରିପୁରା, ୟୁପି ଓ ଗୋଆ ଗସ୍ତ କରି ସଂପୃକ୍ତ ରାଜ୍ୟର କିଛି ନେତାଙ୍କୁ ଟିଏମସିରେ ସାମିଲ କରାଇ ସାରିଲେଣି । ତେବେ ଏହି ସାମିଲ ପର୍ବରେ ସାମିଲ ହୋଇପାରନ୍ତି ବିଜେପିର ଜଣେ ସାଂସଦ । ଆସନ୍ତା ସପ୍ତାହରେ ଦିଦି ଦିଲ୍ଲୀ ଗସ୍ତରେ ଆସୁଥିବା ବେଳେ ବରୁଣଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଥିବା ନେଇ ଚର୍ଚ୍ଚା ହେଉଥିବା ଜଣାପଡ଼ିଛି ।

ତେବେ ବରୁଣ ବିଜେପି ଛାଡ଼ି ଟିଏମସିରେ ସାମିଲ ହେବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ପୂର୍ବରୁ ସୁସ୍ମିତା ଦେବୀ, ଲିଆଣ୍ଡର ପେସ, ବାବୁଲ ସୁପ୍ରିୟୋ ପ୍ରମୁଖ ନେତାମାନେ ଟିଏମସିରେ ପାଦ ଥାପି ସାରିଛନ୍ତି । ଉଭୟ ବରୁଣ ଓ ତାଙ୍କ ମାଆ ମେନକା ଗାନ୍ଧୀଙ୍କୁ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରୀ କମିଟିରେ ସ୍ଥାନ ନ ମିଳିବାରୁ ଦୁହେଁ ଅସନ୍ତୁଷ୍ଟ ହେବା ସହ ଦଳ ବିରୋଧରେ ବିଷୋଦଗାର କରିବା ଆରମ୍ଭ କରିଦେଇଛନ୍ତି । ତେବେ ବରୁଣ ବିଜେପି ଛାଡ଼ିବା ପାଇଁ ବିଚାର କରୁଥିବା ନେଇ ଟିଏମସିର ଜଣେ ବରିଷ୍ଠ ନେତା ମତବ୍ୟକ୍ତ କରିଛନ୍ତି । ନିକଟରେ ଘଟିଥିବା ଲଖୀମପୁର ହିଂସାକୁ ନେଇ ବରୁଣ କଡ଼ା ନିନ୍ଦା କରିବା ସହ ମହାତ୍ମା ଗାନ୍ଧିଙ୍କ ଜୟନ୍ତୀରେ ନାଥୁରାମ ଗଡସେଙ୍କ ବିରୋଧରେ ସ୍ୱର ଉଠାଇଥିଲେ । ତେବେ କଂଗ୍ରେସକୁ ଯିବା ବରୁଣଙ୍କ ପକ୍ଷେ ଅସମ୍ଭବ ମନେହେଉଥିବାରୁ ଟିଏମସି ତାଙ୍କୁ ସହାୟତା କରିପାରେ । ଆସନ୍ତା ୨୨ ତାରିଖରେ ଦିଦି ତିନି ଦିନିଆ ଦିଲ୍ଲୀ ଗସ୍ତରେ ଆସୁଥିବା ବେଳେ ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ । ଇତ୍ୟବସରରେ ଦିଦି ବରୁଣଙ୍କୁ ଭେଟି ରାଜନୀତି ସଂପର୍କୀତ ଆଲୋଚନା କରିପାରନ୍ତି ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.