fbpx

ଶିବସେନା ଶିନ୍ଦେ ଗ୍ରୁପରେ ସାମିଲ ହେଲେ ଅଭିନେତା ଗୋବିନ୍ଦା: ଲୋକସଭା ନିର୍ବାଚନ ଲଢ଼ିବାର ସମ୍ଭାବନା ବଢ଼ିଲା

ନୂଆଦିଲ୍ଲୀ: ଆସନ୍ତା ମାସ ୧୯ ତାରିଖରୁ ଦେଶଷର ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେଉଥିବା ବେଳେ ରାଜନୈତିକ ଦଳମାନେ ପର୍ଯ୍ୟାୟକ୍ରମେ ପ୍ରାର୍ଥୀ ତାଲିକା ଜାରି କରୁଛନ୍ତି । ଏହା ମଧ୍ୟରେ ରାଜନେତାଙ୍କର ଦଳ ଡିଆଁ ପର୍ବ ଆରମ୍ଭ ହେବା ସହିତ ବହୁ ଅଭିନେତା, କ୍ରିକେଟର ଓ ବିଭିନ୍ନ ବୃତ୍ତି ସହ ଜଡ଼ିତ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ନୂଆ ଦଳରେ ସାମିଲ ହେଉଛନ୍ତି ।

ତେବେ ଏହା ମଧ୍ୟରେ ବଲିଉଡ ଅଭିନେତା ଗୋବିନ୍ଦା ଏକନାଥ ଶିନ୍ଦେ ଗ୍ରୁପର ଶିବସେନାରେ ସାମିଲ ହୋଇଛନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଉପସ୍ଥିତିରେ ଗୋବିନ୍ଦା ଶିବସେନାରେ ସାମିଲ ହୋଇଛନ୍ତି । ସେ ଲୋକସଭା ନିର୍ବାଚନ ଲଢ଼ିବାର ସମ୍ଭାବନା ଅଧିକ ରହିଛି । ସେ ମୁମ୍ବାଇ ନର୍ଥ-ୱେଷ୍ଟ ଆସନରୁ ନିର୍ବାଚନ ପ୍ରାର୍ଥୀ ହୋଇପାରନ୍ତି । ଉଦ୍ଧବ ଠାକରେଙ୍କ ଶିବସେନା ଗ୍ରୁପ ଏହି ଆସନ ପାଇଁ ଅମୋଲ କୀର୍ତ୍ତିକରଙ୍କୁ ପ୍ରାର୍ଥୀ କରିଛି ।

ଦଳରେ ସାମିଲ ହେବା ପୂର୍ବରୁ ଗୋବିନ୍ଦ ମୁଖ୍ୟମନ୍ତ୍ରୀ ଶିନ୍ଦେ ଓ ଦଳର ମୁଖପାତ୍ର ତଥା ପୂର୍ବ ବିଧାୟକ କୃଷ୍ଣା ହେଗଡ଼େଙ୍କ ସହ ଏକ ବୈଠକ କରିଥିଲେ । ପୂର୍ବରୁ ଗୋବିନ୍ଦା ରାଜନୀତି ସହ ଜଡ଼ିତ ରହିଥିବା ବେଳେ କିଛି ବର୍ଷ ପାଇଁ ସେ ରାଜନୀତିରୁ ଦୂରେଇ ରହିଥିଲେ । ଏବେ ପୁଣି ଥରେ ଗୋବିନ୍ଦା ରାଜନୀତିକୁ ଫେରିଛନ୍ତି । ଗତ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଗୋବିନ୍ଦ କଂଗ୍ରେସ ଟିକେଟରେ ମୁମ୍ବା ନର୍ଥରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ସେ ବିଜେପି ପ୍ରାର୍ଥୀ ରାମ ନାୟକଙ୍କୁ ପରାସ୍ତ କରିଥିଲେ । ସୂଚନାଯୋଗ୍ୟ ଯେ, ଗୋବିନ୍ଦ ନିଜ କ୍ୟାରିୟରରେ ୧୬୫ରୁ ଅଧିକ ବଲିଉଡ ଫିଲ୍ମରେ ଅଭିନୟ କରିବା ସହିତ ‘ରାଜା ବାବୁ’, ‘କୁଲୀ ନମ୍ବର ୱାନ’, ‘ହିରୋ ନମ୍ବର ୱାନ’ ଆଦି ବହୁ ହିଟ୍ ଫିଲ୍ମ ଦେଇଛନ୍ତି ।

Get real time updates directly on you device, subscribe now.