ମାଲକାନଗିରି: ଗତ ଅଗଷ୍ଟ ୨୯ ତାରିଖ ଦିନ ମାଲକାନଗିରି ଜିଲ୍ଲାର ତିନୋଟି କେନ୍ଦ୍ରରେ ଓଟିଇଟି ପରୀକ୍ଷା ହୋଇଥିବା ବେଳେ ଏହି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଫଳରେ ଏହି ପରୀକ୍ଷା ଦେଇଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପୁନର୍ବାର ଏହି ପରୀକ୍ଷା ଦେବାକୁ ସାଧାରଣରେ ଦାବି ହୋଇଥିଲା। ଫଳରେ ଏହାର ପୁନଃ ପରୀକ୍ଷା ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ଏଥି ନିମନ୍ତେ ଗତ ୨୯ ତାରିଖରେ ପରୀକ୍ଷା ଦେଇଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପୁନର୍ବାର ପରୀକ୍ଷା ଦେବା ସହ ଉକ୍ତ ଦିନ ଯେଉଁମାନେ ପରୀକ୍ଷା ନଦେଇ ଅନୁପସ୍ଥିତ ଥିଲେ ସେମାନେ ପରୀକ୍ଷା ଦେଇ ପାରିବେ ନାହିଁ ଏବଂ କପି କରୁଥିବା ୯ ଜଣ ଶିକ୍ଷକଙ୍କ ଉପରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛିା
ତେବେ ଏହି ପରୀକ୍ଷା କେବେ ହେବ ତାହା ଶୀଘ୍ର ଜଣାଇ ଦିଆଯିବ ଏବଂ ପରୀକ୍ଷା ତାରିଖ ଘୋଷଣାର ଏକ ସପ୍ତାହ ପୁର୍ବରୁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ୱେବସାଇଟ୍ ରୁ ନିଜ ନିଜର ଆଡମିଟ କାର୍ଡ ପାଇପାରିବେ ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ, ଓଡିସା ତରଫରୁ ନୋଟିସ ଜାରି କରାଯାଇଛି । ପ୍ରକାଶ ଥାଉକି, ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଓଟିଇଟି ପରୀକ୍ଷା ନିମନ୍ତେ ଗତ ୨୭ ତାରିଖ ଦିନ ପ୍ରଶ୍ନ ପତ୍ର ଆସିଥିଲା ବେଳେ ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବା ପୂର୍ବରୁ ଏହି ପରୀକ୍ଷାର ଉତ୍ତର ମୋବାଇଲଠୁ ମୋବାଇଲ ଘୁରି ବୁଲିଥିଲା ।
ତେବେ ଏହି ପ୍ରଶ୍ନ ପତ୍ର ପାଇବା ପାଇଁ କେତେକ ଅସାଧୁ ପରୀକ୍ଷାର୍ଥୀ ୫ ହଜାର ଟଙ୍କା ଦେଇ ପ୍ରଶ୍ନ ପତ୍ର ହାତେଇଥିବା ଜିଲ୍ଲାରେ ଚର୍ଚ୍ଚା ହେଉଥିଲ।। ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଏଥିରେ ସମ୍ପୃକ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବା ସହ ଏହି ପରୀକ୍ଷାକୁ ବାତିଲ କରାଯାଇ ପୁନର୍ବାର ନୂତନ ପ୍ରଶ୍ନ ପତ୍ର ପ୍ରସ୍ତୁତ କରି ପରୀକ୍ଷା କରିବା ପାଇଁ ରାଜ୍ୟ ସରକାର, ଶିକ୍ଷା ବିଭାଗ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଥିଲା ।