fbpx

ବ୍ରଜରାଜନଗର ଉପନିର୍ବାଚନ: ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା କଂଗ୍ରେସ

ଝାରସୁଗୁଡ଼ା(ଓଡ଼ିଶା ଭାସ୍କର): ବ୍ରଜରାଜନଗର ଉପନିର୍ବାଚନ ପାଇଁ ବାଜିସାରିଛି ନିର୍ବାଚନୀ ବିଗୁଲ । ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ପରେ ଆରମ୍ଭ ହୋଇଛି ରାଜନୀତି । ଏହାରି ମଧ୍ୟରେ ବ୍ରଜରାଜନଗର ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି କଂଗ୍ରେସ ।

କଂଗ୍ରେସର ୪୦ ଜଣ ଷ୍ଟାର ପ୍ରଚାରକ ଉପନିର୍ବାଚନ ପାଇଁ ପ୍ରଚାର କରିବେ । ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି । କଂଗ୍ରେସର ପ୍ରଚାର ତାଲିକାରେ ଛତିଶଗଡ଼ର କିଛି ମନ୍ତ୍ରୀ ସାମିଲ ଅଛନ୍ତି । ଜିତିବା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ ବୋଲି ନିରଞ୍ଜନ କହିଛନ୍ତି ।

ତେବେ ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବ୍ରଜରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀ ଉପ-ନିର୍ବାଚନ ପାଇଁ ପୂର୍ବତନ ବିଧାୟକ ସ୍ୱର୍ଗତଃ କିଶୋର କୁମାର ମହାନ୍ତିଙ୍କ ପତ୍ନୀ ଶ୍ରୀମତୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ ଭାବରେ ମନୋନୟନ କରିଛନ୍ତି । ଏହା ସହ ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି ବିଜେପି । ସୂଚନା ଅନୁସାରେ ବ୍ରଜରାଜନଗରର ପୂର୍ବତନ ବିଧାୟିକା ହେଉଛନ୍ତି ରାଧାରାଣୀ ପଣ୍ଡା ।ସେହପରି କିଶୋର ପଟେଲଙ୍କୁ ବିଧାୟକ ପ୍ରାର୍ଥୀ ଭାବେ କରିଛି କଂଗ୍ରେସ । ଏନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ସୂଚନା ଦେଇଛନ୍ତି । ଆମେ ସବୁ ତାଙ୍କ ପାଇଁ ଲଢ଼ିବୁ ବୋଲି ବିଧାୟକ ସନ୍ତୋଷ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ବର୍ଷ ଡିସେମ୍ବର ମାସ ୩୦ ତାରିଖରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ ହୋଇଥିଲା । ଏକ ଶୋକ ସଭାରେ ଯୋଗଦେଇ ଫେରିବା ପରେ କିଶୋର ଅସୁସ୍ଥ ହୋଇ ପଡ଼ିଥିଲେ । ଏହାପରେ ଝାରସୁଗୁଡ଼ା ଜିଲ୍ଲାର ଏକ ପ୍ରାଇଭେଟ୍ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିଲା । ଶ୍ରୀ ମହାନ୍ତି ଝାରସୁଗୁଡ଼ାରୁ ୩ ଥର ବିଧାୟକ ଓ ଥରେ ରାଜ୍ୟସଭା ସାଂସଦ ପଦରେ ରହିଥିଲେ । ବିଜେଡିର ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ଏହି ଆସନ ଖାଲି ପଡ଼ିଛି ।

Get real time updates directly on you device, subscribe now.