fbpx

ରାଜ୍ୟରେ ଲାଗୁ ହେବ ନାହିଁ CAA, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ତାମିଲନାଡୁ: ଦେଶରେ ଲାଗୁ ହୋଇଛି ନାଗରିକତ୍ୱ ସଂଶୋଧ ଆଇନ (CAA)। ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (CAA)କୁ କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛନ୍ତି। କିନ୍ତୁ ଏହାକୁ ନେଇ ଦେଶସାରା ବିବାଦ ଦେଖାଦେଇଛି। ଆଉ ଏହାରି ଭିତରେ ତାମିଲନାଡୁରେ ସିଏଏ ଲାଗୁ ହେବ ନାହିଁ ବୋଲି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଘୋଷଣା କରିଛନ୍ତି। ସେ ସିଏଏ କୁ ବିଭାଜନକାରୀ ଏବଂ ଅଦରକାରୀ ବୋଲି କହି ପ୍ରତ୍ୟାଖ୍ୟାନ କରିଛନ୍ତି । ଏହାକୁ ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ସେ ଅନୁମତି ଦେବେ ନାହିଁ ବୋଲି ସିଏମ ଷ୍ଟାଲିନ କହିଛନ୍ତି ।

ତେବେ ଲୋକସଭା ନିର୍ବାଚନ ପୂର୍ବରୁ ମୋଦି ସରକାର ସିଏଏ କୁ ଲାଗୁ କରିବା ନେଇ ମୁଖ୍ୟମନ୍ତ୍ରୀ ଷ୍ଟାଲିନ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି । ସେ କହିଛନ୍ତି ଯେ ”ସିଏଏ ଏବଂ ଏହାର ନିୟମ ସମ୍ବିଧାନର ମୌଳିକ ଗଠନ ବିରୁଦ୍ଧ ଅଟେ । ଏଥିରୁ କେହି ଲାଭ ପାଇବେ ନାହିଁ ।” ସେ ଆହୁରି ମଧ୍ୟ କହିଛନ୍ତି, “ଏହା କେବଳ ଭାରତର ଲୋକଙ୍କୁ ବିଭକ୍ତ କରିବ । ସରକାରଙ୍କ ଆଭିମୁଖ୍ୟ ହେଉଛି ଏହି ଆଇନ ସମ୍ପୂର୍ଣ୍ଣ ଅନ୍ୟାୟ । ଏହାକୁ ରଦ୍ଦ କରାଯିବା ଉଚିତ ।” ସରକାରୀ ବିଜ୍ଞପ୍ତିରେ ସେ କହିଛନ୍ତି ଯେ ତାମିଲନାଡୁ ସରକାର କୌଣସି ପ୍ରକାରେ ଏଠାରେ ସିଏଏ କାର୍ଯ୍ୟକାରୀ କରିବାକୁ ସୁଯୋଗ ଦେବେ ନାହିଁ ।

ସୂଚନା ଥାଉକି, କେନ୍ଦ୍ର ସରକାର ନାଗରିକତା ସଂଶୋଧନ ଆଇନ (ସିଏଏ) ବିଜ୍ଞପ୍ତି ଜାରି କରିବାପରେ ଏହାକୁ କଂଗ୍ରେସ ଓ ଡିଏମକେ ଭଳି ଅନେକ ବିରୋଧୀ ଦଳ ମଧ୍ୟ ବିରୋଧ କରିଛନ୍ତି। ଲୋକସଭା ନିର୍ବାଚନ ପୂର୍ବରୁ ଭୋଟ ହାତେଇବା ପାଇଁ ଏହା କରାଯାଇଛି ବୋଲି କହିଛି କଂଗ୍ରେସ। ସିଏଏ ବିଜ୍ଞପ୍ତି ପାଇଁ ୯ ଥର ସମୟ ନେବା ପରେ ଏବେ ଏହାକୁ କାର୍ଯ୍ୟକାରୀ କରାଯାଇଛି ବୋଲି କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି। ସବୁ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦାବି କରୁଛନ୍ତି। କିନ୍ତୁ ସିଏଏ କ୍ଷେତ୍ରରେ ୯ ଥର ସମୟ ନେବା ତାଙ୍କର ମିଛକୁ ପଦାରେ ପକାଇଛି ବୋଲି କହିଛନ୍ତି ଏହି ବରିଷ୍ଠ କଂଗ୍ରେସ ନେତା।

 

Get real time updates directly on you device, subscribe now.