fbpx

ମାନସ ସ୍ୱାଇଁ ହତ୍ୟା ମାମଲା: ଚିପ୍‌ରୁ ଗାଧୋଇବା ସିନ୍‌ ଡିଲିଟ୍‌ ଯୋଗୁଁ ହତ୍ୟା !

କଟକ/ଭୁବନେଶ୍ୱର/ଚାନ୍ଦବାଲି, (ଭାସ୍କର ନ୍ୟୁଜ୍‌): ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ ଦିନକୁ ଦିନ ବହୁ ନୂଆ ତଥ୍ୟ ଆସିବାରେ ଲାଗିଛି । ମାନସ ସ୍ୱାଇଁଙ୍କୁ ଦୟାଲ ଆଶ୍ରମରେ ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା । ତେବେ ଯେଉଁ ମେମୋରି  ଚିପ୍‌କୁ ନେଇ ଏପରି ଏକ ଜଘନ୍ୟ କାଣ୍ଡ ଘଟିଗଲା ସେହି ମେମୋରି ଚିପ୍‌ରେ କ’ଣ ଥିଲା ତାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ମାନସଙ୍କ ଜଣେ ବନ୍ଧୁ ଯେଉଁ ତଥ୍ୟ ପ୍ରଦାନ କରିଛନ୍ତି ତାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି ।

ବନ୍ଧୁଙ୍କ କହିବା କଥା ଅନୁଯାୟୀ ଗତ ଜାନୁଆରୀ ୨୯ ତାରିଖରେ ପୁରୀରେ ଏକ କ୍ଷୁଦ୍ର ଚଳଚ୍ଚିତ୍ରର ସୁଟିଂ କରାଯାଉଥିଲା । ଏହି ଚଳଚ୍ଚିତ୍ରର ନାୟକ ହୋଇଥିଲେ ପୂର୍ବତନ ସୂଚନା ଓ ଲୋକସମ୍ପର୍କ ବିଭାଗର ବୈଷୟିକ ନିର୍ଦ୍ଦେଶକ ନିରଞ୍ଜନ ସେଠୀ । ତାଙ୍କ ସହ ଦୁଇଜଣ ଯୁବତୀ ଓ ଜଣେ ମହିଳା ଅଭିନୟ କରିଥିଲେ । ସେହି ଚଳଚ୍ଚିତ୍ରରେ ଏକ ଗାଧୁଆ ସିନ୍‌ ରହିଥିଲା । ତାହାର ସୁଟିଂ କରିଥିଲେ ଖୋଦ୍‌ ମାନସ । ସୁଟିଂ ସମୟରେ ପାଖେ ପାଖେ ରହିଥିଲେ ଶର୍ମିଷ୍ଠା । କ୍ଷୁଦ୍ର ଚଳଚ୍ଚିତ୍ର ସୁଟିଂ ପରେ ଅସାବଧାନତା କାରଣରୁ ଏହା ଡିଲିଟ୍‌ ହୋଇଯାଇଥିଲା । ଯାହାକୁ ନେଇ ବିବାଦ ମୁଣ୍ଡ ଟେକିଥିଲା । ଏଥିପାଇଁ ମାନସଙ୍କୁ ନିରଞ୍ଜନ ଓ ଶର୍ମିଷ୍ଠା ମାଡ଼ ମାରିଥିଲେ । ମାଡ଼ ଖାଇଲା ପରେ ମେମୋରି ଚି୍‌ରୁ ଭିଡିଓ ରିକଭରି କରିଦେବେ ବୋଲି ମାନସ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଏହା ସମ୍ଭବପର ହୋଇପାରିନଥିଲା । ଯେଉଁଥିପାଇଁ ମାନସଙ୍କ ଦରମା ମଧ୍ୟ ଶର୍ମିଷ୍ଠା ବନ୍ଦ କରିଦେଇଥିଲେ । ଆଉ ମେମୋରି ଚି୍‌ରୁ ଭିଡିଓ ରିକଭରି କରିବାକୁ ବାରମ୍ବାର ଚାପ ପକାଉଥିଲେ ।

ଏହାପରେ ମାନସ ଚାକିରି ଛାଡ଼ି ଦେଇଥିଲେ ଓ ବାହାଘର ଭିଡିଓ ସୁଟିଂ କରି ଚଳୁଥିଲେ । ଫେବୃଆରୀ ୬ ତାରିଖରେ ମାନସ ଓ ତାଙ୍କ ସାଙ୍ଗ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ପଳାସପୁର ଗାଁରେ ଏକ ବାହାଘରର ଭିଡିଓ ସୁଟିଂ କରିବାକୁ ଯାଇଥିଲେ । ତା’ପରଦିନ ସକାଳେ ଦୁଇ ସାଙ୍ଗ ଭୁବନେଶ୍ୱର ଫେରୁଥିବା ବେଳେ ଅଧା ରାସ୍ତାରୁ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀମାନେ ମାନସଙ୍କୁ ଅପହରଣ କରିନେଇ ଦୟାଲ ଆଶ୍ରମକୁ ଆଣିଥିଲେ । ସେଠାରେ ଅଭିଯୁକ୍ତ ନିରଞ୍ଜନ ତାଙ୍କୁ ମାଡ଼ ମାରିଥିଲେ । ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହାପରେ ସେମାନେ ମୃତ ଦେହକୁ ନୟାଗଡ଼ ଜିଲ୍ଲା ରାଜସୁନାଖଳା ନିକଟ ବଧିାଟଣା ପାହାଡ଼ ତଳେ ପୋତି ଦେଇଥିଲେ । ତେବେ ଘଟଣାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କ ପତ୍ତା ପାଇବାରେ କ୍ରାଇମବ୍ରାଞ୍ଚ ଏପର୍ଯ୍ୟନ୍ତ ସଫଳତା ହାସଲ କରିାରିନାହିଁ । ଇତିମଧ୍ୟରେ ଦୁଇଦିନ ବିତିଯାଇଥିଲେ ମଧ୍ୟ ଶର୍ମିଷ୍ଠା କେଉଁଠି ରହିଛନ୍ତି ସେ ନେଇ ସୂଚନା ମିଳିନାହିଁ । କୁହାଯାଉଛି ଶର୍ମିଷ୍ଠା ଛଦ୍ମ ବେଶରେ ସ୍ଥାନ ପରିବର୍ତ୍ତନ କରୁଥିବାରୁ ଓ ଫୋନ ବ୍ୟବହାର କରୁନଥିବାରୁ ତାଙ୍କୁ ଧରିବା ସମ୍ଭବପର ହୋଇପାରୁନାହିଁ । ଏହି ଜଘନ୍ୟ ଘଟଣାରେ ଏପର୍ଯ୍ୟନ୍ତ ୬ ଜଣଙ୍କୁ ଗିରଫ କରାଯାଇଛି ।

Get real time updates directly on you device, subscribe now.