fbpx

୨୦୨୪ ସୁଦ୍ଧା ସବୁ ଗାଁକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ଲକ୍ଷ୍ୟ

ଭୁବନେଶ୍ୱର: ଆଜି ବିଧାନସଭାରେ ବଜେଟ୍ ଅଧିବେଶନର ୨ୟ ଦିନ । ଗୃହ କାର୍ଯ୍ୟ ଆରମ୍ଭ ହେବା ସହ ସୁରୁଖୁରୁରେ ଚାଲିଛି ପ୍ରଶ୍ନକାଳ । ଗୃହରେ ବିଭିନ୍ନ ସଦସ୍ୟ ନିଜ ନିଜ ପ୍ରଶ୍ନ ପଚାରୁଥିବାବେଳେ ବିଭାଗୀୟ ମନ୍ତ୍ରୀ ସମସ୍ତ ପ୍ରଶ୍ନର ଉତ୍ତର ରଖୁଛନ୍ତି । ରାଜ୍ୟର ସମସ୍ତ ଗାଁକୁ ୨୦୨୪ ଶେଷ ସୁଦ୍ଧା ପାଇପ ଯୋଗେ ପାନୀୟ ଜଳ ଯୋଗାଣ ଲକ୍ଷ୍ୟ ରହିଥିବା ନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି । ତେବେ ଯେଉଁଠି ଉତ୍ସ କିମ୍ବା ଜମି ସମସ୍ୟା ରହିଛି ସେଠାରେ ୨୦୨୫ ସୁଦ୍ଧା ପାନୀୟ ଜଳ ଯୋଗାଣ କାର୍ଯ୍ୟ ଶେଷ ହେବା ନେଇ ଲକ୍ଷ୍ୟ ରଖାଯାଇଛି ।

ମାର୍ଚ୍ଚ ୨୦୨୩ ସୁଦ୍ଧା ୫୮% ଗାଁରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ଦିଆଯାଇଛି । ପାଇପ ନଥିବା ସ୍ଥାନରେ କାର୍ଯ୍ୟ ଜାରି ରହିଛି । ଏହା ସହ ସେଠାରେ ଥିବା ଜିଲ୍ଲାପାଳ, ପିଡି ଡିଆରଡିଏ ଓ ନିର୍ବାହୀ ଯନ୍ତ୍ରୀଙ୍କୁ ନୂଆ ଟ୍ୟୁବୱେଲ ଯୋଗାଇଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ନୂଆ ଜନବସତିରେ ଅତିରିକ୍ତ ଟ୍ୟୁବୱେଲା ଲଗାଯିବ । ଯେଉଁ ସ୍ଥାନରେ ଲୋକଙ୍କ ଜନସଂଖ୍ୟା ୭୦ ସେଠାରେ ବି ନୂଆ ଟ୍ୟୁବୱେଲ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳ କି ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଯାଞ୍ଚ ରିପୋର୍ଟ ଆଧାରରେ ନୂଆ ଟ୍ୟୁବୱେଲ ଟ୍ୟୁବୱେଲ ଲଗାଯିବ ହେଲେ ଯେଉଁଠି ଘରୋଇ ଟ୍ୟୁବୱେଲ କି ପାଇପ ଅଛି, ସେଠାରେ ଟ୍ୟୁବୱେଲ ଲଗାଯିବାର କୌଣସି ଯୋଜନା ନାହିଁ । ପାନୀୟ ଜଳ ସମସ୍ୟା ଥିଲେ, ୧୯୧୬ ହେଲ୍ପଲାଇନ ନମ୍ବର ଯୋଗେ ପ୍ରଶାସନକୁ ଜଣାଇବାର ବ୍ୟବସ୍ଥା ରହିଛି ବୋଲି ବିଭାଗୀୟ ମନ୍ତ୍ରୀ ଗୃହରେ ଉତ୍ତର ରଖିଛନ୍ତି । ମନ୍ତ୍ରୀ କହିଛନ୍ତି ରାଜ୍ୟରେ ୩୩ ହଜାର କୋଟି ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ରାଜ୍ୟ ସରକାର ହାତକୁ ନେଇଛନ୍ତି । ଏଥିରୁ ମାତ୍ର ୧୬ଟି କାର୍ଯ୍ୟ ସରିଥିବା ବେଳେ ୧୯୮ ପ୍ରକଳ୍ପର କାର୍ଯ୍ୟ ଚାଲିଛି । ୨୫ଟି ପ୍ରକଳ୍ପ କାର୍ଯ୍ୟ ମାର୍ଚ୍ଚ ସୁଦ୍ଧା ଶେଷ ହେବ ଏବଂ ଅବଶିଷ୍ଟ ପ୍ରକଳ୍ପ କାର୍ଯ୍ୟ ଡିସେମ୍ବର ୨୫ ସୁଦ୍ଧା ଶେଷ କରିବାକୁ ଲକ୍ଷ ରଖାଯାଇଛି ।

ତେବେ ପ୍ରଶ୍ନକାଳ ପରେ ଶୂନ୍ୟକାଳରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠିପାରେ ବୋଲି ଅନୁମାନ କରାଯାଉଛି । ଆସନ୍ତା ୮ ତାରିଖରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ରାଜ୍ୟ ବଜେଟ୍ ଓ କାମଚଳା ବଜେଟ୍ ଗୃହରେ ଉପସ୍ଥାପନ କରିବେ ।

Get real time updates directly on you device, subscribe now.