ନୂଆଦିଲ୍ଲୀ : ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ସମ୍ପର୍କରେ ଭାରତୀୟ ରେଳବାଇ ଗୁରୁତ୍ୱପୂର୍ଣ୍ଣ ସୂଚନା ସେୟାର କରିଛି । ଯଦିଓ ବୁଲେଟ୍ ଟ୍ରେନ୍ ଆଗାମୀ ବର୍ଷରେ ଅର୍ଥାତ୍ ୨୦୨୩ ରେ ଚାଲିବାକୁ ଥିଲା, କିନ୍ତୁ ମହାରାଷ୍ଟ୍ରରେ ଜମି ଅଧିଗ୍ରହଣର ମନ୍ଥର ଗତି ଯୋଗୁଁ ଏହା ବିଳମ୍ବିତ ହେଉଛି । ଏହାପୂର୍ବରୁ କରୋନା ମହାମାରୀ ହେତୁ ପ୍ରକଳ୍ପ ଠିକ୍ ସମୟରେ ଶେଷ କରିବାରେ ବିଳମ୍ବ ହୋଇଥିଲା ।
ସୂଚନାନୁସାରେ, ମହାରାଷ୍ଟ୍ରର ପୂର୍ବତନ ସରକାର ବୁଲେଟ୍ ଟ୍ରେନ୍ ପାଇଁ ଜମି ଅଧିଗ୍ରହଣ କରିବାକୁ ଆଗ୍ରହ ଦେଖାଉ ନଥିଲେ । ରେଳ ମନ୍ତ୍ରଣାଳୟ ବୁଲେଟ୍ ଟ୍ରେନ୍ ପ୍ରଗତି ରିପୋର୍ଟର କେତେ କାର୍ଯ୍ୟ ସମାପ୍ତ ହୋଇଛି ଏବଂ କେତେ ବାକି ଅଛି ସେ ନେଇ ଟୁଇଟ୍ କରି ପ୍ରଗତି ରିପୋର୍ଟ ସେୟାର କରିଛନ୍ତି ।
ରେଳ ମନ୍ତ୍ରଣାଳୟର ଟୁଇଟ୍ ଅନୁଯାୟୀ ଗୁଜୁରାଟରେ ୯୮.୮ ପ୍ରତିଶତ ଜମି, ଦାଦ୍ରା ଏବଂ ନଗର ହାବେଳିରେ ୧୦୦ ପ୍ରତିଶତ ଏବଂ ମହାରାଷ୍ଟ୍ରରେ ୭୫.୨୫ ପ୍ରତିଶତ ଜମି ଅଧିଗ୍ରହଣ ହୋଇଛି । ଏଥିସହିତ, କାର୍ଯ୍ୟର ଅଗ୍ରଗତି ଦୃଷ୍ଟିରୁ ୧୬୨ କିଲୋମିଟର ପିଆର୍ କାର୍ଯ୍ୟ ଶେଷ ହୋଇଥିବାବେଳେ ୭୯.୨ କିଲୋମିଟର ପର୍ଯ୍ୟନ୍ତ ପାଇଲିଂ କାମ ମଧ୍ୟ ଶେଷ ହୋଇଛି । ଏହା ବ୍ୟତୀତ ସାବରମତିରେ ପାସେଞ୍ଜର ଟର୍ମିନାଲ୍ ହବ୍ର କାର୍ଯ୍ୟ ଶେଷ ହେବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟରେ ବୁଲେଟ୍ ଟ୍ରେନ୍ ମାର୍ଗର ଲମ୍ବ ୫୦୮.୧୭ କିଲୋମିଟର, ଯାହା ମହାରାଷ୍ଟ୍ରର ମୁମ୍ବାଇ, ଥାନେ ଏବଂ ପାଲଘର ଦେଇଯିବ । ଏହା ଗୁଜୁରାଟର ଭାଲସାଦ, ନାଭସାରି, ସୁରଟ, ଭାରୁଚ, ଭଦୋଦରା, ଆନନ୍ଦ, ଖେଡା ଏବଂ ଅହମ୍ମଦାବାଦ ଦେଇଯିବ । ମାର୍ଚ୍ଚରେ ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ରେଳବାଇମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ ବିଶେଷ କରି ମହାରାଷ୍ଟ୍ର ରାଜ୍ୟ ତଥା ଜମି ଅଧିଗ୍ରହଣରେ ବିଳମ୍ବ ହେତୁ ମୁମ୍ବାଇ- ଅହମ୍ମଦାବାଦ ହାଇସ୍ପିଡ ରେଳ ବିଳମ୍ବ ହୋଇଛି ।
ଅହମ୍ମଦାବାଦ ଏବଂ ମୁମ୍ବାଇ ମଧ୍ୟରେ ଚାଲୁଥିବା ବୁଲେଟ୍ ଟ୍ରେନର ଗତି ୩୨୦ କିଲୋମିଟର ହେବ । ଏହାଦ୍ୱାରା ଦୁଇ ସହର ମଧ୍ୟରେ ଯାତ୍ରା ସମୟ ଛଅ ଘଣ୍ଟାକୁ ହ୍ରାସ ପାଇବ । ଏହି ପ୍ରକଳ୍ପର ମୋଟ ଖର୍ଚ୍ଚ ଅଟକଳ ୧.୦୮ ଲକ୍ଷ କୋଟି ଟଙ୍କା ଏବଂ ସେୟାର ଅନୁଯାୟୀ କେନ୍ଦ୍ର ସରକାର ୧୦ ହଜାର କୋଟି ଟଙ୍କା ଦେବାକୁ ଥିବାବେଳେ ଦୁଇ ରାଜ୍ୟ ଗୁଜୁରାଟ ଏବଂ ମହାରାଷ୍ଟ୍ର ୫ହଜାର କୋଟି ଲେଖାଏଁ ଟଙ୍କା ଦେବାକୁ ପଡିବ । ବାକି ଜାପାନକୁ ୦.୧ ପ୍ରତିଶତ ସୁଧରେ ଋଣ ମାଧ୍ୟମରେ ପ୍ରଦାନ କରାଯିବ ।