ଜାତି ଜନଗଣନା ରାହୁଲ ଗାନ୍ଧୀ-କଂଗ୍ରେସର ଏକ ବଡ଼ ବିଜୟ: ଭକ୍ତ

ଭୁବନେଶ୍ୱର,୧।୫: ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳ ଦୀର୍ଘଦିନ ଧରି ସାରାଦେଶରେ ଜାତି ଜନଗଣନା ପାଇଁ ଦାବି କରିଆସୁଛନ୍ତି । ଜାତି ଜନଗଣନା ଦ୍ୱାରା ସାରା ଭାରତ ବର୍ଷରେ ଆଦିବାସୀ, ଅନୁସୂଚିତ ଜାତି, ପଛୁଆବର୍ଗ ଓ ଅତି ପଛୁଆବର୍ଗଙ୍କର ଆର୍ଥିକ ସମାନତା ଅଣାଯାଇ ପାରିବ ଏବଂ ସେଥ‌ିପାଇଁ ପ୍ରମାଣ ଉପଯୋଗୀ ଯୋଜନା ପ୍ରସ୍ତୁତ କରିବା ପାଇଁ ଏହା ଏକମାତ୍ର ଆଧାର । ରାହୁଲ ଗାନ୍ଧୀ ଓ କଂଗ୍ରେସର ଏକମାତ୍ର ଅନୁଚିନ୍ତା ଜାତି ଜନଗଣନାକୁ ସାରା ଦେଶରେ କାର୍ଯ୍ୟକାରୀ କରିବା ପାଇଁ ସୁନିଶ୍ଚିତ କରାଇବା। ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ।  ସେ କହିଥିଲେ ଯେ, ଶତକଡ଼ା ୯୦ ପ୍ରତିଶତ ଜନଗଣ ହେଉଛନ୍ତି ଆଦିବାସୀ, ଅନୁସୂଚିତ ଜାତି, ପଛୁଆବର୍ଗ ଓ ଅତି ପଛୁଆବର୍ଗର। କିନ୍ତୁ ଏତେବଡ଼ ବର୍ଗ ଆଜି ଅର୍ଥନୈତିକ, ସାମାଜିକ, ସାଂସ୍କୃତିକ, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ସଂପୂର୍ଣ୍ଣ ଭାବରେ ଅବହେଳିତ। ଆମେ ଯେଉଁ ପୂର୍ଣ ବିକଶିତ ଭାରତବର୍ଷର ପରିକଳ୍ପନା କରିବାପାଇଁ ଇଛା ରଖୁଛୁ କିନ୍ତୁ ତାହା କେବଳ ପୂରଣ ହୋଇପାରିବ ଯେତେବେଳେ ଏହି ବର୍ଗର ଜନସାଧାରଣଙ୍କର ସାମଜିକ ବିକାଶ ହୋଇପାରିବ । ଜାତି ଜନଗଣନା କେବଳ ଏକ ଜନଗଣନା ନୁହେଁ ଏହା ହେଉଛି ଏକମାତ୍ର ପରିସଂଖ୍ୟନ ଯଦ୍ୱାରାକି ଉପଯୁକ୍ତ ଯୋଜନା ଏବଂ ସରକାରୀ ନିଷ୍ପତି କାର୍ଯ୍ୟକାରୀ କରାଯାଇ ଏହି ବର୍ଗର ବିକାଶ କରାଯାଇପାରିବ ।

ରାହୁଲ ଗାନ୍ଧୀ ଭାରତ ବର୍ଷର ସମ୍ବିଧାନକୁ ହାତରେ ଧରି ବଜ୍ର ଶପଥ କରି କହିଥିଲେ, ଜାତି ଜନଗଣନା ସେ ନିଶ୍ଚିତ କରାଇବେ। ଯଦି ଏ ସରକାର ନ କରେ କଂଗ୍ରେସ ସରକାର ଆସିଲେ ନିଶ୍ଚିତ ଜାତି ଜନଗଣନା କରିବ । କଂଗ୍ରେସ ଦଳର ଏକମାତ୍ର ଅନୁଚିନ୍ତା ଭାରତ ବର୍ଷର ସବୁ ବର୍ଗଙ୍କୁ ସାମାଜିକ ନ୍ୟାୟ ମିଳୁ । ଜାତୀୟ ସମ୍ପତ୍ତି ସମଭାବଗରେ ବଣ୍ଟନ ହେଉ । ଆଜି ନିର୍ଦ୍ଦିଷ୍ଟ କତିପୟ ବ୍ୟକ୍ତିଙ୍କ ହାତରେ ୭୦ ଭାଗରୁ ଅଧୂକ ଜାତୀୟ ସମ୍ପତ୍ତି । ଯାହାର ଯେତେ ସଂଖ୍ୟା ସେହି ଅନୁପାତରେ ସେମାନଙ୍କୁ ଅଧିକାର ମିଳିବା କଥା କିନ୍ତୁ ଏତେ ବର୍ଷ ଧରି ସେମାନଙ୍କୁ ଏ ଅଧୁକାର ମିଳିନାହିଁ । ରାହୁଲ ଗାନ୍ଧୀଙ୍କର ଏ ଦାବିକୁ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ସରକାର ବରିଷ୍ଠ ମନ୍ତ୍ରୀ, ସାଂସଦ ଓ ନେତୃବର୍ଗମାନେ ପ୍ରତ୍ୟାଖାନ କରିବା ସହିତ ତାଙ୍କୁ ଅତି କଟୁ ସମାଲୋଚନା କରିବା ସହିତ ତାତ୍ସଲ୍ୟ କରୁଥିଲେ । କିନ୍ତୁ ଆଜି କେନ୍ଦ୍ର ସରକାର ରାହୁଲ ଗାନ୍ଧୀଙ୍କ ଏହି ଦାବି ସମ୍ମୁଖରେ ମୁଣ୍ଡ ନୁଆଁଇଲେ କଂଗ୍ରେସର ଜିତ ହେଲା, ରାହୁଲ ଗାନ୍ଧୀଙ୍କର ଜିତ ହେଲା ଭାରତବର୍ଷର ଆଦିବାସୀ, ପଛୁଆବର୍ଗ, ହରିଜନ ଓ ଅତି ପଛୁଆବର୍ଗଙ୍କର ଆଜି ବିଜୟ ହେଲା। ଆଜିର ଦିନ ପ୍ରକୃତରେ ସତ୍ୟର ବିଜୟ । ଏ ଦେଶ ଜନନାୟକ ରାହୁଲ ଗାନ୍ଧୀଙ୍କ ପାଖରେ ଚିର ରଣୀ ହୋଇ ରହିବ ବୋଲି ସେ କହିଛନ୍ତି ।