fbpx

ଆଜିଠାରୁ ସଂସଦର ବଜେଟ୍ ଅଧିବେଶନ: ଉପସ୍ଥାପନ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ: ଆଜିଠାରୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବ । ଏହି ଅବସରରେ ସଂସଦରେ ୨୦୨୨-୨୩ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ ହେବ । ଆଜିର ଅଧିବେଶନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧିତ କରିବେ । ଆଜି ପ୍ରଥମ ଦିନରେ ଅଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ ହେବା ପରେ ଆସନ୍ତାକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ବଜେଟ୍ ଉପସ୍ଥାପନ କରିବେ ।

ତେବେ ଆଜିଠାରୁ ବଜେଟ ଅଧିବେଶନ ଆରମ୍ଭ ହୋଇ ପ୍ରଥମ ଭାଗ ଆସନ୍ତା ମାସ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଦିନରେ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ । ତେବେ ସରକାର ବଜେଟ ଅଧିବେଶନକୁ ଶାନ୍ତିର ସହିତ ଚଳାଇବା ପାଇଁ ପ୍ରୟାସ କରିବେ । ଅନ୍ୟପକ୍ଷରେ ବିରୋଧୀ ଦଳଗୁଡ଼ିକ ଏହି ଅଧିବେଶନରେ ଦରଦାମ୍ ବୃଦ୍ଧି, ସୀମା ବିବାଦ ସହିତ ଅନ୍ୟ ପ୍ରସଙ୍ଗ ଉଠାଇବା ନେଇ ଯୋଜନା କରିଛନ୍ତି ।

ତେବେ ବଜେଟ ଅଧିବେଶନକୁ ସୁରୁଖୁଖୁରୁରେ ଚଳାଇବା ପାଇଁ ଏହା ପୂର୍ବରୁ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସର୍ବଦଳୀୟ ବୈଠକ ଡକାଇଥିଲେ । ବିଜେଡି ପକ୍ଷରୁ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଏହି ବୈଠକରେ ଯୋଗ ଦେଇଥିଲେ । ଏହି ଅଧିବେଶନରେ ମହିଳା ସଂରକ୍ଷଣ ବିଲ ଆଗତ, କେନ୍ଦୁପତ୍ରରୁ ଜିଏସଟି ହଟାଇବା, ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ଘର ମିଳିବା, ଗରିବ କଲ୍ୟାଣ ଅନ୍ନ ଯୋଜନା ପୁଣି ଆରମ୍ଭ କରିବା ଭଳି ୧୦ଟି ଦାବି ଉଠାଇବାକୁ ଯୋଜନାର କରିଛି ବିଜେଡି ।

Get real time updates directly on you device, subscribe now.