ମା’ ମାନଙ୍କ କ୍ଷୀରରେ ବିଷାକ୍ତ ପାରଦ, କଅଁଳା ଛୁଆଙ୍କ ପାଇଁ ବିପଦ: ଗବେଷଣାରୁ ବଡ଼ ଖୁଲାସା
ମା’ କ୍ଷୀର ଶିଶୁର ଏକମାତ୍ର ପୋଷଣ । ଗଙ୍ଗ ଜଳ ପିଇ ବିପଦକୁ କରୁଛନ୍ତି ଆମନ୍ତ୍ରଣ ।
ଓଡ଼ିଶା ଭାସ୍କର: ମା’ କ୍ଷୀର ନବଜାତଙ୍କ ପାଇଁ ଏକାନ୍ତ ଆବଶ୍ୟକ । ସେମାନଙ୍କ ମୂଳ ବିକାଶ ମା’କ୍ଷୀରରେ ଥିବା ପୋଷକ କରିଥାଏ । ଯାହାପାଇଁ ନବଜାତ ପିଲା ପାଇଁ ମା’ କ୍ଷୀର ଜରୁରୀ ପୋଷଣ ହୋଇଥାଏ ।
ବିହାରର ଗଙ୍ଗାନଦୀ ତଟ୍ଟବର୍ତ୍ତୀ ଇଲାକାରେ ବାସ କରୁଥିବା ପ୍ରସୂତୀ କ୍ଷୀରକୁ ନେଇ ବୈଜ୍ଞାନିକମାନଙ୍କ ଦ୍ୱାରା ଏକ ସର୍ଭେ କରାଯାଇଛି । ଯେଉଁଥିରେ ୭୫% ମହିଳାଙ୍କ କ୍ଷୀରରେ ପାରଦ ରହିଥିବା ଜଣାପଡ଼ିଛି ।
ଦ ଟେଲିଗ୍ରାଫରେ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, ୧ ଲିଟର ମା’ କ୍ଷୀରରେ ୧.୭ ମାଇକ୍ରୋଗ୍ରାମ ପାରଦ ଥିବା ଜଣାପଡ଼ିଛି । ପାଖାପାଖି ୫୬ ମହିଳାଙ୍କଠାରେ ପାରଦ ପରିମାଣ ୩୦ ଗୁଣା ଅଧିକ ରହିଥିବାର ରିସର୍ଚ୍ଚରୁ ଜଣାପଡ଼ିଛି ।
କ୍ୟାନ୍ସର ବାୟୋଲୋଜିଷ୍ଟ ଅରୁଣ କୁମାରଙ୍କ ନେତୃତ୍ୱରେ ଏହି ଷ୍ଟଡି କରାଯାଇଛି ।ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ ଏବଂ ମହାବୀର କ୍ୟାନ୍ସର ଇନଷ୍ଟିଚ୍ୟୁଟ୍ ଆଣ୍ଡ ରିସର୍ଚ୍ଚ ସେଣ୍ଟର ପାଟନା ଏଥିରେ ସାମିଲ । ଏହି ଷ୍ଟଡି ଗତ ସପ୍ତାହରେ ବିଏମସିପି ପବ୍ଲିକ ହେଲ୍ଥରେ ପ୍ରକାଶ ପାଇଛି ।
ରିସର୍ଚ୍ଚ ଅନୁସାରେ ୧୭୨ ଶିଶୁଙ୍କ ମଧ୍ୟରୁ ୯୩ ପିଲାଙ୍କ ପରିସ୍ରାରେ ୧୦ ମାଇକ୍ରୋଗ୍ରାମ ପାରଦ ଦେଖିବାକୁ ମିଳିଛି । ଗଙ୍ଗା ନଦୀ କୂଳରେ ରହୁଥିବା ମହିଳା ଓ ଶିଶୁଙ୍କ କ୍ଷୀର, ରକ୍ତ, ପରିସ୍ରାର ନମୁନା ସଂଗ୍ରହ କରାଯାଇ ଏହି ଷ୍ଟଡି କରାଯାଇଛି ।
ପାଖାପାଖି ୧୧ ଜିଲ୍ଲାରୁ ୧୮୧ ମହିଳା ଏବଂ ୧୭୨ ଶିଶୁଙ୍କଠାରୁ ନମୁନା ସଂଗ୍ରହ କରାଯାଇ ଏହି ଷ୍ଟଡି କରାଯାଇଥିବା ଜଣାପଡ଼ିଛି । ପାରଦ ମସ୍ତିସ୍କ ଏବଂ ସ୍ନାୟୁକୁ ପ୍ରଭାବିତ କରିଥାଏ । ଏଥିସହ ସ୍ନାୟୁବିକ ଅସୁବିଧା ବା ରୋଗ କରିବାରେ ମଧ୍ୟ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ପାରଦ ।
ଅଳିଆ, ଆବର୍ଜନା ଏବଂ ଦୂଷିତ ପଦାର୍ଥ ସବୁ ଗଙ୍ଗା ଜଳରେ ମିଶିବା ଦ୍ୱାରା ଏହି ଜଳକୁ ପାନ କରି ସେଠାକାର ଲୋକଙ୍କ ଶରୀରରେ ଏ ପ୍ରକାର ବ୍ୟତିକ୍ରମ ଦେଖଇବାକୁ ମିଳିଥିବା ଷ୍ଟଡିରୁ ଜଣାପଡ଼ିଛି ।