fbpx

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଗଡ ହାତେବାକୁ ନାତି- ନାତୁଣୀ ମୁହାଁମୁହିଁ

ଚଣ୍ଡିଗଡ: ହରିୟାଣାରେ ଚଳିତ ଥର ବେଶ ରୋଚକ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । କଂଗ୍ରେସର ପାରମ୍ପରିକ ଗଡରେ ଦେଖିବାକୁ ମିଳୁଛି ଫାମିଲୀ ଫାଇଟ । ତୋଶାମ ପରି ପାରମ୍ପରିକ ଗଡ ଉପରେ ଏବେ ସମସ୍ତଙ୍କ ନଜର । କାରଣ ଚଳିତ ନିର୍ବାଚନରେ ଭାଇ ଓ ଭଉଣୀଙ୍କ ମଧ୍ୟରେ ଏହି ଆସନରୁ ହେବାକୁ ଯାଉଛି ଜୋରଦାର ଫାଇଟ । କଂଗ୍ରେସର ଜଣାଶୁଣା ଚୌଧୁରୀ ପରିବାରର ଦୁଇ ଭାଇ ଭଉଣୀ କଂଗ୍ରେସ ଓ ବିଜେପିରୁ ମୈଦାନକୁ ଓହ୍ଲାଉଛନ୍ତି ।
ଏଥର ତୋଶାମ ବିଧାନସଭା ଆସନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବଂଶୀଲାଲ ଚୌଧୁରୀଙ୍କ ନାତି ଏବଂ ନାତୁଣୀଙ୍କ ମଧ୍ୟରେ ପ୍ରତିଯୋଗିତା ହେବ। ରାଜ୍ୟ କ୍ରିକେଟ ଆସୋସିଏସନର ଅଧିକାରୀରୁ ନେତା ହୋଇଥିବା ଅନିରୁଦ୍ଧ ଚୌ ଧୁରୀଙ୍କୁ କଂଗ୍ରେସ ଟିକେଟ ଦେଇଛି। ଯେତେବେଳେ କି ଅନିରୁଦ୍ଧଙ୍କ ସମ୍ପର୍କୀୟ ଭଉଣୀ ତଥା ପୂର୍ବତନ ସାଂସଦ ଶ୍ରୁତି ଚୌଧୁରୀ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି। ଶ୍ରୁତି ବଂଶୀଲାଲଙ୍କ ସାନପୁଅ ସ୍ୱର୍ଗତ ସୁରେନ୍ଦ୍ର ସିଂ ଏବଂ ବିଜେପି ନେତ୍ରୀ କିରଣ ଚୌଧୁରୀଙ୍କ ଝିଅ। ଆଉ ବଂଶୀଲାଲଙ୍କ ବଡ ପୁଅ ରଣବୀର ସିଂ ମହେନ୍ଦ୍ରଙ୍କ ପୁଅ ଅନିରୁଦ୍ଧ । ଜୁନ୍ ମାସରେ ଶ୍ରୁତି ତାଙ୍କ ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଇଥିଲେ। ପୂର୍ବରୁ ଶ୍ରୁତି କଂଗ୍ରେସର ହରିୟାଣା ୟୁନିଟର କାର୍ୟ୍ୟକାରୀ ସଭାପତି ଥିଲେ।
ରାଜନୀତିରେ ଶ୍ରୁତିଙ୍କର ଅନେକ ଅଭିଜ୍ଞତା ରହିଛି । ୨୦୦୯ ମସିହାରେ ସେ ଲୋକସଭା ନିର୍ବାଚନରେ ଜିତି ପ୍ରଥମ ଥର ପାଇଁ ସାଂସଦ ହୋଇଥିଲେ। ତେବେ ୨୦୧୪ ଏବଂ ୨୦୧୯ ର ଲୋକସଭା ନିର୍ବାଚନରେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସ ତାଙ୍କୁ ଟିକେଟ ଦେଇନଥିଲା। ଅନ୍ୟପଟେ କ୍ରିକେଟ ସହ ଜଡିତ ୪୮ ବର୍ଷୀୟ ଅନିରୁଦ୍ଧ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି । ଅନିରୁଦ୍ଧ ତୋଶାମ ଆସନରୁ ଲଢିବାକୁ ଇଚ୍ଛା ପ୍ରକାଶ କରିଥିଲେ ଓ କଂଗ୍ରେସ ଏଥିରେ ରାଜି ହୋଇଥିଲା । ଏହାକୁ ନେଇ ଅସନ୍ତୁଷ୍ଟ ଶ୍ରୁତି ବିଜେପିରେ ସାମିଲ ହୋଇଥିଲେ । ଶ୍ରୁତି ଖାଲି ସାମିଲ ହୋଇନାହାନ୍ତି, ବର୍ଷିଛନ୍ତି କଂଗ୍ରେସ ଉପରେ । କଂଗ୍ରେସ ଭିତରେ ଲିଙ୍ଗଗତ ବିଭେଦ ରହିଛି । ତେଣୁ ଦଳ ଅନିରୁଦ୍ଧଙ୍କୁ ଟିକେଟ ଦେଇଛି । ତେବେ ସେ ବିଜେପିରୁ ନିର୍ବାଚନ ଲଢୁଥିବାରୁ ବହୁ କଂଗ୍ରେସ ସମର୍ଥକ ତଥା ନେତା ତାଙ୍କୁ ସମର୍ଥନ କରିବେ ବୋଲି ଶ୍ରୁତି କହିଛନ୍ତି ।
ତେବେ ବଂଶୀଲାଲ ପରିବାରରେ ମୁହାଁମୁହିଁ ପରିସ୍ଥିତିର ଏହା ପ୍ରଥମ ଘଟଣା ନୁହେଁ । ୧୯୯୮ ଲୋକସଭା ନିର୍ବାଚନରେ ବଂଶୀଲାଲ ପରିବାର ଏହି ଆସନରେ ମୁହାଁମୁହିଁ ହୋଇଥିଲେ। ଏହି ସମୟ ମଧ୍ୟରେ ବଂଶୀଲାଲଙ୍କ ଦୁଇ ପୁଅ ସୁରେନ୍ଦ୍ର ସିଂ ଏବଂ ରଣବୀର ସିଂ ମହେନ୍ଦ୍ର ପରସ୍ପରକୁ ପ୍ରତିଯୋଗିତା ଦେଇଥିଲେ । କଂଗ୍ରେସ ଟିକେଟରେ ରଣବୀର ସିଂ ମହେନ୍ଦ୍ର ଏଠାରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ବେଳେ ସୁରେନ୍ଦ୍ର ସିଂ ତାଙ୍କ ବାପାଙ୍କ ଏଚ୍‌ଭିପି ଟିକେଟ୍‌ରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ଜିତିଥିଲେ। ଏଠାରେ କହି ରଖୁ କି ଏହି ଆସନ ଉପରେ ତୌଧୁରୀ ପରିବାର ୧୯୬୮ ମସିହାରୁ ନିଜ କବଜା କରି ଆସୁଛି ।

Get real time updates directly on you device, subscribe now.