fbpx
BSKY
BJD YOUTH SKY
BJD MS SKY

‘ବିଜେପି କେବଳ ଗୌମୂତ୍ର ରାଜ୍ୟରୁ ନିର୍ବାଚନ ଜିତି ପାରିବ’: ସଂସଦରେ ଡିଏମକେ ସାଂସଦଙ୍କ ବିବାଦୀୟ ବୟାନକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ରାଜନୈତିକ ମହଲରେ ଉଷ୍ମତା ବୃଦ୍ଧି ପାଇଥିବା ଦେଖିବାକୁ ମିଳୁଛି। ଶାସକ ବିଜେପି ଓ ମୁଖ୍ୟ ବିରୋଧୀ କଂଗ୍ରେସର ଲଢେଇ ମଧ୍ୟରେ ଆଞ୍ଚଳିକ ଦଳ ମାନଙ୍କର ବୟାନ ବି ବେଶ ଚର୍ଚ୍ଚାରେ ରହୁଛି। ତେବେ ଏହାରି ଭିତରେ ଆଜି ସଂସଦରେ ଡିଏମକେ ସାଂସଦ ଡିଏନ୍‌ଭି ସେନ୍ଥିକୁମାର ଏସ୍‌ ଦେଇଥିବା ବିବାଦୀୟ ବୟାନକୁ ନେଇ ସବୁଠୁ ଅଧିକ ଚର୍ଚ୍ଚା ଓ ଆଲୋଚନା ଲାଗି ରହିଛି। ଯେଉଁଥିରେ ସାଂସଦ ଡିଏନ୍‌ଭି ସେନ୍ଥିକୁମାର ଏସ୍‌ ବିଜେପିକୁ ସମାଲୋଚନା କରି କହିଥିଲେ, ଯେ ବିଜେପିର ନିର୍ବାଚନ ଜିତିବା ଶକ୍ତି କେବଳ ହିନ୍ଦୀ ହାର୍ଟଲ୍ୟାଣ୍ଡ ରାଜ୍ୟଗୁଡ଼ିକରେ ଅବା ଆମେ ଯେଉଁଗୁଡ଼ିକୁ କହୁ ଗୋମୂତ୍ର ରାଜ୍ୟଗୁଡ଼ିକରେ ସୀମିତ।

ଏହା ସହ ସେ କହିଛନ୍ତି, ତୁମେ (ବିଜେପି) ଦକ୍ଷିଣ ଭାରତରେ କ୍ଷମତାକୁ ଆସିପାରିବ ନାହିଁ। କେରଳ, ତାମିଲନାଡୁ, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକାରେ ନିର୍ବାଚନ ଫଳାଫଳ କ’ଣ ହେଉଛି ତୁମେ ଦେଖୁଛ। ଆମେ ସେଠାରେ ବହୁତ ଶକ୍ତିଶାଳୀ। ଆମେ ଆଶ୍ଚର୍ୟ୍ୟ ହେବୁନି, ଯଦି ତୁମେ (ବିଜେପି) କ୍ଷମତାକୁ ଆସିବାକୁ ଏହି ସବୁ ରାଜ୍ୟଗୁଡ଼ିକୁ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରି ଦେବ। କାରଣ ସେମିତି ହେଲେ ତୁମେ ପରୋକ୍ଷରେ ସେଠାରେ କ୍ଷମତାକୁ ଆସିବ। ତେବେ ଡିଏମକେ ସାଂସଦଙ୍କ ଏହି ବିବାଦୀୟ ବୟାନକୁ ବିବାଦ ଆରମ୍ଭ ହୋଇଥିବା ବେଳେ ବିପକ୍ଷ ବିଜେପି ଏହାକୁ ତୀବ୍ର ସମାଲୋଚନା କରିଛି।

ବିଜେପି ସାଂସଦ ଅନ୍ନପୂର୍ଣ୍ଣା ଦେବୀ କହିଛନ୍ତି, ରାଜ୍ୟବାସୀ ବିଜେପିକୁ ଭୋଟ୍ ଦେଇଛନ୍ତି। ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବିଶ୍ୱାସ କରନ୍ତି। ଯେଉଁ ନେତାମାନେ ଏଭଳି ମନ୍ତବ୍ୟ ଦେଉଛନ୍ତି ସେମାନଙ୍କ ମନୋଭାବ ଭାରି ସଂକୀର୍ଣ୍ଣ। ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ସହି ପାରୁ ନାହାନ୍ତି। ସେହିପରି ବିଜେପି ସାଂସଦ ଜଗନ୍ନାଥ ସରକାର କହିଛନ୍ତି ଯେ ବିଜେପିକୁ ଦେଶ ସାରା ଲୋକ ଗ୍ରହଣ କରିଛନ୍ତି। ଯିଏ ବି ଏଭଳି କଥା କହୁଛନ୍ତି, ତାଙ୍କର କିଛି ଜ୍ଞାନ ନାହିଁ। ସେ ଭାରତର ସଂସ୍କୃତି ବିଷୟରେ କିଛି ଜାଣି ନାହାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ କେବଳ ଭାରତର ନେତା ହୋଇ ରହି ନାହାନ୍ତି। ସେ ଏବେ ବିଶ୍ୱର ନେତା ବୋଲି କହିଛନ୍ତି ବିଜେପି ସାଂସଦ ଜଗନ୍ନାଥ ସରକାର। ଅପରପକ୍ଷେ କଂଗ୍ରେସ ସାଂସଦ କାର୍ତ୍ତି ପି ଚିଦାମ୍ବରମ ମଧ୍ୟ ଡିଏମ୍‌କେ ସାଂସଦ ଡିଏନ୍‌ଭି ସେନ୍ଥିକୁମାର ଏସ୍‌ ମନ୍ତବ୍ୟକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଏହା ଦୁର୍ଭାଗ୍ୟଜନକ। ଏଭଳି ଶବ୍ଦର ପ୍ରୟୋଗ କରିବା ଠିକ୍ ନୁହେଁ। ଏଗୁଡ଼ିକ ଅସାମ୍ବିଧାନିକ। ଏଥିପାଇଁ ଡିଏମ୍‌କେ ସାଂସଦ ଡିଏନ୍‌ଭି ସେନ୍ଥିକୁମାର ଏସ୍‌ କ୍ଷମା ମାଗିବା ଉଚିତ। ତା’ସହିତ ସେ ନିଜ ଶବ୍ଦ ପ୍ରତ୍ୟାହାର କରି ନେବା ଉଚିତ।

Get real time updates directly on you device, subscribe now.