ପୂରା ଫିଲ୍ମ ଷ୍ଟାଇଲ: ବିବାହ ଭାଙ୍ଗିଦେଲା ପ୍ରେମିକ, ବର ସାମ୍ନାରେ କନ୍ୟାକୁ ପିନ୍ଧାଇଲା ସିନ୍ଦୂର, ତାଜୁବ ହୋଇଗଲେ ଅତିଥି
ଅନେକ ସମୟରେ ଆପଣ ଟିଭିରେ ଫିଲ୍ମରେ ଦେଖିଥିବେ କିପରି ବିବାହକୁ ରୋକିବା ପାଇଁ କନ୍ୟାକୁ ଉଠାଇନେଇଥାନ୍ତି ଗୁଣ୍ଡା କିମ୍ବା ହିରୋ । କିନ୍ତୁ ଏବେ ଆମ ଆପଣଙ୍କୁ ଯେଉଁ ଖବର ବିଷୟରେ କହିବାକୁ ଯାଉଛୁ ଏହା କୌଣସି ଫିଲ୍ମର ନୁହେଁ ବରଂ ସତରେ କିଛି ଏଭଳି ଘଟିଛି । କିନ୍ତୁ ଏଠାରେ କୌଣସି ହିରୋ କିମ୍ବା ଗୁଣ୍ଡା କନ୍ୟାକୁ ଉଠାଇନେଇନାହାଁନ୍ତି ବରଂ ବେଦୀରେ ବସିଥିବା କନ୍ୟା ମଥାରେ ସିନ୍ଦୂର ପିନ୍ଧାଇ ବିବାହକୁ ଭାଙ୍ଗିଛି ଅନ୍ୟ ଜଣେ ଯୁବକ ।
ଏଭଳି ଘଟଣା ଦେଖିବାକୁ ମିଳିଛି ବିହାର ରାଜଧାନୀ ପାଟଣାରେ । ଯେଉଁଠାରେ କନ୍ୟାର ପ୍ରେମିକ ବର ଏବଂ ତାଙ୍କ ପରିବାର ସମ୍ମୁଖରେ ବେଦୀ ଉପରେ କନ୍ୟାକୁ ପିନ୍ଧାଇଛି ସିନ୍ଦୂର । ଖାଲି ସେତିକି ନୁହେଁ ବିବାହକୁ ରୋକିବା ପାଇଁ କନ୍ୟା ବେକରେ ଜୟମାଳା ମଧ୍ୟ ପିନ୍ଧାଇଥିଲା ।
ସୂଚନା ଅନୂଯାୟୀ, ବର-କନ୍ୟାଙ୍କ ବିବାହ ଚାଲିଥିଲା, ଯେତେବେଳେ ଜୟମାଳା ପିନ୍ଧାଇବା ସମୟ ଆସିଥିଲା ସେହି ସମୟରେ ଜଣେ ଯୁବକ ହଠାତ୍ ସେଠାରେ ପହଞ୍ଚିଥିଲେ ଏବଂ ବର ହାତରୁ ଜୟମାଳାକୁ ଛଡ଼ାଇନେଇ ବଳପୂର୍ବକ କନ୍ୟାକୁ ପିନ୍ଧାଇଥିଲେ ଏହା ସହ ସିନ୍ଦୂର ମଧ୍ୟ ପିନ୍ଧାଇଥିଲେ । ଆଉ ଏସବୁ ଦେଖି ତାଜୁବ ହୋଇଯାଇଥିଲେ ଉପସ୍ଥିତ ଅତିଥି ଏବଂ ପରିବାର ଲୋକେ । କିଛି ଲୋକ ଯୁବକଙ୍କୁ ଅଟାଇଥିଲେ ଏବଂ ମାଡ଼ ମାରିବାକୁ ଲାଗିଥିଲେ କିନ୍ତୁ ଏହି ସମୟରେ କନ୍ୟା ତାଙ୍କୁ ଛାଡ଼ିଦେବାକୁ କହିଥିଲେ । ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମାମଲାକୁ ନିୟନ୍ତ୍ରଣ କରିଥିଲା ।
ସେପଟେ ଘଟଣାକୁ ନେଇ ବରପକ୍ଷ ଅସନ୍ତୋଷ ଜାହିର କରିଥିଲେ ଏବଂ ବିବାହ କରିବାକୁ ମନାକରିଥିଲା ବର । ବର ଅକ୍ଷୟ କୁମାର କହିଥିଲେ ଯେ କନ୍ୟାର ଉକ୍ତ ଯୁବକଙ୍କ ସହ ସମ୍ପର୍କ ରହିଥିବାର ସେ ତାଙ୍କୁ ବିବାହ କରିବାକୁ ଚାହୁନାହଁନ୍ତି । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଏହି ବାହାଘରକୁ ଭାଙ୍ଗିବା ପାଇଁ କନ୍ୟା ଏବଂ ତାଙ୍କ ପ୍ରେମିକ ଏଭଳି ଷଡ଼ଯନ୍ତ୍ର ରଚିଥିଲେ । ତେବେ କନ୍ୟା ପକ୍ଷ କୌଣସି ମାମଲା ରୁଜୁ କରିନଥିବାରୁ ପରେ ପ୍ରେମିକକୁ ଛାଡ଼ିଦେଇଥିଲା ପୋଲିସ । ଏହି ବିଷୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।