ଏଥର ବାହାଘର ସିଜିନ୍ କରିଦେବ ମାଲାମାଲ…ବହୁଗୁଣା ଲାଭ ପାଇବେ ବ୍ୟବସାୟୀ

ନୂଆଦିଲ୍ଲୀ: ଅପେକ୍ଷାର ଘଟିଛି ଅନ୍ତ । ଆସିଯାଇଛି ମ୍ୟାରେଜ୍ ସିଜନ୍ । ଯାହା ପାଇଁ ବ୍ୟବସାୟୀ ବେଶ୍ ଉତ୍ସାହିତ ଅଛନ୍ତି । ଚଳିତ ବର୍ଷ ବାହାଘର ପାଇଁ ୧୮ଟି ଶୁଭ ଦିନ ନିର୍ଦ୍ଧାରିତ କରାଯାଇଛି । ରାଜଧାନୀ ଦିଲ୍ଲୀରେ ବାହାଘର ବେପାରକୁ ନେଇ ବ୍ୟବସାୟୀ ବେଶ୍ ଉତ୍ସାହିତ ଅଛନ୍ତି । ଏଥର ସହରରେ ପାଖାପାଖି ୪,୫୦,୦୦୦ ବାହାଘର ହେବ । ଯେଉଁ କାରଣରୁ ମାର୍କେଟରେ ପାଖାପାଖି ୬ ହଜାର କୋଟିର ବ୍ୟବସାୟ ହେବା ନେଇ ବେପାରୀ ଆକଳନ କରିଛନ୍ତି । ଦେବ ଉଠାଣି ଏକାଦଶୀ ଦିନ ୫୦ ହଜାର ବାହାଘର ହୋଇଥିବାବେଳେ ବ୍ୟବସାୟୀମାନେ ମୋଟା ଅଙ୍କର ଲାଭ ପାଇଥିବା ମଧ୍ୟ କୁହାଯାଉଛି ।

ଚଳିତ ବର୍ଷ ହୋଟେଲ, ମ୍ୟାରେଜ୍ ହଲ୍, ରେସ୍ତୋରାଁ ବୁକିଂରେ ୪୦% ବୃଦ୍ଧି ଘଟିଛି । କାରଣ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ପାଞ୍ଜିରେ ବିବାହ ନେଇ ଅଧିକ ଶୁଭ ଦିନ ରହିଛି । ଯେଉଁ କାରଣରୁ ସ୍ୱଭାବିକ ଭାବେ ବିବାହ ଓ ନିର୍ବନ୍ଧ ପାଇଁ ଲୋକେ ଜୋରସୋରରେ ହୋଟେଲ ବୁକିଂ କାମରେ ଲାଗିପଡ଼ିଛନ୍ତି । ଏକ୍ସପର୍ଟମାନଙ୍କ ମତରେ ମଧ୍ୟ ସମାନ ପ୍ରତିକ୍ରିୟା ଆସିଛି ଯେ, ବିବାହ ପାଇଁ ଶୁଭ ଦିନ ଚଳିତ ବର୍ଷ ଅଧିକ ଥିବାରୁ ବାହାଘରରୁ ଅଧିକ ଲାଭ ଆଶାରେ ଅଛନ୍ତି ରେସ୍ତୋରାଁ, ହୋଟେଲ, ମ୍ୟାରେଜ୍ ହଲ, ମଣ୍ଡପ ମାଲିକ, ଗହଣା ଦୋକାନୀ, ଲୁଗା ଦୋକାନୀ ଇତ୍ୟାଦି । କାରବାରକୁ ନେଇ ବ୍ୟବସାୟୀ ଖୁସି ଥିବାବେଳେ ଟ୍ରାଫିକ୍ ପୋଲିସର ଟେନ୍ସନ୍ ବଢ଼ିଯାଇଛି । ଅନ୍ୟପଟେ ବରଯାତ୍ରୀ ଯିବା ସମୟରେ ଟ୍ରାଫିକ ଜାମ୍ ହେବା ଆଶଙ୍କା ନେଇ ଟ୍ରାଫିକ୍ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଏବେଠାରୁ ଆରମ୍ଭ ହୋଇଯାଇଛି । ଏଥିସହ ଗାଡ଼ି ପାର୍କିଂ ସହଜ କରିବା ନେଇ ଟ୍ରାଫିକ ପୋଲିସ ପ୍ରସ୍ତୁୁତି ଚଳାଇଛି ।